ନୂଆଦିଲ୍ଲୀ, ୭।୧: ଫେବୃଆରୀରେ ହେବାକୁ ଥିବା ଜାତୀୟ ନିର୍ବାଚନ ପାଇଁ ବାଂଲାଦେଶ ନିଜର ପ୍ରସ୍ତୁତି ଜାରି ରଖିଛି । ଭାରତ ଏବେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ସହ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି । ଯାହା ଭାରତର କୂଟନୀତିକ ସମ୍ପର୍କରେ ବଡ଼ ପରିବର୍ତ୍ତନର ଆଣିବ । ଡିସେମ୍ବର ୩୦ରେ ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ଶୋକସଭାରେ ଭାରତର ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ଯୋଗ ଦେଇଥିଲେ । ସେଠାରେ ସେ ଖାଲେଦା ଜିଆଙ୍କ ପୁଅ ଏବଂ ବିଏନ୍ପିର କାର୍ଯ୍ୟବାହକ ନେତା ତାରିକ୍ ରହମାନଙ୍କୁ ଭେଟିଥିଲେ । ଜୟଶଙ୍କର ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଚିଠି ଦେଇଥିଲେ, ଯେଉଁଥିରେ ଶୋକ ପ୍ରକାଶ କରାଯାଇଥିଲା । ପୂର୍ବରୁ ଭାରତ ବିଏନ୍ପି ଉପରେ ସନ୍ଦେହ କରୁଥିଲା, କାରଣ ବିଏନ୍ପି ଜମାତ-ଇ-ଇସ୍ଲାମୀ ଓ ପାକିସ୍ତାନ ସହ ସମ୍ପର୍କ ଥିଲା । ସେଥିପାଇଁ ଏହାର ରାଜନୈତିକ ପ୍ରତିଦ୍ୱନ୍ଦୀ ଶେଖ୍ ହାସିନା ଓ ତାଙ୍କ ଆୱାମୀ ଲିଗ୍ ପାର୍ଟିକୁ ଭାରତ ସମର୍ଥନ କରୁଥିଲା ।
୨୦୨୪ ଜୁଲାଇରେ ଛାତ୍ର ଆନ୍ଦୋଳନ ପରେ ଶେଖ୍ ହାସିନାଙ୍କ ୧୫ ବର୍ଷର ଶାସନ ଶେଷ ହେଲା । ସେ ବର୍ତ୍ତମାନ ଭାରତରେ ଅଛନ୍ତି ଏବଂ ସେ ଆସନ୍ତା ନିର୍ବାଚନରେ ଭାଗ ନେବେ ନାହିଁ । ଯାହା ଫଳରେ ବିଏନ୍ପି ପୁଣି ଶକ୍ତିଶାଳୀ ହୋଇଉଠିଛି । ବିଏନ୍ପି ଏବେ ଜମାତ-ଇ-ଇସଲାମୀଠୁ ଦୂରତା ରଖୁଛି ଏବଂ ଛାତ୍ର ଆନ୍ଦୋଳନର ନେତାମାନଙ୍କ ସହ ମିଳିମିଶି କାମ କରୁଛି । ତାରିକ୍ ରହମାନ ମଧ୍ୟ ସଂଖ୍ୟାଲଘୁଙ୍କ ସୁରକ୍ଷାକୁ ନେଇ ଚାଲିବାକୁ ଗୁରୁତ୍ୱ ଦେଉଛନ୍ତି, ଯାହା ଭାରତ ପାଇଁ ସକାରାତ୍ମକ ସଙ୍କେତ । କହିରଖୁଛୁ ଯେ, ଭାରତ ଓ ବିଏନ୍ପି ମଧ୍ୟରେ ସମ୍ପର୍କ ଜଟିଳ । ବିଏନ୍ପି ପୂର୍ବ ଶାସନ କାଳରେ ବ୍ୟବସାୟ, ସାମୀ ବିବାଦ, ଜଳ ବଣ୍ଟନ, ପ୍ରବାସନ ଓ ଭାରତ ବିରୋଧୀ ଉଗ୍ରବାଦୀଙ୍କୁ ଆଶ୍ରୟ ଦେବା ଅଭିଯୋଗକୁ ନେଇ ଦ୍ୱିପାକ୍ଷିକ ସମ୍ପର୍କ ତିକ୍ତ ହୋଇଥିଲା । ବିଶେଷଜ୍ଞମାନେ କହୁଛନ୍ତି, ଏହି ନୂଆ ସମ୍ପର୍କ ସଫଳ ହେବ କି ନାହିଁ, ତାହା କେବଳ କଥାରେ ନୁହେଁ, କାମ ଉପରେରେ ମଧ୍ୟ ନିର୍ଭର କରିବ । ଭାରତକୁ ବାଂଲାଦେଶ ଲୋକଙ୍କ ଭରସା ଫେରାଇବା ପାଇଁ ସଠିକ୍ ପଦକ୍ଷେପ ନେବାକୁ ପଡ଼ିବ ।