୧୦ ଜୁନ୍ ୨୦୨୬ରେ ଭାରତ ନିଜର ଗଣତାନ୍ତ୍ରିକ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟିକରିଛି, ଯେତେବେଳେ ଶ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବରେ ନିରବଚ୍ଛିନ୍ନ ଭାବେ ୪,୩୯୯ ଦିନର ସେବାକାର୍ଯ୍ୟ ସମ୍ପୂର୍ଣ୍ଣ କରିଛନ୍ତି । ଏହା ସହିତ ସେ କ୍ରମାଗତ ଭାବରେ ଏହି ପଦବିରେ ରହିଥିବା ଭାରତର ସବୁଠାରୁ ଦୀର୍ଘତମ ସେବା ପ୍ରଦାନକାରୀ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି । ଏହି ଐତିହାସିକ ସଫଳତା କେବଳ ରାଷ୍ଟ୍ର ଗଠନ ପ୍ରତି ତାଙ୍କର ଅଟଳ ପ୍ରତିବଦ୍ଧତାକୁ ଦର୍ଶାଉନାହିଁ, ବରଂ ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଉପରେ ଭାରତବାସୀ ରଖିଥିବା ଅତୁଟ ବିଶ୍ୱାସ ଓ ଆସ୍ଥାକୁ ମଧ୍ୟ ପ୍ରତିଫଳିତ କରୁଛି । ଏହା ତାଙ୍କର ସୁଦୂରପ୍ରସାରୀ ନେତୃତ୍ୱ, ଜାତୀୟ ବିକାଶ ପ୍ରତି ଅକ୍ଳାନ୍ତ ପରିଶ୍ରମ ଏବଂ ଭାରତର ଜନସାଧାରଣଙ୍କ କଲ୍ୟାଣ ଓ ଆକାଂକ୍ଷା ପୂରଣ ଦିଗରେ ତାଙ୍କର ଦୃଢ଼ନିଷ୍ଠାର ଏକ ଜ୍ୱଳନ୍ତ ପ୍ରମାଣ ।

ଯୁଗାନ୍ତକାରୀ ନେତୃତ୍ୱ: ୪,୩୯୯ ଦିନ ଏବଂ ଆଗକୁ...

ରାଷ୍ଟ୍ରର ପ୍ରଧାନ ସେବକ ଭାବେ ନରେନ୍ଦ୍ର ମୋଦି ଭାରତରେ ଏକ ଅଭୂତପୂର୍ବ ପରିବର୍ତ୍ତନ ଯୁଗର ଅୟମାରମ୍ଭ କରିଛନ୍ତି । ଏହା ତାଙ୍କର ରାଷ୍ଟ୍ର ପ୍ରଥମ ସୁଶାସନ ଭାବନା ଉପରେ ଆଧାରିତ ଏବଂ ପରିଚାଳିତ । ଠିକ୍ ଯେଭଳି ଇତିହାସ ପୁଣିଥରେ ଆବ୍ରାହମ ଲିଙ୍କନଙ୍କ ପାଇଁ କଡ଼ ଲେଉଟାଇଥିଲା ଏବଂ ତାଙ୍କର ସୁଦୃଢ଼ ନେତୃତ୍ୱ ଫଳରେ କ୍ରୀତଦାସ ପ୍ରଥାର ଗ୍ଳାନି ସବୁଦିନ ପାଇଁ ଶେଷ ହୋଇଥିଲା ଏବଂ ଲକ୍ଷ ଲକ୍ଷ ଲୋକଙ୍କ ଆତ୍ମମର୍ଯ୍ୟାଦା ସୁରକ୍ଷିତ ହୋଇଥିଲା, ସେହିଭଳି ଭାବରେ ଭବିଷ୍ୟତ ପିଢ଼ି ଏକଥା ସ୍ମରଣ କରିବେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ୧୨ବର୍ଷର ଅବଧି ମଧ୍ୟରେ ୨୫କୋଟିରୁ ଅଧିକ ଲୋକଙ୍କୁ ଦାରୁଣ ଦାରିଦ୍ର୍ୟ ମଧ୍ୟରୁ ଉପରକୁ ଉଠାଇବାକୁ ସକ୍ଷମ ହୋଇଛନ୍ତି । ତାଙ୍କରି ସୁଚିନ୍ତିତ ଦୂରଦର୍ଶୀ ଭାବନା, ଅକ୍ଳାନ୍ତ ପ୍ରୟାସ ଏବଂ ପରିବର୍ତ୍ତନକାରୀ ସୁଶାସନ ଫଳରେ ଅସଂଖ୍ୟ ପରିବାର କେବଳ ସଶକ୍ତ ହୋଇନାହାନ୍ତି, ସେମାନଙ୍କୁ ଉପଯୁକ୍ତ ସୁଯୋଗ, ମର୍ଯ୍ୟାଦା ଏବଂ ଭବିଷ୍ୟତର ଆଶା ମିଳିପାରିଛି । ଏହାଫଳରେ ସେମାନେ ଆର୍ଥିକ ସ୍ୱାଧୀନତାର ପ୍ରତିଶ୍ରୁତିକୁ ଆପଣାଇ ଏକ ଉତ୍ତମ ଭବିଷ୍ୟତକୁ ମଧ୍ୟ ହାତମୁଠାରେ ପାଇଛନ୍ତି ।

ଅଧିକନ୍ତୁ ତାଙ୍କର ଏହି ପରିବର୍ତ୍ତନକାରୀ ଉପକ୍ରମ ସମାଜର କୋଟି କୋଟି ଲୋକଙ୍କ ନିମନ୍ତେ ଶିକ୍ଷା, ବାସଗୃହ, ପରିମଳ, ସ୍ୱାସ୍ଥ୍ୟସେବା ଏବଂ ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ଆତ୍ମସମ୍ମାନ ଏବଂ ସାମାଜିକ ନିରାପତ୍ତାକୁ ସୁନିଶ୍ଚିତ କରିଛି । ୪୪କୋଟିରୁ ଅଧିକ ନାଗରିକଙ୍କୁ ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାର ନିର୍ଭର ପ୍ରତିଶ୍ରୁତି ମିଳିପାରିଛି । ଏହି ଯୋଜନା ବିଶ୍ୱର ଅନ୍ୟତମ ସର୍ବବୃହତ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଭାବରେ ସୁପରିଚିତ ହୋଇଛି । ଗତ ୧୨ବର୍ଷ ମଧ୍ୟରେ ୧୨କୋଟି ଗ୍ରାମୀଣ ପରିବାରଙ୍କୁ ଜଳ ଜୀବନ ମିଶନ ମାଧ୍ୟମରେ ପାଇପ୍ ଯୋଗେ ନିରାପଦ ଓ ନିର୍ଭରଯୋଗ୍ୟ ପାନୀୟଜଳ ଯୋଗାଇ ଦିଆଯାଉଛି । ଏହାଫଳରେ ଅସଂଖ୍ୟ ପରିବାର କେବଳ ଆତ୍ମମର୍ଯ୍ୟାଦାର ଅଧିକାରୀ ହୋଇନାହାନ୍ତି, ଏହା ସେମାନଙ୍କର ଜୀବନର ଗୁଣାତ୍ମକ ମାନକୁ ମଧ୍ୟ ଉନ୍ନତ କରିପାରିଛି । ୨୦୨୦ ମସିହାଠାରୁ ନିରବଚ୍ଛିନ୍ନ ଭାବରେ ପ୍ରାୟ ୮୦କୋଟି ଲୋକଙ୍କୁ ମାଗଣାରେ ଖାଦ୍ୟାନ୍ନ ଯୋଗାଇ ଦିଆଯାଉଛି, ଯାହା ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିଛି ଏବଂ ଦେଶରେ କେହିଜଣେ ନାଗରିକ ଯେପରି ଅଭୁକ୍ତ ନରହେ ତାହା ମଧ୍ୟ ସୁନିଶ୍ଚିତ ହୋଇପାରିଛି । ଅଧିକନ୍ତୁ ୪କୋଟିରୁ ଅଧିକ ପରିବାର ସେମାନଙ୍କର ନିଜସ୍ୱ ଏକ ନିରାପଦ ଓ ସ୍ଥାୟୀ ବାସଗୃହ ହାସଲ କରିବାର ସ୍ୱପ୍ନ ସାକାର ହୋଇଛି । ଏହା ସେହିସବୁ ଲୋକଙ୍କ ମନରେ ନିରାପତ୍ତା, ଆତ୍ମମର୍ଯ୍ୟାଦା ଏବଂ ଆଶାକୁ ସୁରକ୍ଷିତ ରଖିପାରିଛି । ଏହିସବୁ ଯୋଜନା ଏକତ୍ର ଭାବେ ଏକ ସମ୍ବେଦନଶୀଳ ଶାସନ ବ୍ୟବସ୍ଥାର ସଙ୍କେତ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ପରିକଳ୍ପନା ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ସଶକ୍ତ କରିଛି । ସେମାନେ ମହିଳା ହୋଇଥାନ୍ତୁ ଅବା ଯୁବଗୋଷ୍ଠୀ, କୃଷକ ହୁଅନ୍ତୁ ଅବା ଅବହେଳିତ ବର୍ଗ, ସମସ୍ତଙ୍କ ପାଇଁ ସମାନ ମାତ୍ରାର ଯୋଜନା ପ୍ରବର୍ତ୍ତନ କରାଯାଇଛି । ଦେଶରେ ୩କୋଟିରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି ହେବା ସରକାରଙ୍କ ମହିଳାକୈନ୍ଦ୍ରିକ ବିକାଶ ପରିକଳ୍ପନାର ସଶକ୍ତ ସଫଳତାକୁ ପ୍ରମାଣିତ କରେ । ସେହିଭଳି ନାରୀଶକ୍ତି ଉପକ୍ରମ ମାଧ୍ୟମରେ ମହିଳାମାନେ ବର୍ତ୍ତମାନ ରାଷ୍ଟ୍ରନିର୍ମାଣ କ୍ଷେତ୍ରରେ ଅଧିକ ମାତ୍ରାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଆସୁଛନ୍ତି । ଭାରତର ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ଦୃଶ୍ୟପଟ୍ଟରେ ନାଟକୀୟ ଭାବେ ସମ୍ପ୍ରସାରଣ ଘଟିଛି । ଦେଶରେ ନୂଆ ନୂଆ ଆଇଆଇଟି, ଏମ୍ସ, ମେଡିକାଲ କଲେଜ ଏବଂ ଉଚ୍ଚଶିକ୍ଷାନୁଷ୍ଠାନ ସ୍ଥାପନ ମାଧ୍ୟମରେ ଦେଶର ଯୁବବର୍ଗଙ୍କ ପାଇଁ ଅଭୂତପୂର୍ବ ସୁଯୋଗ ସୃଷ୍ଟିହୋଇଛି । ଅନୁରୂପ ଭାବେ ଭାରତ ଭିତ୍ତିଭୂମି ବିପ୍ଳବ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ସଫଳତା ଲକ୍ଷ୍ୟ କରାଯାଇଛି । ବନ୍ଦେ ଭାରତ ଟ୍ରେନ୍ର ଦ୍ରୁତ ସମ୍ପ୍ରସାରଣ, ବିମାନ ବନ୍ଦର, ଜାତୀୟ ରାଜପଥ ଏବଂ ରେଳ ଷ୍ଟେସନଗୁଡ଼ିକର ଉନ୍ନତିକରଣ ଓ ସମ୍ପ୍ରସାରଣ ସଂଯୋଗୀକରଣ ପ୍ରକଳ୍ପ କ୍ଷେତ୍ରରେ ପଟ୍ଟପରିବର୍ତ୍ତନକାରୀ ପ୍ରଗତି ଘଟାଇଛି । ଏହା ଦେଶର ଦୁର୍ଗମତମ କ୍ଷେତ୍ରରେ ମଧ୍ୟ ପହଞ୍ଚିଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱ ଏକ ଆଧୁନିକ, ସଂଯୋଜିତ ଏବଂ ଆକାଂକ୍ଷୀ ଭାରତର ସୁଦୃଢ଼ ମୂଳଦୁଆ ସ୍ଥାପନ କରିଛି । ଏହିସବୁ ସଫଳତା ଦେଶରେ କେବଳ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିନାହିଁ, ଏଥିସହିତ ସାରାଦେଶର କୋଟି କୋଟି ନାଗରିକଙ୍କ ନିମନ୍ତେ ଜୀବନଧାରଣ ମାନରେ ମଧ୍ୟ ଗୁଣାତ୍ମକ ପରିବର୍ତ୍ତନ ଆଣିଛି । ଭାରତ ଡିଜିଟାଲ ନବାଚାର, ସେମିକଣ୍ଡକ୍ଟର, ମହାକାଶ ପ୍ରଯୁକ୍ତି, ପ୍ରତିଷେଧକ ଟିକାର ବିକାଶ ଏବଂ ମୋବାଇଲ ଉତ୍ପାଦନ କ୍ଷେତ୍ରରେ ବୈଶ୍ୱିକ ନେତାଭାବରେ ମୁଣ୍ଡ ଟେକିଛି । ଏହାଫଳରେ ଆଗାମୀ ଦିନରେ ଆଗକୁ ପ୍ରଗତି କରିବାକୁ ଥିବା ପ୍ରଯୁକ୍ତି କ୍ଷେତ୍ରରେ ଦେଶ ନିଜପାଇଁ ଏକ ବୈଶ୍ୱିକ ମାନ୍ୟତା ହାସଲ କରିପାରିଛି ।

ବିକାଶ ସହିତ ଐତିହ୍ୟର ସୁରକ୍ଷା: ତାମିଲ ଐତିହ୍ୟକୁ ସମ୍ମାନ, ତାମିଲନାଡୁର ପ୍ରଗତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଯାହା ବାସ୍ତବପକ୍ଷେ ସମସାମୟିକ ନେତୃବର୍ଗଙ୍କଠାରୁ ଭିନ୍ନ ବୋଲି ଉପସ୍ଥାପନ କରେ, ତାହା ହେଉଛି ପ୍ରଗତି ଓ ପରମ୍ପରା ଉପରେ ତାଙ୍କ ମନରେ ଥିବା ଅତୁଟ ବିଶ୍ୱାସ । ପ୍ରଗତି ଏବଂ ପରମ୍ପରା ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ନୁହନ୍ତି, ବରଂ ପରିପୂରକ ଶକ୍ତି ବୋଲି ସେ ସଦାବେଳେ ବିଶ୍ୱାସୀ । "ବିକାଶ ଭି, ବିରାସତ ଭି' ଭଳି ଦୂରଦର୍ଶୀ ଚିନ୍ତାଧାରା ମାଧ୍ୟମରେ ସେ ପ୍ରଦର୍ଶିତ କରିପାରିଛନ୍ତି, ଏକ ରାଷ୍ଟ୍ର ଆଧୁନିକତା ପଥରେ ଦ୍ରୁତବେଗରେ ଧାବମାନ ହେବା ସହିତ ନିଜର ସଭ୍ୟତାଗତ ଐତିହ୍ୟ ଓ ପରମ୍ପରା ପ୍ରତି ମଧ୍ୟ ଗଭୀର ଭାବେ ଅନୁରକ୍ତ ଓ ଶ୍ରଦ୍ଧାଶୀଳ ରହିପାରିବ । ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଭିତ୍ତିଭୂମି, ପ୍ରଯୁକ୍ତି, ଉତ୍ପାଦନ ଓ ସାମାଜିକ କଲ୍ୟାଣ କ୍ଷେତ୍ରରେ ପଟ୍ଟପରିବର୍ତ୍ତନକାରୀ ବିକାଶକୁ ଲକ୍ଷ୍ୟ କରିଛି । ଯଦ୍ୟପି ସେ ଏକାଧାରରେ ଭାରତର ପ୍ରାଚୀନ ସଂସ୍କୃତି, ଭାଷା, ଆଧ୍ୟାତ୍ମିକ ପରମ୍ପରା ଓ ଐତିହାସିକ ବୈଭବ ପ୍ରତି ନିଜ ମନରେ ଶ୍ରଦ୍ଧା ରଖିବା ସହ ଏଥିପାଇଁ ଗୌରବ ଅନୁଭବ କରନ୍ତି, ଅପରପକ୍ଷେ ଆଧୁନିକ ପ୍ରଗତିକୁ ମଧ୍ୟ ସମମାତ୍ରାରେ ଆଦର କରିଥାନ୍ତି । ଏହା କୌଣସି ଏକ ପବିତ୍ରସ୍ଥଳୀର ପୁନରୁଦ୍ଧାର ହେଉ ବା ସାଂସ୍କୃତିକ ସଂକେତର ପୁନରୁତ୍ଥାନ ଅବା ଶାସ୍ତ୍ରୀୟ ଭାଷାର ଉତ୍ସବ ବା ଅମୂଲ୍ୟ କଳା ସମ୍ପଦର ସଂରକ୍ଷଣ- ତାଙ୍କ ଶାସନ ଆଧୁନିକ ଆକାଂକ୍ଷା ଏବଂ ସମୟାତୀତ ମୂଲ୍ୟବୋଧ ମଧ୍ୟରେ ଥିବା ବିରଳ ସମନ୍ୱୟକୁ ପ୍ରତିଫଳିତ କରିଥାଏ ।

ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ର ନିର୍ମାଣର ପୁନଃସଂଜ୍ଞା ନିରୂପଣ କରିଛନ୍ତି । ଦେଶର ବାସ୍ତବ ବିକାଶ କହିଲେ ଏହା କେବଳ ଆର୍ଥିକ ଅଭିବୃଦ୍ଧି ଦ୍ୱାରା ମପାଯାଇନଥାଏ, ବରଂ ସେହି ରାଷ୍ଟ୍ର ନିଜର ଐତିହ୍ୟକୁ ଭବିଷ୍ୟତ ପିଢ଼ିମାନଙ୍କ ନିମନ୍ତେ କେତେମାତ୍ରାରେ ସଂରକ୍ଷିତ ରଖେ, ଏହାକୁ ନେଇ କେତେ ଗର୍ବ ଅନୁଭବ କରେ ଏବଂ ଏହାର ପ୍ରଚାର ପ୍ରସାର କରେ ତାହା ମଧ୍ୟ ସମାନ ଭାବେ ଜରୁରି ।

ଏହି ଦର୍ଶନର କଲ୍ୟାଣକର କାର୍ଯ୍ୟକ୍ରମର ସବୁଠାରୁ ବଡ଼ ହିତାଧିକାରୀମାନଙ୍କ ମଧ୍ୟରେ ତାମିଲନାଡୁ ଏବଂ ବୈଶ୍ୱିକ ତାମିଲ ସମୁଦାୟ ରହିଛନ୍ତି । ତାମିଲନାଡୁର ଉନ୍ନତ ଭାଷାଗତ, ସାଂସ୍କୃତିକ ଏବଂ ଐତିହ୍ୟକୁ ଅଭୂତପୂର୍ବ ସ୍ୱୀକୃତି, ଉତ୍ସବ ଏବଂ ସମର୍ଥନ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହା ସମ୍ଭବପର ହୋଇପାରିଛି । ତାମିଲନାଡୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ପରିବର୍ତ୍ତନକାରୀ କାର୍ଯ୍ୟକ୍ରମଗୁଡ଼ିକରୁ ପର୍ଯ୍ୟାପ୍ତ ସୁଫଳ ପାଇଛି । ସେଥିମଧ୍ୟରେ ଚେନ୍ନାଇ ମେଟ୍େରା ରେଳ ପ୍ରକଳ୍ପର ସମ୍ପ୍ରସାରଣ, ଚେନ୍ନାଇ-ବେଙ୍ଗାଲୁରୁ ଏକ୍ସପ୍ରେସ୍ ୱେ, ତାମିଲନାଡୁ ପ୍ରତିରକ୍ଷା ଶିଳ୍ପ କରିଡର, ବନ୍ଦର ଏବଂ ବିମାନବନ୍ଦରଗୁଡ଼ିକର ଆଧୁନିକୀକରଣ, ରାଷ୍ଟ୍ରୀୟ ରାଜମାର୍ଗଗୁଡ଼ିକର ସମ୍ପ୍ରସାରଣ, ରେଳଷ୍ଟେସନଗୁଡ଼ିକର ପୁନଃବିକାଶ ଏବଂ ନୂତନ ପାମ୍ବନ ରେଳ ସେତୁର ପୁନର୍ବିକାଶ ଭଳି ଯୋଜନା ରହିଛି । ନୂତନ ପାମ୍ବନ ରେଳସେତୁର ଉନ୍ମୋଚନ ହେବାପରେ ଏହା ଭାରତର ପ୍ରଥମ ଊଦ୍ଧ୍ୱର୍ଲମ୍ବୀ ଉଠାସାଗର ସେତୁଭାବରେ ସୁପରିଚିତ ହୋଇଛି । ଏହା ଏକ ଉଲ୍ଲେଖନୀୟ ସଫଳତା । ଯାହା ରାମେଶ୍ୱରମ୍‌କୁ ସଂଯୋଗ କରୁଛି । ଭାରତର ଇଞ୍ଜିନିୟରିଂ ଉତ୍କର୍ଷର ଏହା ଅନ୍ୟତମ ନମୁନା ।

ଅତୀତର ଅନ୍ୟ କୌଣସି ପ୍ରଧାନମନ୍ତ୍ରୀ ତାମିଲ ଭାଷା, ସଂସ୍କୃତି ଓ ଐତିହ୍ୟର ପ୍ରଗତି ନିମନ୍ତେ ଏତେମାତ୍ରାରେ ଶ୍ରଦ୍ଧାଶୀଳ ନଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ମନରେ ଏଥିପ୍ରତି ଥିବା ନିରବଚ୍ଛିନ୍ନ ଶ୍ରଦ୍ଧା ଦୃଶ୍ୟମାନ ଆଗ୍ରହ ଏବଂ ବୈଶ୍ୱିକ ସ୍ତରରେ ଏହାକୁ ପହଞ୍ଚାଇବା ଲାଗି ପଦକ୍ଷେପ ଗ୍ରହଣ ତାମିଲ ସଭ୍ୟତାକୁ ରାଷ୍ଟ୍ରୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ଏକ ନୂତନ ସ୍ୱୀକୃତି ପ୍ରଦାନ କରିଛି । ତାମିଲ ଐତିହ୍ୟ ଏବଂ ସାହିତ୍ୟର ଭବ୍ୟତାକୁ ପ୍ରଧାନମନ୍ତ୍ରୀ ସଦାସର୍ବଦା ପ୍ରଶଂସା କରିଆସିଛନ୍ତି । ଉଭୟ ଭାରତ ଏବଂ ଭାରତ ବାହାରେ ସେ ଏହାର ଉଦାହରଣମାନ ଦେଇଥାନ୍ତି । ଏହାଫଳରେ ତାମିଲ ଭାଷା ଓ ସଂସ୍କୃତି ପ୍ରତି ସାରାବିଶ୍ୱରେ ଆଗ୍ରହ ସୃଷ୍ଟି ହୋଇଛି । ମହାନ ତାମିଲ ସନ୍ଥ କନିୟାନ ପୁଙ୍ଗୁନରନାରଙ୍କ କାଳଜୟୀ ପଙ୍କ୍ତି- ୟାଥୁମ୍ଉରେ, ୟଭରୁମ୍ କେଲିର ମିଳିତ ଜାତିସଂଘ ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଚ୍ଚାରିତ ହେବା ତାମିଲ ସଭ୍ୟତା ଏବଂ ଭାରତ ପାଇଁ ଏକ ବିରଳ ଗୌରବର ମୁହୂର୍ତ୍ତ ଥିଲା । ବୈଶ୍ୱିକ ମଞ୍ଚରେ ଏଭଳି ପ୍ରଭାବୀ ବାର୍ତ୍ତାକୁ ଉପସ୍ଥାପନ କରି ପ୍ରଧାନମନ୍ତ୍ରୀ ବିଶ୍ୱବାସୀଙ୍କୁ ଦର୍ଶାଇଥିଲେ ଯେ ସମୟାତୀତ ମାନବୀୟ ମୂଲ୍ୟବୋଧ ତାମିଲ ସଂସ୍କୃତି ଏବଂ ଏହାର ଉନ୍ନତ ସାଭ୍ୟିତିକ ଐତିହ୍ୟରେ ଭରିରହିଛି । ମାନବ ସମାଜ ତାମିଲ ଭାଷାର ଏକ ଆଦର୍ଶ ଭାବନା "ମାନବ ସମାଜ ଏକ', କାର୍ଲ ମାର୍କ୍ସଙ୍କ ଆବିର୍ଭାବର ଶହ ଶହ ବର୍ଷ ପୂର୍ବରୁ ସମସ୍ତଙ୍କୁ ଉଦ୍ବୁଦ୍ଧ କରିଥିଲା । ବସୁଧୈବ କୁଟୁମ୍ବକମ୍ର ଏହି ଭାବନା ଏହି ଦର୍ଶନରେ ହିଁ ରହିଛି ।

କାଶୀ-ତାମିଲ ସଙ୍ଗମମ୍ ଏବଂ ସୌରାଷ୍ଟ୍ର-ତାମିଲ ସଙ୍ଗମମ୍ ଭଳି ଉପକ୍ରମ ଆମ ରାଷ୍ଟ୍ରର ଚିରନ୍ତନ ସଭ୍ୟତାଗତ ସଂଯୋଗ ଏବଂ ସାଂସ୍କୃତିକ ସମ୍ପ୍ରିତିକୁ ସୁଦୃଢ଼ କରିଛି । ଆମର ନୂତନ ସଂସଦ ଭବନରେ ସେଙ୍ଗାଲକୁ ଅବସ୍ଥାପନ କରିବା ଭାରତର ଗଣତାନ୍ତ୍ରିକ ଏବଂ ସାଭ୍ୟିତିକ ଐତିହ୍ୟ ପ୍ରତି ତାମିଲନାଡୁର ଅମୂଲ୍ୟ ଅବଦାନ ବୋଲି କୁହାଯାଇପାରେ । ଏହା ପ୍ରାଚୀନ ଚୋଳ ସାମ୍ରାଜ୍ୟର ଐତିହ୍ୟକୁ ପ୍ରଦର୍ଶିତ କରେ । ସାରାବିଶ୍ୱରୁ ବର୍ତ୍ତମାନ ଅମୂଲ୍ୟ ଭାରତୀୟ କଳାକୃତି ଏବଂ ପ୍ରାଚୀନ ସାମଗ୍ରୀଗୁଡ଼ିକ ପୁଣିଥରେ ଭାରତ ଫେରାଇ ଆଣିବା ଲାଗି ପ୍ରୟାସ ଜାରି ରହିଛି ।

ପ୍ରତ୍ୟେକ ଯୁଗରେ, ଇତିହାସ ଏଭଳି ନେତାମାନଙ୍କର ଆବିର୍ଭାବର ସାକ୍ଷୀ ରହିଥାଏ, ଯାହାଙ୍କର ଦୂରଦୃଷ୍ଟି ଏବଂ କାର୍ଯ୍ୟାବଳୀ ସେମାନଙ୍କ ସମୟର ସୀମାକୁ ଅତିକ୍ରମ କରିଯାଏ । ଏଭଳି ବ୍ୟକ୍ତିତ୍ୱମାନଙ୍କୁ ‘ଯୁଗପୁରୁଷ’ ଭାବରେ ସ୍ମରଣ କରାଯାଇଥାଏ, କାରଣ ସେମାନେ ଏକ ରାଷ୍ଟ୍ରର ଭାଗ୍ୟକୁ ନୂତନ ରୂପ ଦିଅନ୍ତି ଏବଂ ଆଗାମୀ ପିଢ଼ିକୁ ଅନୁପ୍ରାଣିତ କରନ୍ତି । ନିଜର ପରିବର୍ତ୍ତନଶୀଳ ନେତୃତ୍ୱ, ଜାତୀୟ ବିକାଶ ପ୍ରତି ଅଟଳ ପ୍ରତିବଦ୍ଧତା ଏବଂ ଜନସାଧାରଣଙ୍କ ପାଇଁ ଅକ୍ଳାନ୍ତ ସେବା ମାଧ୍ୟମରେ, ସେ ସମସାମୟିକ ଭାରତର ଜଣେ ପ୍ରକୃତ ଯୁଗପୁରୁଷ ଭାବରେ ଉଭା ହୋଇଛନ୍ତି । ମାର ଦୃଢ଼ବିଶ୍ୱାସ ଯେ ତାଙ୍କର ସକ୍ଷମ ନେତୃତ୍ୱ ଦେଶକୁ ବିକଶିତ ଭାରତ ୨୦୪୭ ଦିଗରେ ସଫଳତାର ସହ ଆଗେଇ ନେବାକୁ ସକ୍ଷମ ହେବ ।