ଆଠମଲ୍ଲିକ,୧୯/୦୧:  କୁକୁଡ଼ାଧର ଘାଟିରେ ଓଲଟିଲା କ୍ରେନ୍ । ଦୁର୍ଘଟଣାରେ ଡ୍ରାଇଭର ପ୍ରାଣ ହରାଇଥିବା ବେଳେ ହେଲପର୍‌ ଗୁରୁତର ହୋଇଛନ୍ତି । ମୃତକ ମିଥୁନ ବେହେରା ଏବଂ ସେ  ଅନୁଗୁଳ ଜିଲ୍ଲାର ବଡ଼କେର ଅଞ୍ଚଳର ଦଲାର ସାହିର ବାସିନ୍ଦା ହୋଇଥିବା ବେଳେ ଗୁରୁତର ଟୁଟୁ ସାହୁ ଆଠମଲ୍ଲିକ କୃତାଥପୁର ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି । ଆଠମଲ୍ଲିକ ଅନୁଗୁଳ ରସ୍ତାର ବରଘାଟି ନିକଟରେ ଥିବା କୁକୁଡ଼ାଧର ଘାଟିରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ମିଥୁନ ବେହେରା ଏବଂ ଟୁଟୁ ସାହୁ ଏକ କ୍ରେନ୍‌ରେ ବସି ବରଘାଟି ନିକଟରେ ଥିବା କୁକୁଡ଼ାଧର ଘାଟି ଦେଇ ଯାଉଥିବା ବେଳେ ଗାଡ଼ିଟି ଓଲଟି ପଡ଼ିଥିଲା । ଫଳରେ ଗାଡ଼ିର ଡ୍ରାଇଭର ମିଥୁନ ବେହେରା ଜୀବନ ହରାଇଥିଲେ ଏବଂ ହେଲପର୍‌ ଟୁଟୁ ସାହୁ ଗୁରୁତର ହୋଇଥିଲେ । ଏହା ଦେଖି ଆଠମଲ୍ଲିକ ଅଞ୍ଚଳର କିଛି ଡ୍ରାଇଭର ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଆଣି ଆଠମଲ୍ଲିକ ମେଡିକାଲରେ ଭର୍ତ୍ତି କରିଥିଲେ । ଏହା ସହ ଉଭୟଙ୍କ ପରିବାର ଲୋକଙ୍କୁ ମଧ୍ୟ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପରିବାର ଲୋକେ ପହଞ୍ଚିଥିଲେ । ସେଠାରେ ପହଞ୍ଚି ଏହି ଘଟଣା ସମ୍ପର୍କରେ ଅଭିଯୋଗ କରିବେ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି ।