ଭୁବନେଶ୍ୱର/ପୁରୀ/ପିପିଲି,୧/୦୨:  କୌଶଲ୍ୟାଗଙ୍ଗରେ କିନ୍ନର ସୋନା ଓରଫ ଅଞ୍ଜଳି ହତ୍ୟାକାଣ୍ଡ ମାମଲାରେ ପିପିଲି ପୁଲିସକୁ ସଫଳତା ମିଳିଛି । ହତ୍ୟାର ମୁଖ୍ୟ ଅଭିଯୁକ୍ତ କ୍ରିଷ୍ଣା କାଣ୍ଡିକୁ ପୁଲିସ ପିପିଲି ବାଇପାସ୍ରେ ଏନ୍‌କାଉଣ୍ଟର କରିଛି । କ୍ରିଷ୍ଣାକୁ ପିଛା କରୁଥିବା ପୁଲିସ ଉପରକୁ ସେ ପ୍ରଥମେ ଗୁଳି ଚଳାଇଥିଲା । ପୁଲିସର ପାଲଟା ଗୁଳି ଚାଳନାରେ କ୍ରିଷ୍ଣାର ବାମ ଗୋଡ଼ରେ ଗୁଳି ବାଜିଥିବା ପୁଲିସ ସୂଚନା ଦେଇଛି ।

ପୁଲିସ କହିବା ମୁତାବକ, କ୍ରିଷ୍ଣା ଏକ ଦୁର୍ଦ୍ଦାନ୍ତ ଅପରାଧୀ । ପୂର୍ବରୁ ତା’ ନାଁରେ ଅନେକ ଲୁଟ୍ ଓ ଛିନ୍ତାଇ ମାମଲା ରହିଛି । ତା’ର ଘର କୋଣାର୍କ ଗଡ଼ରୁପସା ଅଞ୍ଚଳରେ । ଚଳିତମାସ ପହିଲାରେ କୌଶଲ୍ୟାଗଙ୍ଗ ନିକଟରେ ହୋଇଥିବା ହତ୍ୟାକାଣ୍ଡରେ ପୁଲିସ ମୃତକ କିନ୍ନର ସୋନା ଓରଫ୍ ଦିନେଶ ରାଉତଙ୍କ ହତ୍ୟାକାରୀ ସମ୍ପର୍କରେ ପୁଲିସକୁ ଥଳକୂଳ ମିଳୁ ନଥିଲା । ତାଙ୍କ ମୋବାଇଲ୍ ଫୋନ୍‌ର କଲ୍ ଡିଟେଲ୍ସ ରେକର୍ଡ(ସିଡିଆର)କୁ ଯାଞ୍ଚ କରିବା ବେଳେ କ୍ରିଷ୍ଣାର ସମ୍ପୃକ୍ତି ପଦାକୁ ଆସିଥିଲା । କାହିଁକି ନା, ଆକ୍ରମଣ ପରେ ସୋନା ତାଙ୍କର ଜଣେ ସାଙ୍ଗକୁ ଫୋନ କରି ସବୁ ଘଟଣା ଜଣାଇଥିଲେ । କିନ୍ତୁ ଆକ୍ରମଣ ପୂର୍ବରୁ ସୋନାଙ୍କ ଫୋନ୍‌କୁ କ୍ରିଷ୍ଣା ବାରମ୍ବାର ଫୋନ୍ କରିଥିଲା । ଦୁଇଥର ଫୋନ୍ ଉଠାଇଥିଲେ ହେଁ, ବାକି ସବୁଥର ଫୋନ୍କୁ କାଟି ଦେଇଥିଲେ । ସେବେଠାରୁ ପୁଲିସ କ୍ରିଷ୍ଣାର ଗତିବିଧି ଉପରେ ତୀକ୍ଷ୍ମ ନଜର ରଖିଥିଲା । ତା’ ମୋବାଇଲ୍ ଫୋନ୍ ନମ୍ବରକୁ ଟ୍ରାକିଂ କରାଯାଉଥିଲା।

କ୍ରିଷ୍ଣା ବୁଧବାର ସନ୍ଧ୍ୟା ୭ଟାରେ ପୁରୀରୁ ବାଇକ୍(ଓଡି୦୨ଡିଏଫ୍-୩୯୩୩) ଯୋଗେ ବାହାରି ଭୁବନେଶ୍ୱର ଅଭିମୁଖେ ଆସୁଥିଲା । ପିପିଲି ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଖବର ପାଇଁ ତାକୁ କାବୁ କରିବାକୁ ପିପିଲି ବାଇପାସ୍ରେ ଛକି ବସିଥିଲା । ଥାନା ଅଧିକାରୀ ସୌମେନ୍ଦୁ ତ୍ରିପାଠୀ ଏହି ଟିମ୍ର ନେତୃତ୍ୱ ନେଇଥିଲେ । ସମୟ ସାଢ଼େ ୮ଟା । ତରାକାଜ ଛକ ନିକଟ ନାୟାରା ପେଟ୍ରୋଲ ପମ୍ପ ପଛରେ କ୍ରିଷ୍ଣାର ବାଇକ୍‌କୁ ପୁଲିସ ଟିମ୍ ଅଟକାଇଥିଲା । ସେତେବେଳକୁ କ୍ରିଷ୍ଣା କିନ୍ତୁ ଅଟକିଲାନି । ପୁଲିସ ଭ୍ୟାନ୍ ତାକୁ ପିଛା କରିଥିଲା । କ୍ରିଷ୍ଣା ବାଇକ୍‌କୁ ରାସ୍ତାକଡ଼ରେ ରଖି ବାଇକ୍ ଆଢ଼ୁଆଳରେ ରହି ପୁଲିସ ଉପରକୁ ଅତର୍କିତ ଗୁଳିଚାଳନା କରିଥିଲା । ଥାନା ଅଧିକାରୀ ଶ୍ରୀ ତ୍ରିପାଠୀ କ୍ରିଷ୍ଣାକୁ ସତର୍କ କରିଥିଲେ । ହେଲେ କ୍ରିଷ୍ଣା ମାନି ନ ଥିଲା । ଶେଷରେ ଶ୍ରୀ ତ୍ରିପାଠୀଙ୍କ ବନ୍ଧୁକରୁ ପାଲଟା ୩ ରାଉଣ୍ଡ ଗୁଳି ଗର୍ଜିଲା । ଗୋଟିଏ ରାଉଣ୍ଡ କ୍ରିଷ୍ଣାର ବାମପାଶ୍ୱର୍ ନଳି ଗୋଡ଼ରେ ବାଜିଲା । କ୍ରିଷ୍ଣା ତଳେ ପଡି଼ଯିବା କ୍ଷଣି ତୁରନ୍ତ ପୁଲିସ ଟିମ୍ ତାକୁ କାବୁ କରି ନେଇଥିଲା

। ଅଭିଯୁକ୍ତକୁ ପ୍ରଥମେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତା’ପରେ ତାକୁ କଟକ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ହସ୍ପିଟାଲରୁ ଚିକିତ୍ସିତ ହୋଇ ଫେରିବା ପରେ ତାକୁ ଗିରଫ କରାଯିବ । ଲୁଟ୍ ଉଦ୍ଦେଶ୍ୟରେ ସେ ଘଟଣାଦିନ କିନ୍ନର ସୋନାଙ୍କୁ ହତ୍ୟା କରାଯାଇଥିବା ପୁଲିସ ଅନୁମାନ କରୁଛି । ସୋନାଙ୍କଠାରୁ ଲୁଟ୍ପାଟ କରିବା ବେଳେ କ୍ରିଷ୍ଣା ଓ ତାର ୨ ସହଯୋଗୀଙ୍କ ମଧ୍ୟରେ ପ୍ରବଳ ଧସ୍ତାଧସ୍ତି ହୋଇଥିଲା । ତେବେ କ୍ରିଷ୍ଣା ଓ ତା’ର ୨ ସହଯୋଗୀ ସୋନାଙ୍କୁ ଛୁରିରେ ଆକ୍ରମଣ କରି ସେଠାରୁ ଫେରାର୍ ହୋଇଯାଇଥିଲେ । ସୋନା ଗୁରୁତର ଅବସ୍ଥାରେ ଘଟଣାସ୍ଥଳରୁ ତାର ଜଣେ ବନ୍ଧୁଙ୍କୁ ଫୋନ୍ କରି ଉଦ୍ଧାର କରିବାକୁ କହିଥିଲା । ତେବେ ପରେ ପ୍ରବଳ ରକ୍ତସ୍ରାବ ଯୋଗୁ ସୋନାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଫେରାର ୨ ସହଯୋଗୀଙ୍କୁ ଧରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି।

ସୂଚନା ଅନୁଯାୟୀ,  ରାଜଧାନୀ ଉପକଣ୍ଠ ଉତ୍ତରା କୌଶଲ୍ୟାଗଙ୍ଗ ଏନ୍ଏଚ୍-୩୧୬ କଡ଼ ସିଫା ନିକଟରେ କିନ୍ନର ଅଞ୍ଜଳିକୁ ଛୁରୀ ଭୁସି ଅତି ନିର୍ମମଭାବେ ଗତ ୩ ତାରିଖରେ  ହତ୍ୟା କରାଯାଇଥିଲା । ଅଞ୍ଜଳି କିଛି ଦିନ ହେବ ସିଫା ନିକଟସ୍ଥ ରାସ୍ତା କଡ଼ରେ ଛିଡ଼ା ହେଉଥିଲେ । ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ଛୁରୀରେ ଆକ୍ରମଣ କରି ଚାଲିଯାଇଥିଲେ । ଅଞ୍ଜଳୀ ତାଙ୍କ ସାଥି କିନ୍ନରଙ୍କୁ ଫୋନ୍ କରି କହିଥିଲେ । ତାଙ୍କୁ ଦୁଇ ଜଣ ଛୁରୀ ଭୁସି ଦେଇଛନ୍ତି କହିବା ପରେ ଆଉ କିଛି କହିନଥିଲେ । ଖବର ପାଇ ପିପିଲି ଥାନା ପୋଲିସ ପହଁଚି ଘଟଣା ସ୍ଥଳରୁ ତାଙ୍କ ମୃତ ଅବସ୍ଥାରେ ପାଇଥିଲା ।

 ଏହି ହତ୍ୟାକାଣ୍ଡକୁ ନେଇ କିନ୍ନର ସମାଜ ତାତିଥିଲେ । ଶତାଧିକ କିନ୍ନର କ୍ୟାପିଟାଲ ହସ୍ପିଟାଲ-ଏୟାରପୋର୍ଟ ରାସ୍ତାକୁ ଅବରୋଧ କରିଥିଲେ । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି କରିଥିଲେ । ଯଥାଶୀଘ୍ର ହତ୍ୟାକାରୀମାନଙ୍କୁ ଗିରଫ ନ କରାଗଲେ, ସାମୂହିକ ଆତ୍ମାହୂତି ଦେବେ ବୋଲି ଚେତାଇଥିଲେ । ପୁଲିସ ସେମାନଙ୍କୁ ଅନେକ ବୁଝାସୁଝା କରିବା ପରେ ସେମାନେ ଆନ୍ଦୋଳନରୁ ହଟିଥିଲେ ।