ନୂଆଦିଲ୍ଲୀ ୩୦/୦୬: ବଲିଉଡ୍‌ ଅଭିନେତ୍ରୀ ମୌନି ରାୟ ‘ଭୂତନୀ’ ପରେ ପୁଣି ଦମ୍‌ଦାର ଅନ୍ଦାଜରେ କମ୍‌ବ୍ୟାକ୍‌ କରିବାକୁ ଯାଉଛନ୍ତି । ତାଙ୍କୁ ଖୁବ୍‌ ଶୀଘ୍ର ଏକ ସ୍ପାଏ ଥ୍ରିଲର ଫିଲ୍ମ ‘ସଲାକାର’ରେ ଦେଖିବାକୁ ମିଳିବ । ସେଥିରେ ସେ ଗୁଇନ୍ଦାଗିରି କରୁଥିବା ନଜର ଆସିବେ । ଫିଲ୍ମଟି ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ଜୀବନ ଓ କ୍ୟାରିୟର ଉପରେ କେନ୍ଦ୍ରିତ ହେବ । ନିର୍ଦ୍ଦେଶନାରେ ରହିବେ ଫାରୁକ୍‌ କବିର । 

ଯଦିଓ ନିର୍ମାତାମାନେ ଫିଲ୍ମର ମୁଖ୍ୟ କଳାକାରଙ୍କ ନାମ ସଂପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରିନାହାନ୍ତି ତେବେ ମୌନି ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଆସିବେ ବୋଲି ଜଣାପଡି଼ଛି । ସ୍ୱାଧୀନତା ଦିବସରେ ଫିଲ୍ମଟି ଜିଓ ହଟଷ୍ଟାରରେ ରିଲିଜ୍‌ ହେବ । ମୌନି ରାୟ ୨୦୦୬ର ଟିଭି ଶୋ’ ‘କ୍ୟୁଁକି ଶାଶ୍‌ ଭି କଭି ବହୁ ଥି’ରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଟିଭି ଶୋ’ ‘ନାଗିନ୍‌’ ଯୋଗୁ ତାଙ୍କୁ ବହୁ ଲୋକପ୍ରିୟତା ମିଳିଥିଲା । ପରେ ସେ କିଛି ଫିଲ୍ମରେ ନଜର ଆସିଥିଲେ । ‘ସଲାକାର’ ବ୍ୟତୀତ ତାଙ୍କୁ ଆଗକୁ ‘ହୈ ଜବାନି ତୋ ଇସ୍କ ହୋନା ହୈ’ରେ ଦେଖିବାକୁ ମିଳିବ ।