ନୂଆଦିଲ୍ଲୀ ୧୧/୦୧: ଗବେଷକମାନେ ବିଜ୍ଞାନ-କଳ୍ପନା ଓ ବାସ୍ତବତା ମଧ୍ୟରେ ଥିବ ତାରତମ୍ୟକୁ ଦୂର କରିଛନ୍ତି । ଲୋକଙ୍କ ନିଃସଙ୍ଗତା ଦୂର କରିବା ଲାଗି ସେମାନେ ଏକ ପୂର୍ଣ୍ଣ ମାନବ ଏଆଇ ରୋବୋ ପ୍ରସ୍ତୁତ କରିଛନ୍ତି । ୧୭୫,୦୦୦ ଡଲାରରେ ଏହି ଆକର୍ଷଣୀୟ ସାଇବରନେଟିକ୍‌ ସାଥୀ ଆପଣଙ୍କର ହୋଇପାରେ । ଏହି ରୋବୋ ଗର୍ଲଫ୍ରେଣ୍ଡ୍‌ର ନାଁ ‘ମେଲୋଡି’ । ଗତ ୭ ତାରିଖରେ ଲାସ ଭେଗାସ୍‌ରେ ଆୟୋଜିତ କଂଜ୍ୟୁମର ଇଲେକ୍ଟ୍ରୋନିକ୍ସ ଶୋ-୨୦୨୫ରେ ପ୍ରଦର୍ଶିତ ଅନେକ ମାନବ ରୋବୋ ମଧ୍ୟରେ ମେଲୋଡି ଅନ୍ୟତମ ଥିଲା । ଟେକ୍‌ କମ୍ପାନି ରିଅଲବୋଟିକ୍ସ ମେଲୋଡିକୁ ପ୍ରସ୍ତୁତ କରିଛି । 

କମ୍ପାନିର ସିଇଓ ଆଣ୍ଡ୍ର‌୍ୟୁ କିଗୁଏଲ କହିଛନ୍ତି, ମଣିଷଠୁ ଅଲଗା ନ କରି ରୋବୋ ପ୍ରସ୍ତୁତ ପ୍ରୟାସର ଏହା ଫଳ । ରୋବୋ ମେଲୋଡି ଜଣେ ବାସ୍ତବ ମଣିଷ ଭଳି ଦିଶୁଛି । ଆଖିରେ ଆଖି ମିଳାଇବା ଭଳି ବିଭିନ୍ନ ପ୍ରକାର ବାସ୍ତବିକ ଗତିବିଧି ଓ କାର୍ଯ୍ୟ କଳାପ ଏହା କରୁଛି । ତେବେ ଏହାର କାର‌୍ୟ୍ୟକଳାପର ଭିଡିଓ ସାମ୍ନାକୁ ଆସିନାହିଁ । ରିଅଲବୋଟିକ୍ସ କମ୍ପାନିର ରୋବୋଗୁଡ଼ିକୁ ଖାସ୍‌କରି ସାଥୀ ଓ ନିବିଡ଼ତା ପାଇଁ ଡିଜାଇନ୍‌ କରାଯାଉଛି । ମେଲୋଡିର କାର୍ଯ୍ୟକଳାପ ଏଆଇ ଓ ଉନ୍ନତ ମୋଟର ଟେକ୍ନୋଲୋଜିର ସମ୍ମିଶ୍ରଣ ଥିବା ମେସିନ୍‌ ଜରିଆରେ ସମ୍ଭବ ହେଉଛି ବୋଲି କମ୍ପାନିର ପ୍ରତିନିଧି କହିଛନ୍ତି । ଗତିବିଧି ଓ ବାର୍ତ୍ତାଳାପ ଦକ୍ଷତା ବଢ଼ାଇବା ସହିତ ବିଭିନ୍ନ କାର୍ଯ୍ୟ ପାଇଁ ଉନ୍ନତ ମୋଟର ଟେକ୍ନୋଲୋଜି ମେଲୋଡିକୁ ବହୁମୁଖୀ ବିକଳ୍ପ ପ୍ରଦାନ କରିଛି । 

ଏହି ଏଆଇ ସାଥୀର ପରିବହନ ସହଜରେ ହୋଇପାରିବ । ଏହାର ଶରୀର ଅଂଶଗୁଡ଼ିକୁ ଖୋଲି ପୁଣି ଥରେ ଯୋଡ଼ାଯାଇପାରିବ । ସହଜରେ ଯାତ୍ରାଯୋଗ୍ୟ ଏବଂ ବିଭିନ୍ନ ପ୍ରକାର ବ୍ୟକ୍ତିଗତ ଯୋଗାଯୋଗ ପାଇଁ ମେଲୋଡିକୁ ପ୍ରସ୍ତୁତ କରାଯାଇଥିବା କିଗୁଏଲ କହିଛନ୍ତି । ତା’ର ବ୍ୟକ୍ତିତ୍ୱ ଓ ଉନ୍ନତ ବୈଶିଷ୍ଟ୍ୟ ତାକୁ ବିଭିନ୍ନ ପ୍ରକାର ଭୂମିକା ଯଥା- ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ମନୋରଞ୍ଜନ ପାଇଁ ଉପଯୁକ୍ତ କରିଛି । କିଗୁଏଲ କହିଛନ୍ତି, ଏହା ଆପଣଙ୍କ ରୋମାଣ୍ଟିକ୍‌ ପାର୍ଟନର ହୋଇପାରିବ । ଆପଣଙ୍କୁ ମନେରଖିବ । ବୟଫ୍ରେଣ୍ଡ୍‌ କିମ୍ବା ଗର୍ଲଫ୍ରେଣ୍ଡ୍‌ ଭାବେ ଏହା କାମ କରିପାରେ । କିନ୍ତୁ ଶାରୀରିକ ସମ୍ପର୍କ ପାଇଁ ଏହାକୁ ପ୍ରସ୍ତୁତ କରାଯାଇ ନାହିଁ । ସେକ୍ସ ଡଲ୍‌ର କାମ ଏହା କରେ ନାହିଁ । ଲୋକଙ୍କ ସହ ଯୋଡ଼ି ହେବା ଓ ସେମାନଙ୍କର ମନୋରଞ୍ଜନ କରିବା ପାଇଁ ଏଭଳି ରୋବୋ ନିର୍ମାଣ କରାଯାଇଛି ।