ଭୁବନେଶ୍ୱର,୧୪/୦୩: ଏଣିକି ବିଭିନ୍ନ ବୈଜ୍ଞାନିକ ଜ୍ଞାନକୌଶଳରେ ହେବ ଜଙ୍ଗଲ ସଂରକ୍ଷଣ । ଶିମିଳିପାଳ ଭଳି ଡେବ୍ରିଗଡ଼,  ଅନୁଗୁଳ ସମେତ ଅନ୍ୟ ଜଙ୍ଗଲକୁ ବି ଜଗିମ  କୃତ୍ରିମ ବୁଦ୍ଧିମତ୍ତା ଯୁକ୍ତ(ଏଆଇ)ୱାଚ୍‌ ଟାୱାର । ଫଳରେ ଜଙ୍ଗଲରେ ଗଛଠୁ ଆରମ୍ଭ କରି  ଜୀବଜନ୍ତୁଙ୍କୁ ହାନି ପହଞ୍ଚାଇବାକୁ ଉଦ୍ୟମ କଲେ  ତୁରନ୍ତ ବିଭାଗୀୟ ଅଧିକାରୀଙ୍କୁ ଜଣାପଡ଼ିବ ।  ପୂର୍ବାପେକ୍ଷା ଭଲ ଭାବେ ଜଙ୍ଗଲ ସୁରକ୍ଷା  କରାଯାଇ ପାରିବ । ୫ ‘ଜେ’ର ମନ୍ତ୍ର ଆପଣାଇବୁ  ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ବିଭାଗୀୟ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି ।  

ଗୁରୁବାର ଜଙ୍ଗଲ, ପରିବେଶ ଓ ଜଳବାୟୁ  ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ମନ୍ତ୍ରୀ  ଶ୍ରୀ ଖୁଣ୍ଟିଆ କହଥିଲେ, ଭାରତୀୟ ବନ ସର୍ବେକ୍ଷଣ  ସଂସ୍ଥାର ରାଜ୍ୟ ଜଙ୍ଗଲ ବିବରଣୀ-୨୦୨୩  ଅନୁଯାୟୀ ରାଜ୍ୟର ସମୁଦାୟ ଜଙ୍ଗଲ ପରିମାଣ  ୫୨୪୩୩.୫୬ ବର୍ଗ କିଲୋମିଟର ରହିଛି ।  ରାଜ୍ୟରେ ୫୫୮.୫୭ ବର୍ଗ କିଲୋମିଟର ଅଞ୍ଚଳରେ  ଜଙ୍ଗଲ ଅଭିବୃଦ୍ଧି ହୋଇଛି । ଯାହା ଦେଶରେ ତୃତୀୟ ସର୍ବାଧିକ। ୩ କୋଟି ଚାରା ବଣ୍ଟନର ଲକ୍ଷ୍ୟ ରହିଛି । ସେଥିପାଇଁ ସବୁଜ ମହାନଦୀ ମିଶନରେ ୫୩  କୋଟି ବ୍ୟୟବରାଦ ରହିଛି । କାମ୍ପା ଯୋଜନାରେ  ୧୦୨୦.୬୧ କୋଟି ବ୍ୟୟ ଅଟକଳ ପ୍ରସ୍ତାବ  ରଖାଯାଇଛି । ଏହି ଯୋଜନାରେ ୬୯୨୨.୨୫  ହେକ୍ଟର ଜଙ୍ଗଲରେ କ୍ଷତିପୂରଣ ବନୀକରଣ,  ୨୮୯୨୪.୬୫ ହେକ୍ଟରରେ ରକ୍ଷଣାବେକ୍ଷଣ ଓ  ୫୦ ହଜାର ହେକ୍ଟର ଉଜୁଡ଼ା ବାଉଁଶ ଜଙ୍ଗଲ  ପୁନଃ ସୃଷ୍ଟି କରାଯିବ ।  

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ‘ଏକ୍‌ ପେଡ୍‌  ମଆ କେ ନାମ୍‌’ ଅଭିଯାନରେ ରାଜ୍ୟରେ  ୫.୬୦କୋଟି ଚାରା ରୋପଣ କରାଯାଇଛି।  ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠିରେ  ୧୨୦ କୋଟି ରହିଛି । ବନ୍ୟଜନ୍ତ୍ରୁ ଓ ସେମାନଙ୍କ  ଆବାସସ୍ଥଳୀର ସୁରକ୍ଷା ଓ ସଂରକ୍ଷଣ ପାଇଁ ୭୫  କୋଟି ବ୍ୟୟବରାଦ ହୋଇଛି । ଯାହା ପୂର୍ବ ବର୍ଷ  ତୁଳନାରେ ୨୫% ଅଧିକ । ବନ୍ୟଜନ୍ତୁଙ୍କ ପାଇଁ  ଜଳ ଅଭାବ ପୂରଣ କରିବାକୁ ଶହେଟି ନୂଆ ଜଳାଶୟ ଖନନ କରାଯିବ । ହାତୀ ଚଲାପଥର  ଉନ୍ନତି ପାଇଁ ୨୫ କୋଟିର ବ୍ୟବସ୍ଥା ହୋଇଛି ।  ଯାହା ପୂର୍ବ ବର୍ଷ ତୁଳନାରେ ୨୦% ଅଧିକ   ଗଜସାଥି ଯୋଜନାରେ ପ୍ରତି ଗାଁରୁ ଜଣଙ୍କୁ ନିଯୁକ୍ତି  ଦିଆଯାଉଛି । 

ଚଳିତବର୍ଷ ଏଥିରେ ୨୩ ଶହ  ଗ୍ରାମ ଯୋଡ଼ାଯିବ । ୨୦୦ ସୌରଚାଳିତ ଆଲୋକ  ସଂଯୋଗ କରାଯିବ । ପରିବେଶ ପର୍ଯ୍ୟଟନ(ଇକୋ ଟୁରିଜିମ୍‌) ବାବଦରେ ୨୧ କୋଟି ଟଙ୍କା ଥିବା  ବେଳେ ବର୍ତ୍ତମାନ ୫୩ଟି ରହିଛି । ଆଗାମୀ  ଦିନରେ ଏହାର ସଂଖ୍ୟା ଶହେକୁ ବୃଦ୍ଧି କରାଯିବ।  ଆମ ଶିମିଳିପାଳ ଯୋଜନାରେ ୫୦ କୋଟି ଥିବା  ବେଳେ ନନ୍ଦନକାନନକୁ ବିଶ୍ୱସ୍ତରୀୟ କରିବାକୁ  ୪୦ କୋଟି ବ୍ୟୟବରାଦ କରାଯାଇଛି । ଚିଲିକାର  ପୁନରୁଦ୍ଧାର ପାଇଁ ୪.୯୯ କୋଟି ରହିଛି। ଜଙ୍ଗଲ,  ପରିବେଶ ଓ ଜଳବାୟୁ ବିଭାଗର ଏଭଳି ମୋଟ  ୨୫୧୨ କୋଟି ୯ଲକ୍ଷ ୭୬ହଜାରର ଖର୍ଚ୍ଚ ଦାବିକୁ  ମଞ୍ଜୁର କରିବାକୁ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଅନୁରୋଧ  କରିଥିଲେ । ଯାହାକୁ ଗୃହର ମଞ୍ଜୁରି ମିଳିଥିଲା ।