ନୂଆଦିଲ୍ଲୀ,୩୧/୦୮: ଦେଶରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ଯେପରି ସାଧାରଣ କଥା ହୋଇଗଲାଣି । ପ୍ରାୟ ସମୟ ଏୟାର ଇଣ୍ଡିଆ ବିମାନରେ ସମସ୍ୟା ପାଇଁ ଏମରଜେନ୍ସଂ ଲାଣ୍ଡିଂ ଖବର ସାମ୍ନାକୁ ଆସୁଛି । ଆଜି ଦିଲ୍ଲୀରୁ ଇନ୍ଦୋର ଯାଉଥିବା ଏୟାର ଇଣ୍ଡିଆ ବିମାନ ଏଆଇ ୨୯୧୩ ଇଞ୍ଜିନରେ ନିଆଁ ଲାଗିବାରୁ ଜରୁରୀକାଳୀନ ଅବତରଣ କରିଛି । ଟେକ୍‌ଅପର କିଛି ସମୟ ପରେ ହିଁ ଇଞ୍ଜିନରେ ନିଆଁ ଲାଗିଥିଲା । ତୁରନ୍ତ ବିମାନକୁ ଲାଣ୍ଡିଂ କରିବାକୁ ନିଷ୍ପତ୍ତି ହୋଇଥିଲା । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।

କଣ କହିଲା ଏୟାରଲାଇନ୍ସ ? ଘଟଣା ବାବଦରେ ଏୟାରଲାଇନ୍ସ ସୂଚନା ଦେଇ କହିଛି, '୩୧ ଅଗଷ୍ଟରେ ଦିଲ୍ଲୀରୁ ଇନ୍ଦୋର ଅଭିମୁଖେ ଉଡ଼ାଣ ଭରିଥିବା ଫ୍ଲାଇଟ୍ AI ୨୯୧୩  ତୁରନ୍ତ ଦିଲ୍ଲୀ ଫେରି ଆସିଛି । କାରଣ କକପିଟ୍ କ୍ରୁ ଡାହାଣ ଇଞ୍ଜିନରେ ନିଆଁ ଲାଗିବାର ସଙ୍କେତ ପାଇଥିଲେ । ବିମାନ ସୁରକ୍ଷା ନିୟାମକ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟକୁ ଘଟଣା ବିଷୟରେ ଅବଗତ କରାଯାଇଛି । ଯାନ୍ତ୍ରିକ ସମସ୍ୟାର ସମ୍ମୁଖୀନ ହେବା ପରେ, କକପିଟ୍ କ୍ରୁ ଉଡ଼ାଣ ନ କରିବାକୁ ନିଷ୍ପତ୍ତି ନେଇଥିଲେ । ବିମାନ ସୁରକ୍ଷିତ ଭାବେ ଜରୁରୀ ଅବତରଣ କରିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛିନ୍ତି । ତଦନ୍ତ ପାଇଁ ବିମାନକୁ ପୁଣି ଥରେ ରନୱେକୁ ଅଣାଯାଇଛି ।

ଲଗାତାର ଏୟାର ଇଣ୍ଡିଆରେ ଟେକ୍ନିକାଲ ସମସ୍ୟା- ଜୁନ୍‌ ୧୨ରେ ଅହମ୍ମଦାବାଦରେ ଭୟଙ୍କର ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଲାଗାତର ଭାବେ ଏୟାର ଇଣ୍ଡିଆ ବିମାନରେ ଟେକ୍ନିକାଲ ସମସ୍ୟା ସାମ୍ନାକୁ ଆସିଛି । ପୂର୍ବରୁ ଅଗଷ୍ଟ ୧୮ ତାରିଖରେ କୋଚି ବିମାନବନ୍ଦରରେ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ବିମାନକୁ ହଠାତ୍ ଉଡ଼ାଣ ବନ୍ଦ କରିବାକୁ ପଡିଥିଲା ।  ଏହା ପୂର୍ବରୁ ଅଗଷ୍ଟ ୧୬ ତାରିଖରେ ଏୟାର ଇଣ୍ଡିଆ ମଧ୍ୟ ଶେଷ ମୁହୂର୍ତ୍ତରେ ମିଲାନ (ଇଟାଲୀ)-ଦିଲ୍ଲୀ ବିମାନକୁ ବାତିଲ କରାଯାଇଥିଲା । ଏହାର କାରଣ ଥିଲା ଯାନ୍ତ୍ରିକ ତ୍ରୁଟି । ବିମାନରେ ଏପରି ତ୍ରୁଟି ଯୋଗୁଁ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।