ନୂଆଦିଲ୍ଲୀ,୨୨।୧: ଟାଟା ଗ୍ରୁପ୍ ଓ ସିଙ୍ଗାପୁର ଏୟାରଲାଇନ୍ସର ମାଲିକାନା ଥିବା ଏୟାର ଇଣ୍ଡିଆ ପୁଣିଥରେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଗତବର୍ଷ ଅହମ୍ମଦାବାଦରେ ହୋଇଥିବା ଭୀଷଣ ବିମାନ ଦୁର୍ଘଟଣା ଓ ଭୂ-ରାଜନୈତିକ ବିବାଦ କାରଣରୁ ଏୟାରଲାଇନ୍ସ ୩୧ ମାର୍ଚ୍ଚ ୨୦୨୬ ରେ ଶେଷ ହେବାକୁ ଥିବା ଆର୍ଥିକ ବର୍ଷରେ ରେକର୍ଡ ୧.୬ ବିଲିୟନ ଡଲାର (ପ୍ରାୟ ୧୫,୦୦୦ କୋଟି ଟଙ୍କା)ର କ୍ଷତି ହୋଇପାରେ।

ଲାଭ ଆଶା ଧୂଳିସାତ

ଏୟାର ଇଣ୍ଡିଆର ଏହି ସ୍ଥିତି ପାଇଁ ସବୁଠାରୁ ବଡ଼ ଦାୟୀ ହେଉଛି ଅହମ୍ମଦାବାଦରେ ହୋଇଥିବା ଭୀଷଣ ବିମାନ ଦୁର୍ଘଟଣା। ଜୁନ୍ ମାସରେ ଡ୍ରିମଲାଇନର ଦୁର୍ଘଟଣା ଯୋଗୁଁ ୨୪୦ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ବିଶେଷଜ୍ଞଙ୍କ ମତରେ ଏହି ଦୁର୍ଘଟଣାରେ ଏୟାରଲାଇନ୍ସର ‘ଟର୍ନ ଆରାଉଣ୍ଡ ପ୍ଲାନ’ ର ମେରୁଦଣ୍ଡ ଭାଙ୍ଗି ଦେଇଥିଲା। ଏହି କ୍ଷତି ଏୟାର ଇଣ୍ଡିଆ ପାଇଁ ବଡ଼ ୟୁ-ଟର୍ନ। କାରଣ ଜୁନ୍‌ରେ ହୋଇଥିବା ଡ୍ରୀମ୍ ଲାଇନର ଦୁର୍ଘଟଣା ପୂର୍ବରୁ ଏୟାରଲାଇନ୍ସ ଲାଭ ଆଡକୁ ବଢୁଥିଲା। ଏୟାରଲାଇନ୍ସ ଚଳିତ ଆର୍ଥିକ ବର୍ଷରେ ପରିଚାଳନା ବ୍ରେକ୍-ଇଭନ୍ ହାସଲ କରିବାର ଲକ୍ଷ୍ୟ ରଖିଥିଲା, କିନ୍ତୁ ଏବେ ଲାଭ ପାଇବା ଏକ ସ୍ୱପ୍ନ ପରି ମନେ ହେଉଛି।

ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ଏୟାର ଇଣ୍ଡିଆ,ଯାହାକି ଟାଟା ଗ୍ରୁପ୍ ଏବଂ ସିଙ୍ଗାପୁର ଏୟାରଲାଇନ୍ସ ଲିମିଟେଡର ମିଳିତ ଉଦ୍ୟମ। ଏୟାର ଇଣ୍ଡିଆ ପାଇଁ ଏହି ବର୍ଷ ବହୁତ ଅଶାନ୍ତ ରହିଛି। ଗତ ତିନି ବର୍ଷ ମଧ୍ୟରେ ଏୟାରଲାଇନ୍ସ ମୋଟ ୩୨,୨୧୦କୋଟି ଟଙ୍କାର କ୍ଷତି କରିଛି ଏବଂ ଗତ ବର୍ଷ ହିଁ ଏହା ୧୦ ହଜାର କୋଟି ଟଙ୍କାର ନୂତନ ଆର୍ଥିକ ସହାୟତା ଲୋଡିଥିଲା।

ଡବଲ ଝଟକା

ଏୟାରଲାଇନ୍ସର ବାଲାନ୍ସ ସିଟ୍‌ରେ ସବୁଠାରୁ ଗଭୀର ଆଘାତ ଜୁନ୍‌ରେ ହୋଇଥିବା ଡ୍ରୀମ ଲାଇନର କ୍ରାସ୍ ପରେ ହୋଇଥିଲା। ଏହି ଦୁର୍ଘଟଣାରେ ଏୟାରଲାଇନ୍ସର ସେହି ପ୍ରଗତିକୁ ଆଘାତ ଦେଇଥିଲା,ଯାହାକି ଦୀର୍ଘ ବର୍ଷ ହେବ ହାସଲ କରିଥିଲା। ଏହାଛଡା ଭାରତ ସହ ସାମରିକ ଲଢେଇ ପରେ ପାକିସ୍ତାନ ପକ୍ଷରୁ ହୋଇଥିବା ବିମାନ ଆକ୍ରମଣରେ ଭାରତୀୟ ଏୟାର ଲାଇନ୍ସକୁ ବନ୍ଦ କରିବା ଦ୍ବାରା ଏୟାର ଇଣ୍ଡିଆର ଆୟ ଉପରେ ଖରାପ ପ୍ରଭାବ ପଡିଥିଲା। ଏହି କଟକଣା କାରଣରୁ ୟୁରୋପ ଓ ଆମେରିକା ପାଇଁ ଉଡାଣକୁ ଦୀର୍ଘ ରୁଟ୍ ଦେଇ ଯିବାକୁ ପଡିଛି। ଯାହା ଫଳରେ ପରିଚାଳନା ଖର୍ଚ୍ଚରେ ଭାରି ବୃଦ୍ଧି ହୋଇଛି।

ବଢୁଥିବା କ୍ଷତି ଓ ଧିମା ରିକଭରିକୁ ଦେଖି ଏୟାର ଇଣ୍ଡିଆର ବୋର୍ଡ ମ୍ୟାନେଜମେଣ୍ଟ ବର୍ତ୍ତମାନ ପ୍ଲାନ୍ ପ୍ରତି ଅସନ୍ତୁଷ୍ଟ ଅଛି। ସୁତ୍ର ଅନୁସାରେ, ମ୍ୟାନେଜମେଣ୍ଟ ଦ୍ବାରା ପ୍ରସ୍ତୁତ ଏକ ନୂଆ ପଞ୍ଚବର୍ଷୀୟ ଯୋଜନା ପ୍ରସ୍ତୁତ କରାଯାଇଛି,ଯେଉଁଥିରେ କେବଳ ତୃତୀୟ ବର୍ଷରେ ଲାଭର ଅନୁମାନ ଲଗାଯାଇଥିଲା। ତାକୁ ବୋର୍ଡ ଖାରଜ କରିଦେଇଛି। ବୋର୍ଡ ଟର୍ନ ଆରାଉଣ୍ଡ ପାଇଁ ଅଧିକ ଆକ୍ରାମକ ଦୃଷ୍ଟିକୋଣ ମାଗଛି। ଏହା ଭିତରେ ଟାଟା ଗ୍ରୁପ୍‌ର ସିଇଓ କ୍ୟାମ୍ପବେଲ୍ ଓ୍ବିଲସନଙ୍କ ସ୍ଥାନ ନେବା ପାଇଁ ନେତୃତ୍ବଙ୍କୁ ଖୋଜା ଯାଉଛି। ତେବେ ଏହି ସନ୍ଧାନ ଦୁର୍ଘଟଣାର ଯାଞ୍ଚ ରିପୋର୍ଟ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ରହିଛି।

ସିଙ୍ଗାପୁର ଏୟାରଲାଇନ୍ସ ଉପରେ ଚାପ

ଏୟାର ଇଣ୍ଡିଆର ଏହି ସଙ୍କଟ ତା’ର ପାର୍ଟନର ସିଙ୍ଗାପୁର ଏୟାରଲାଇନ୍ସ ଲିମିଟେଡ୍ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏୟାର ଇଣ୍ଡିଆରେ ଭିସ୍ତାରା ବିଲୟ ହେବାପରେ ସିଙ୍ଗାପୁର ଏୟାରଲାଇନ୍ସ ପାଖରେ ଏବେ ୨୫.୧% ସେୟାର ରହିଛି। ଏୟାର ଇଣ୍ଡିଆର ଖରାପ ପ୍ରଦର୍ଶନ ସିଧାସଳଖ ସିଙ୍ଗାପୁର ଏୟାରଲାଇନ୍ସର ଆୟ ଉପରେ ପ୍ରଭାବ ପକାଇଛି।

ଆହୁରି ପଢନ୍ତୁ :ଦୁଇ ଲାଇନ୍ ପଢି ବିଧାନସଭାରୁ ଚାଲିଗଲେ ରାଜ୍ୟପାଳ : ସିଦ୍ଧରମୈୟା କହିଲେ, ସେ କେନ୍ଦ୍ରର ଚାବି ଦିଆ କଣ୍ଢେଇ ...