ନୂଆଦିଲ୍ଲୀ,୨୨।୧: କର୍ଣ୍ଣାଟକର ରାଜ୍ୟପାଳ ଥାଓ୍ବରଚନ୍ଦ ଗେହଲଟ୍ ଏବଂ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ମଧ୍ୟରେ ବଢିଲା ବିବାଦ। ବିଧାନସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିବାକୁ ଥିଲା। ତେବେ ରାଜ୍ୟପାଳ ନିଜ ଅଭିଭାଷଣରେ କେବଳ ମାତ୍ର ଦୁଇ ପଦ ପଢି ବିଧାନସଭାରୁ ଚାଲି ଯାଇଥିଲେ। ଏବେ ଏହାକୁ ନେଇ ରାଜନୈତିକ ବିବାଦ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି ରାଜ୍ୟପାଳଙ୍କ ବ୍ୟବହାର ଏଭଳି ଥିଲା ଯେପରି ସେ କେନ୍ଦ୍ର ସରକାରଙ୍କ ଚାବି ଦିଆ କଣ୍ଢେଇ। ସିଏମ୍ କହିଛନ୍ତି,‘ଗର୍ଭନର ଗେହଲଟ୍ ସମ୍ବିଧାନ ଅନୁସାରେ,ନିଜର ଦାୟିତ୍ବ ପାଳନ କରି ନାହାଁନ୍ତି। ଆମେ ତାଙ୍କର ଏହି ବ୍ୟବହାର ବିରୋଧରେ ପ୍ରଦର୍ଶନ କରିବୁ।’ ସେ ଏହା ମଧ୍ୟ କହିଛନ୍ତି ଯେ, ଆମେ ଦେଖିବୁ କ’ଣ ରାଜ୍ୟପାଳଙ୍କ ବିରୋଧରେ ସୁପ୍ରିମକୋର୍ଟରେ ମଧ୍ୟ ଅପିଲ ଦାଖଲ କରି ହେବ କି ନାହିଁ ?
ଗତ କିଛି ସମୟ ଧରି ରାଜ୍ୟରେ ଗର୍ଭନର ଓ ମୁଖ୍ୟମନ୍ତ୍ରୀଙ୍କ ଭିତରେ ଏକ ବିବାଦ ଦେଖିବାକୁ ମିଳିଛି। ତେବେ ଏହାପରେ ବି ଗୁରୁବାର ଯେତେବେଳେ ରାଜ୍ୟପାଳ ବିଧାନସଭାରେ ପହଁଞ୍ଚିଥିଲେ ଦ୍ବାର ମୁହଁରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଆସେମ୍ବଲି ସ୍ପିକର ୟୁଟି ଖେଡେକରଙ୍କ ସହ ବହୁ ମନ୍ତ୍ରୀ ତାଙ୍କୁ ସ୍ବାଗତ କରିଥିଲେ। ତେବେ ଗେହଲଟ୍ ବୁଧବାର ମନା କରିଥିଲେ ସେ ଆସେମ୍ବଲିରେ ଭାଷଣ ଦେବେନି। ଏହି କାରଣରୁ ଚିନ୍ତାଜନକ ସ୍ଥିତି ସୃଷ୍ଟି ହୋଇଥିଲା। କାରଣ ଗୃହକାର୍ଯ୍ୟ ଆରମ୍ଭରୁ ରାଜ୍ୟପାଳଙ୍କୁ ଅଭିଭାଷଣ ଦେବାର ପରମ୍ପରା ରହିଛି।
ରାଜ୍ୟପାଳଙ୍କ ଭାଷଣ ୧୧ ପାରାଗ୍ରାଫର ଥିଲା, କିନ୍ତୁ ଅଭିଯୋଗ ହେଉଛି ଏଥିରେ ଅଧିକାଂଶ ଅଂଶ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଲେଖାଯାଇଥିଲା।ଏହି କାରଣରୁ ସରକାର ଓ ରାଜ୍ୟପାଳଙ୍କ ଭିତରେ ବିବାଦ ଦେଖିବାକୁ ମିଳିଛି। ରାଜ୍ୟପାଳ ଚାହୁଁଥିଲେ, କେନ୍ଦ୍ର ସରକାରଙ୍କୁ ସମାଲୋଚନା କରାଯାଉଥିବା ଅଂଶକୁ ହଟାଇ ଦିଆଯାଉ। ସିଦ୍ଧରମୈୟା ସରକାର ଏହା ଉପରେ ରାଜି ହୋଇନଥିଲେ। ଶେଷରେ ରାଜ୍ୟପାଳ ଗୃହରେ ପହଁଞ୍ଚିଥିଲେ, କିନ୍ତୁ ଦୁଇ ଲାଇନ୍ ଭାଷଣ ଦେଇ ବାହାରି ଯାଇଥିଲେ। ଏହାକୁ ନେଇ ସିଦ୍ଧରମୈୟା କହିଛନ୍ତି, ଆଜି ସେ ମନ୍ତ୍ରିମଣ୍ଡଳ ଦ୍ବାରା ପ୍ରସ୍ତୁତ ଭାଷଣ ପଢିବା ବଦଳରେ ନିଜେ ପ୍ରସ୍ତୁତ କହିଥିବା ଭାଷଣ ପଢିଥିଲେ। ଏହା ଭାରତୀୟ ସମ୍ବିଧାନର ନିୟମ ବିରୋଧି। ଏହା ସମ୍ବିଧାନର ଧାରା ୧୭୬ ଓ ୧୬୩ର ସ୍ପଷ୍ଟ ଉଲଂଘନ।
ଆହୁରି ପଢନ୍ତୁ : ଡୋଡାରେ ୨୦୦ ଫୁଟ୍ ଗଭୀର ଖାଇକୁ ଖସିଲା ସେନା ଗାଡି: ୧୦ ଯବାନ ମୃତ,୩ ଗୁରୁତର