ନୂଆଦିଲ୍ଲୀ ୨୬/୦୭: ଉଡ୍ଡୟନ ଉଦ୍ୟୋଗର ଅନେକ ରିପୋର୍ଟ ଓ ବିମାନର ସିଟ୍ ମ୍ୟାପ୍‌ର ଆକଳନ ଅନୁସାରେ, ୧୯୮୦-୯୦ ଦଶକ ମଧ୍ୟରେ ଇକୋନୋମି କ୍ଲାସ୍ ସିଟ୍ ମଧ୍ୟରେ ଦୂରତା ୩୪-୩୫ ଇଞ୍ଚ ଥିଲା । ଆଜି ଅଧିକାଂଶ ବିମାନରେ ଏହା ୩୦-୩୧ ଇଞ୍ଚ ହୋଇଛି । ଭାରତରେ ଶସ୍ତା ବିମାନରେ ଏହି ଅନ୍ତର ୨୮-୨୯ ଇଞ୍ଚ । ବିଗତ ୪୦-୫୦ ବର୍ଷ ମଧ୍ୟରେ ବିଶ୍ୱରେ ବିମାନ ସିଟ୍ ମଧ୍ୟରେ ଦୂରତା ନିରନ୍ତର ହ୍ରାସ ହୋଇଛି । ଅନ୍ୟପକ୍ଷେ, ଏହି ସମୟରେ ଲୋକଙ୍କ ହାରାହାରି ମୋଟାପଣ ବଢ଼ିଛି ।

ଅର୍ଥାତ୍ ହାରାହାରି ୪-୭ ଇଞ୍ଚ ଲେଗ୍‌ରୁମ୍ ହ୍ରାସ ହୋଇଛି । ଅନ୍ୟପକ୍ଷେ, ସିଟ୍‌ର ଚଉଡ଼ା ମଧ୍ୟ ୧୮-୧୬.୫ ଇଞ୍ଚକୁ ହ୍ରାସ ପାଇଛି । ପୂର୍ବରୁ ସିଟ୍‌ର ଚଉଡ଼ା ୧୯ ଇଞ୍ଚ ଯାଏ ଥିଲା । ବିଜ୍ଞାନ ପତ୍ରିକା ଆପ୍ଲାଇଡ୍ ଏର୍ଗୋନମିକ୍ସ ଓ ଏସ୍‌ଏଇ ଇଣ୍ଟରନ୍ୟାସନାଲ ଅନୁସାରେ, ମଣିଷର ହାରାହାରି ପ୍ରସ୍ଥ ୮-୧୩ ପ୍ରତିଶତ ବଢ଼ିଛି । ବିଶ୍ୱର ତମାମ ବିମାନ ଅଧିକ ଲେଗ୍‌ରୁମ୍ବିଶିଷ୍ଟ ସିଟ୍ ପାଇଁ ଅତିରିକ୍ତ ଶୁଳ୍କ ନେଉଛନ୍ତି ।

ଆହୁରି ପଢ଼ନ୍ତୁ...Saturn Produces Diamonds: ବର୍ଷକୁ ୧୦୦୦ ଟନ୍ ହୀରା ସୃଷ୍ଟି କରୁଛି ଶନି ଗ୍ରହ !

ଚାହିଦା ଓ ରୁଟ୍ ଆଧାରରେ ଏହି ଶୁଳ୍କ ବଦଳିଥାଏ । ଭାରତରେ ପସନ୍ଦର ସିଟ୍ ପାଇଁ ଘରୋଇ ଯାତ୍ରାରେ ୫୦୦ରୁ ୨ ହଜାର ଟଙ୍କା ଅତିରିକ୍ତ ଦେବାକୁ ପଡୁଛି । ଅନେକ ଅନ୍ତର୍ଜାତୀୟ ବିମାନ ରୁଟ୍ ଓ ଚାହିଦା ଆଧାରରେ ୩-୧୦ ହଜାର ଟଙ୍କା ଅତିରିକ୍ତ ନେଉଛନ୍ତି । ବର୍ଦ୍ଧିତ ବିମାନ ଯାତ୍ରା ଓ ପ୍ରତିଯୋଗିତା ମଧ୍ୟରେ ବିମାନ ସଂସ୍ଥା କମ୍ ସ୍ଥାନରେ ଅଧିକ ଯାତ୍ରୀଙ୍କୁ ନେବାର ରଣନୀତି ଆପଣାଉଛନ୍ତି । ୨୦୧୫-୧୬ ତୁଳନାରେ ଦେଶରେ ୨୦୨୫-୨୬ରେ ବିମାନ ଯାତ୍ରୀଙ୍କ ସଂଖ୍ୟା ପ୍ରାୟ ୩ ଗୁଣ (୨୦୦%ରୁ ଅଧିକ) ବଢ଼ିଛି ।