ଭୁବନେଶ୍ଵର, ୨୫/୦୭ : ଆଜି ମହାପ୍ରଭୁଙ୍କ ସୁନାବେଶ ପାଇଁ ଭୁବନେଶ୍ୱର ପୁରୀ ରାସ୍ତାରେ ଅସମ୍ଭାଳ ଭିଡ଼। ମାଳତୀ ପାଟପୁର ଟ୍ରାଫିକ ଅତିକ୍ରମ କରିବାକୁ ଲାଗୁଛି ୨ ଘଣ୍ଟାରୁ ଅଧିକ ସମୟ । ପିପିଲି ନିକଟରୁ ମାଳତୀପାଟପୁର ପର୍ଯ୍ୟନ୍ତ ଗାଡିର ଲମ୍ବା ଲାଇନ ଲାଗିଛି। ମାଳତୀପାଟପୁର ନିକଟରୁ ଗାଡି ଗୁଡିକୁ ତାଳ ବଣିଆ ପାର୍କିଂକୁ ପଠାଯାଉଛି । ଟ୍ରାଫିକ ଅଧିକାରୀଙ୍କ ଦ୍ବାରା ଘଣ୍ଟାକରେ ଥରେ ସୋସିଆଲ ମିଡିଆରେ ଆଡଭାଇଜରି ଜାରି କରାଯାଉଛି।

ଆଜି ରଥାରୂଢ ଶ୍ରୀବିଗ୍ରହଙ୍କ ସୁନାବେଶ ହେବ। ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଅନୁଷ୍ଠିତ ହେବ। ଅପରାହ୍ଣ ୫ଟାରୁ ଭକ୍ତମାନେ ରଥାରୂଢ଼ ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରିବେ । ୫ଟାରେ ଶ୍ରୀବିଗ୍ରହଙ୍କ ସୁନାବେଶ ଆରମ୍ଭ ହୋଇ ସାଢ଼େ ୬ଟା ସୁଦ୍ଧା ସରିବ। ଦାରୁବ୍ରହ୍ମଙ୍କ ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ସୁବ୍ୟବସ୍ଥା କରାଯାଇଛି । ଦଇତାପତି ସେବକମାନେ ଯତ୍ନବାନ ହେବାକୁ ଏବଂ ଶ୍ରୀଜିଉଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇ ଦର୍ଶନ ଅବରୋଧ ନ କରିବା ନେଇ ଧ୍ୟାନ ଦେବାକୁ କୁହାଯାଇଛି । ବେଶରେ ଥାଇ ଠାକୁରଙ୍କ ସନ୍ଧ୍ୟା ଧୂପ ହେବ । ରାତି ୯ଟା ୧୫ରେ ମହାଦୀପ ବନ୍ଦାପନା, ରାତ୍ର ୧୦ଟାରୁ ୧୧ଟା ମଧ୍ୟରେ ସୁନା ବେଶ ମଇଲମ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି ।

ଆହୁରି ପଢନ୍ତୁ- Suna Besha: ଆଜି ରଥାରୂଢ଼ ଦାରୁବ୍ରହ୍ମଙ୍କ ଦୁର୍ଲଭ ସୁନାବେଶ, ଅପରାହ୍ନ ୫ଟାରେ ମହଣ ମହଣ ସୁନାରେ ବିଭୂଷିତ ହେବେ ମହାବାହୁ