ପ୍ରମୂଖ ଖବର
  • ଗୋଲାମୁଣ୍ଡାରେ ଦୁଇଟି ଏ.ଟି.ଏମ ଅଚଳ, ଗ୍ରାହକ ହନ୍ତସନ୍ତ
  • ||
  • ରବିବାର NEET-UG ପରୀକ୍ଷା, ୨୨.୭ ଲକ୍ଷ ପିଲା ଦେବେ ପରୀକ୍ଷା
  • ||
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

ବିମାନବନ୍ଦର ରକ୍ଷଣାବେକ୍ଷଣ ଖର୍ଚ୍ଚ ୩ କୋଟି, ୫ ଲକ୍ଷରୁ କମ୍‌ରେ ଭାଗଭାଗ କରାଯାଇଛି ପ୍ରକଳ୍ପ

Published By : Harapriya Sethi | May 4, 2025 1:17 PM

ଜୟପୁର,୦୩ା୦୫: ବିମାନବନ୍ଦରର ରକ୍ଷଣାବେକ୍ଷଣ ଓ ପରିଚାଳନା ଲାଗି ଖର୍ଚ୍ଚ ହେବ ୩ କୋଟି ୩୯ ଲକ୍ଷ ଟଙ୍କା । ୨୦୨୪-୨୫ ଆର୍ଥିକ ବର୍ଷ ଲାଗି ଏହି ବ୍ୟୟଅଟକଳ କରିଛି ପୂର୍ତ୍ତ ବିଭାଗ । ଅଥଚ ୫ ଲକ୍ଷରୁ କମ୍‌ ଟଙ୍କାରେ ଅଧିକାଂଶ ପ୍ରକଳ୍ପକୁ ଭାଗ ଭାଗ କରି ଦିଆଯାଇଛି । ଯଦ୍ୱାରା ଖୋଲା ଟେଣ୍ଡର କରାନଯାଇ ନିର୍ଦ୍ଦିଷ୍ଟ କେତେକ ଠିକାଦାରଙ୍କୁ କାମ ଦେବାର ଆଶଙ୍କା କରାଯାଉଛି । ଆଗରୁ ବି କାଗଜପତ୍ରରେ ଟେଣ୍ଡର ହେଉଥିବା ଦର୍ଶାଇ ହାତଗଣତି କେଇଜଣ ନିର୍ଦ୍ଦିଷ୍ଟ ଠିକାଦାର ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ କାମ ଦିଆଯାଇଥିବା ନଜିର ରହିଛି । ଚଳିତ ଆର୍ଥିକ ବର୍ଷରେ ଏହାର ପୁନରାବୃତ୍ତି ହୋଇପାରେ ।  

ଚଳିତ ଅର୍ଥିକ ବର୍ଷରେ ବିମାନବନ୍ଦର ରକ୍ଷଣାବେକ୍ଷଣ, ମରାମତି ଏବଂ ଅନ୍ୟାନ୍ୟ କାର୍ଯ୍ୟ ଲାଗି ମୋଟ ୩ କୋଟି ୩୯ ଲକ୍ଷ ୧୬ ହଜାର ୫୯୨ ଟଙ୍କାର ବ୍ୟୟଅଟକଳ କରାଯାଇଛି । ଏହାକୁ ମଞ୍ଜୁରି ଲାଗି ପଠାଇଛି । ଅଥଚ ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ ଟେଣ୍ଡର ଫିକ୍ସିଂ ଆଶଙ୍କା କରାଯାଉଛି । କାରଣ ୨୦୨୩-୨୪ରେ ବିମାନ ବନ୍ଦର ରକ୍ଷଣାବେକ୍ଷଣ ଲାଗି ୨ କୋଟି ୯୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା । ଏସବୁ କାମ ବି ଭାଗଭାଗ କରାଯାଇଥିଲା । ଘାସ ଓ ଲଟାବୁଦା ସଫେଇ ଲାଗି ପ୍ରାୟ ୨୮ ଲକ୍ଷର କାମକୁ ୬ ଭାଗ କରାଯାଇଥିଲା । ୫ ଲକ୍ଷରୁ ଅଧିକ ଟଙ୍କାର କାମ ହେଲେ ଖୋଲା ଟେଣ୍ଡର କରିବାକୁ ବାଧ୍ୟ । ଖାସ୍‌ ଏଥିଲାଗି ୩ଟି କାମକୁ ୪ ଲକ୍ଷ ୨୮ ହଜାର ୮୯୯ ଟଙ୍କା ଲେଖାଏଁ ଏବଂ ବଳକା ୩ଟି କାମକୁ ୪ ଲକ୍ଷ ୬୭ ହଜାର ୮୯୦ ଟଙ୍କା ଲେଖାଏଁ କରି ବ୍ୟୟଅଟକଳ କରାଯାଇଥିଲା । ଏସବୁ କାମକୁ ନିର୍ଦ୍ଦିଷ୍ଟ କେତେଜଣ ଠିକାଦାର ହାତେଇଥିଲେ । ଚଳିତ ଆର୍ଥିକ ବର୍ଷରେ ଅନୁରୂପ ଭାବେ ଘାସ ଓ ଲଟାବୁଦା କାଟିବା ବାବଦରେ ପ୍ରାୟ ୪୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏହି କାମର ଖୋଲା ଟେଣ୍ଡର କରାଯାଇ ପାରିଥାନ୍ତା । ଅଥଚ ଏହାକୁ ସ୍ଲିଟ୍‌( ଭାଗ ଭାଗ) କରି ୮ଟି କରାଯାଇଛି । ପ୍ରତି କାମ ପାଇଁ ବ୍ୟୟ ଅଟକଳ କରାଯାଇଛି ୪ ଲକ୍ଷ ୯୯ ହଜାର ୯୦୭ ଟଙ୍କା ଲେଖାଏଁ ।  

ସେହିପରି ଚଳିତ ଆର୍ଥିକ ବର୍ଷରେ ପ୍ଲାଣ୍ଟେସନ ଏବଂ ମାଟି ସମତଳ ବାବଦରେ ୨୩ ଲକ୍ଷ ୬୬ ହଜାର ଟଙ୍କା ବ୍ୟୟଅଟକଳ କରାଯାଇଛି । ଏହି କାମକୁ ବି ୫ ଭାଗ କରାଯାଇଛି । ପ୍ରତି କାମ ଲାଗି ୪ ଲକ୍ଷ ୭୩ ହଜାର ୨୦୦ ଟଙ୍କା ଲେଖାଏଁ ରଖାଯାଇଛି । ବିଦ୍ୟୁତ, ପାଣିଯୋଗାଣ ଏବଂ ସିଭିଲ କାମ ଲାଗି ୨୬ ଲକ୍ଷ ୭ ହଜାର ୫୪୦ ଟଙ୍କା ବ୍ୟୟଅଟକଳ କରାଯାଇ ୮ ଭାଗ କରାଯାଇଛି । ଗୋଟିଏ ହେଲେ କାମ ୫ ଲକ୍ଷ ଟଙ୍କାରୁ ଅଧିକ ରଖାଯାଇନି । ଗତ ଆର୍ଥିକ ବର୍ଷରେ ଏସବୁ କାମ ଲାଗି ୨୪ ଲକ୍ଷ ୭୬ ହଜାର ୮୪୨ ଟଙ୍କା ଖର୍ଚ୍ଚ କରାଯାଇଥିଲା । ପ୍ରତି କାମ ୫ ଲକ୍ଷ ଟଙ୍କାରୁ କମ୍‌ ଥିବାରୁ ଖୋଲା ଟେଣ୍ଡର କରାଯାଇନଥିଲା । ନିର୍ଦ୍ଦିଷ୍ଟ ଜଣେ ଠିକାଦାରଙ୍କୁ କାମ ଦିଆଯାଇଥିଲା । ବିମାନବନ୍ଦର ସଫେଇ ଏବଂ ଅନ୍ୟାନ୍ୟ କେତେକ କାମ ଲାଗି କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା । ଗତବର୍ଷ ଏ ବାବଦରେ ୩୧ ଲକ୍ଷ ୧୭ ହଜାର ୮୭୩ ଟଙ୍କା ବ୍ୟୟଅଟକଳ କରାଯାଇଥିଲା । କୁଶଳୀ ଓ ଅଣକୁଶଳୀ ଶ୍ରମିକ ଯୋଗାଇବାକୁ ଖୋଲା ଟେଣ୍ଡର ଡକାଯାଇ ନଥିଲା । ବିମାନବନ୍ଦରରେ କାମ କରୁଥିବା ଜଣେ ଦୁଇଜଣ ଠିକାଦାରଙ୍କ ସମ୍ପର୍କୀୟଙ୍କୁ ଶ୍ରମିକ ଯୋଗାଇବା ଦାୟିତ୍ୱ ଦିଆଯାଇଥିଲା । ଚଳିତବର୍ଷ ଏହାକୁ ବୃଦ୍ଧି କରାଯାଇ ୫୪ ଲକ୍ଷ ୩୫ ହଜାର ୮୦୭ ଟଙ୍କା ରଖାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.