ନୂଆଦିଲ୍ଲୀ,୨୮।୧: ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣା ଘଟଣାର ସିସିଟିଭି ଫୁଟେଜ୍ ଦେଖିବାକୁ ମିଳିଛି। ସିସିଟିଭି ଫୁଟେଜରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ବିମାନଟି ଅବତରଣ ସମୟରେ ହଠାତ୍ ଭାରସାମ୍ୟ ହରାଇ ବସିଥିଲା। ଜୋରଦାର ବିସ୍ଫୋରଣ ଶବ୍ଦ ହେବା ସହିତ ତଳକୁ ଖସି ପଡିଥିଲା। ଏହାପରେ ତୁରନ୍ତ ନିଆଁ ଲାଗିଗଲା। ସିସିଟିଭି ଫୁଟେଜରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ, ଚାରିଆଡ଼େ ଧୂଆଁ ବ୍ୟାପି ଯାଇଥିଲା। ନିଆଁ ଏତେ ଜୋରଦାର ଥିଲା ଯେ ପାଖରେ ଥିବା ଲୋକମାନେ ମଧ୍ୟ କିଛି ସମୟ ପାଇଁ ପାଖକୁ ଯାଇପାରି ନଥିଲେ।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବିମାନରେ ଥିବା ଅଜିତ ପାୱାରଙ୍କ ମୃତଦେହକୁ ଚିହ୍ନଟ କରିବା କଷ୍ଟକର ହୋଇପଡୁଥିଲା। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବା ପରେ, ପୋଡ଼ିଯାଇଥିବା ଅବଶେଷ ଚିହ୍ନଟ କରିବା ଅତ୍ୟନ୍ତ କଷ୍ଟକର ଥିଲା। ଅଧିକାରୀମାନେ କହିଛନ୍ତି ଯେ ପୋଷାକ ଏବଂ ବ୍ୟକ୍ତିଗତ ଜିନିଷପତ୍ରରୁ ଚିହ୍ନଟ କରାଯାଇଥିଲା। ବିଶେଷ କରି ଅଜିତ ପାୱାର ଘଣ୍ଟାକୁ ଦେଖି ପରିବାର ଏବଂ ସୁରକ୍ଷା କର୍ମୀମାନେ ଚିହ୍ନଟ କରିଥିଲେ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ,କ୍ରାସ ପରେ ବିମାନ ଅତି କମ୍ରେ ୨୦ ମିନିଟ୍ ପର୍ଯ୍ୟନ୍ତ ଜଳିଥିଲା। ନିଆଁ ଏବଂ ଧୂଆଁ କାରଣରୁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଦମକଳ କର୍ମଚାରୀ ସ୍ଥିତିକୁ କାବୁରେ ଆଣିବା ପରେ ତଲାସୀ ଆରମ୍ଭ କରିଥିଲେ। ଦୁର୍ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB)ର ଏକ ଦଳ ତଦନ୍ତ ପାଇଁ ଦିଲ୍ଲୀରୁ ପୁନେ ଏବଂ ତା’ପରେ ବାରାମତି ଯାଇଛି। ଏହି ଦଳ ଦୁର୍ଘଟଣାର କାରଣ, ଯାନ୍ତ୍ରିକ ତ୍ରୁଟି ଏବଂ ମାନବୀୟ କାରଣଗୁଡ଼ିକର ତଦନ୍ତ କରିବ। ସିସି ଟିଭି ଫୁଟେଜ୍ ଏବଂ ବିମାନ ତଥ୍ୟ ମଧ୍ୟ ଯାଞ୍ଚ କରାଯାଉଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରି କହିଛନ୍ତି, ‘ଆମେ ରାଜ୍ୟରେ ତିନି ଦିନିଆ ଶୋକ ଘୋଷଣା କରିଛୁ।’ ସରକାର ପ୍ରଭାବିତ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାର ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।
ଆହୁରି ପଢନ୍ତୁ :ଅଜିତ ପାୱାରଙ୍କ ମୃତ୍ୟୁର ତଦନ୍ତ ସୁପ୍ରିମକୋର୍ଟଙ୍କ ତଦାରଖରେ ହେଉ, ମମତା କହିଲେ-କାହା ଉପରେ ବିଶ୍ୱାସ କରିହେବନି