ଭୁବନେଶ୍ୱର, ୨୯/୧୦ (ଅମନ ଆୟୁଷ୍ମାନ ଦାସ): ବନ୍ୟା ହେଉ କି ବାତ୍ୟା କିଛି ଚିନ୍ତା ନାହିଁ । ପାଣି ଭିତରେ ବି ସୁରକ୍ଷିତ ଭାବେ ରହିବ ଧାନଗଛ । ପାଣି କମିଲେ ପୁଣି ମୁଣ୍ଡ ଟେକିବ । ଏଭଳି ଏକ ପରିବର୍ତ୍ତିତ ଜଳବାୟୁ ସହଣି କିସମ ଉନ୍ନତ ମାନର ଧାନ ବିହନ ଖୁବଶୀଘ୍ର ବଜାରକୁ ଆସିବାକୁ ଯାଉଛି । ଭୁବନେଶ୍ୱରସ୍ଥିତ ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନ (ଇରି) ତଥା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ମିଳିତ ସହଯୋଗରେ ଏହି ଉନ୍ନତ ପ୍ରଜାତିର ବିହନକୁ ଉଦ୍ଭାବନ କରାଯାଇଛି । ଯାହାର ନାଁ ରଖାଯାଇଛି ଆକାଂକ୍ଷା । ଏପର୍ଯ୍ୟନ୍ତ ଏହି ଧାନକୁ ମାନ୍ୟତା ମିଳି ନଥିବାରୁ ଏହା ଚାଷୀଙ୍କ ପାଖରେ ପହଞ୍ଚି ପାରିନି । ପ୍ରତିବର୍ଷ ଅକ୍ଟୋବର ମାସରେ ଓଡ଼ିଶାକୁ ବାତ୍ୟା ଭୟ ଦେଖାଦିଏ । ପୁଣି ବର୍ଷା ପରେ ବନ୍ୟା ‘ବୋଝ ଉପରେ ନଳିତା ବିଡ଼ା’ ପରି ହୁଏ । ଚାଷୀର ସମସ୍ତ ପରିଶ୍ରମ ପାଣିରେ ଯାଏ । କେଉଁଠି ଧାନ ପଚିଯାଏ ତ କେଉଁଠି ବାଳୁଙ୍ଗା ହୋଇଯାଏ । ଏଭଳି ସ୍ଥିତିରେ ଇରି ଓ ଓୟୁଏଟିରେ ରହିଥିବା ଧାନ ଗବେଷକମାନେ ଖାଲୁଆ ଅଞ୍ଚଳ ପାଇଁ ଉନ୍ନତ ତଥା ଜଳବାୟୁ ସହନଶୀଳ ଧାନ ବିହନ ସୃଷ୍ଟି କରିବା ପାଇଁ ଲାଗି ପଡ଼ିଛନ୍ତି ।

ଓଡ଼ିଶାର ଧାନ ବୈଜ୍ଞାନିକ ଭାବେ ଜଣାଶୁଣା ଡ. ସତ୍ୟରଞ୍ଜନ ଦାସ ଏହି ଆକାଂକ୍ଷା ବିହନକୁ ଉଦ୍ଭାବନ କରିଛନ୍ତି । ତାଙ୍କ କହିବା ଅନୁସାରେ, ୨୦୧୨ରେ ସେ ଏହି ବିହନ ଉପରେ ପ୍ରଥମେ ଗବେଷଣା କରିଥିଲେ । ସେ ସମୟରେ ଓୟୁଏଟି ଓ ଇରିରୁ ତାଙ୍କୁ ପ୍ରୋତ୍ସାହନ ମିଳିଥିଲା । ଏକ ଖାଲୁଆ ଜମିରେ ସେ ବିହନକୁ ନେଇ ପରୀକ୍ଷା କରିଥିଲେ । ପରୀକ୍ଷାରୁ ଜଣାପଡ଼ିଲା, ୪୦ରୁ ୫୦ ସେଣ୍ଟିମିଟର ଉଚ୍ଚ ପାଣି ଜମିଲେ ବି ଭିତରେ ଗଛ ସୁରକ୍ଷିତ ରହୁଛି । ଦିନେ କି ଦୁଇଦିନ ନୁହେଁ ୧୫ରୁ ୨୦ଦିନ ପର୍ଯ୍ୟନ୍ତ ଏହା ପାଣି ଭିତରେ ସେମିତି ରହିବ । ପାଣି ସ୍ତର ହ୍ରାସ ପାଇଲେ ଗଛ ଉପରକୁ ବଢ଼ିଚାଲିବ । କେବଳ ସେତିକି ନୁହେଁ, ୧୩୫ ଦିନରେ ଧାନ ଅମଳ ହୋଇପାରିବ । ସଅଳ କିସମ ଏହି ଧାନ ଗଛର ଉଚ୍ଚତା ପ୍ରାୟ ୧୦୯ ସେଣ୍ଟିମିଟର ପର୍ଯ୍ୟନ୍ତ ରହିବ । ୧ ହେକ୍ଟର(ଅଢ଼େଇ ଏକର)ରେ ଏହି ଧାନ ଚାଷ କଲେ ୫୨.୫୬ କୁଇଣ୍ଟାଲ ଧାନ ଅମଳ ହୋଇପାରିବ । ସେଥିଲାଗି ଏହାର ନାମକରଣ ‘ଆକାଂକ୍ଷା’ କରାଯାଇଥିବା ସେ କହିଥିଲେ । ସବୁଠାରୁ ବଡ଼କଥା ହେଲା, ଏହି ଧାନରେ ରୋଗପୋକ ଲାଗିବନି ।

ପରୀକ୍ଷା ସଫଳ ହେବା ପରେ ଏହାକୁ ଅନୁମତି ପାଇଁ ଭାରତ ସରକାରଙ୍କୁ ଅନୁମତି ପାଇଁ ଆବେଦନ କରାଯାଇଥିଲା । ସର୍ବଭାରତୀୟ ସ୍ତରରେ ମଧ୍ୟ ୨୦୨୦, ୨୦୨୧ ଓ ୨୦୨୨ରେ ଏହାକୁ ପରୀକ୍ଷା କରାଯାଇଥିଲା । ୨୦୨୨ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାକୁ ଅନୁମତି ମିଳିସାରିଛି । କେବଳ ଓଡ଼ିଶାରେ ମାନ୍ୟତା ପାଇଁ ଅପେକ୍ଷା ରହିଛି । ଖୁବଶୀଘ୍ର ବିହନକୁ ରାଜ୍ୟସ୍ତରୀୟ କିସମ ଅନୁମୋଦନ କମିଟି ମାନ୍ୟତା ଦେବାକୁ ଯାଉଛି ବୋଲି ଡ. ଦାସ କହିଛନ୍ତି । ଏହା ସବୁ ପ୍ରକାର ମାଟିରେ ଚାଷ ହୋଇପାରିବ । ବିଶେଷ କରି ଖାଲୁଆ ଅଞ୍ଚଳରେ ଚାଷୀମାନେ ଆକାଂକ୍ଷା ଧାନ ଚାଷ କରିପାରିବେ ବୋଲି ଇରିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି, ଆକାଂକ୍ଷା ପୂର୍ବରୁ ବି ଅନେକ କିସମର ଉନ୍ନତମାନର ଧାନ ଚାଷ କରାଯାଉଛି । ସେଥିମଧ୍ୟରେ ମୃଣାଳିନୀ, ମହାନଦୀ, ପ୍ରତୀକ୍ଷା, ସ୍ୱର୍ଣ୍ଣ-ସବ୍‌-୧, ହଜାରେ୯-ସବ୍‌-୧ ଭଳି ଜଳବାୟୁ ସହନଶୀଳ ଧାନ ରହିଛି । ସେଥିମଧ୍ୟରୁ ମୃଣାଳିନୀ, ସ୍ୱର୍ଣ୍ଣ-ସବ୍‌-୧ ଭଳି ଧାନ ଏବେ ଉପକୂଳ ଓଡ଼ିଶାର ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାରେ ଚାଷ କରାଯାଉଛି ।