ନୂଆଦିଲ୍ଲୀ/କଟକ: ଦୀର୍ଘ ବର୍ଷର ଆଇନଗତ ପ୍ରକ୍ରିୟା ପରେ ଆଜି ଶେଷ ହୋଇଛି ଚାଞ୍ଚଲ୍ୟକର ଅବଦୁର ରେହମାନ ମାମଲା। ଆନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ 'ଅଲ୍ କାଏଦା' ସହ ସମ୍ପୃକ୍ତି ଅଭିଯୋଗରେ ଗିରଫ ହୋଇଥିବା ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନକୁ କୋର୍ଟ ଦୋଷମୁକ୍ତ କରିଛନ୍ତି । ବିଚାର ସମୟରେ ଅଭିଯୁକ୍ତ ବିରୋଧରେ ଦୃଢ଼ ପ୍ରମାଣ ଦାଖଲ କରିବାରେ ପ୍ରଶାସନ ବିଫଳ ହେବାରୁ କୋର୍ଟ ତାକୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୫ ଡିସେମ୍ବର ୧୬ ତାରିଖରେ କଟକ ଜଗତପୁରର ପଶ୍ଚିମକଚ୍ଛ ଅଞ୍ଚଳରୁ ଅବଦୁର ରେହମାନକୁ ଗିରଫ କରାଯାଇଥିଲା । ଦିଲ୍ଲୀ ପୁଲିସ କ୍ରାଇମବ୍ରାଞ୍ଚ ଏବଂ ଓଡ଼ିଶା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ମିଳିତ ଭାବେ ଚଢ଼ାଉ କରି ଓଡ଼ିଶା ମାଟିରୁ ତାକୁ ଟେକି ନେଇଥିଲେ ।
ଭାରତୀୟ ଉପମହାଦ୍ୱୀପରେ ସକ୍ରିୟ ଥିବା ଅଲ୍ କାଏଦାର ସହଯୋଗୀ ସଂଗଠନ AQIS (Al-Qaeda in the Indian Subcontinent) ସହ ତାର ସିଧାସଳଖ ସମ୍ପୃକ୍ତି ଥିବା ନେଇ ସେତେବେଳେ ସାରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଦୀର୍ଘ ବର୍ଷ ଧରି ଚାଲିଥିବା ଏହି ମାମଲାର ଶୁଣାଣି ସମୟରେ, ଅଭିଯୁକ୍ତ ବିରୋଧରେ ଆଣିଥିବା ଦେଶଦ୍ରୋହ ଓ ଆତଙ୍କବାଦୀ ସମ୍ପୃକ୍ତିର ସଠିକ୍ ପ୍ରମାଣ କୋର୍ଟରେ ଉପସ୍ଥାପନ କରିବାରେ ତଦନ୍ତକାରୀ ସଂସ୍ଥା ଓ ପ୍ରଶାସନ ଅସମର୍ଥ ହୋଇଥିଲେ । ଫଳରେ କୋର୍ଟ ଏହି ମାମଲାର ଅନ୍ତ ଘଟାଇ ଅବଦୁରକୁ ଖଲାସ କରିଛନ୍ତି ।