ନୂଆଦିଲ୍ଲୀ : ବେଙ୍ଗାଲୁରୁ ସ୍ଥିତ ଭାରତୀୟ ସ୍ପେସ୍-ଟେକ୍ ଷ୍ଟାର୍ଟଅପ୍ 'ଗାଲାକ୍ସଆଇ' (GalaxEye) ନିଜର ପ୍ରଥମ ଉପଗ୍ରହ 'ଦୃଷ୍ଟି' ମିଶନ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି। ଏହି ସାଟେଲାଇଟ୍କୁ ଆମେରିକାର ଘରୋଇ ମହାକାଶ କମ୍ପାନୀ 'ସ୍ପେସ୍ଏକ୍ସ'ର ଫାଲକନ୍ ୯ ରକେଟ୍ ସାହାଯ୍ୟରେ ମହାକାଶକୁ ପଠାଯିବ। କାଲିଫର୍ଣ୍ଣିଆସ୍ଥିତ ଭେଣ୍ଡେନବର୍ଗ ସ୍ପେସ୍ ଫୋର୍ସ ବେସ୍ରୁ ଏହି ପ୍ରକ୍ଷେପଣ କରାଯିବ। ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଘରୋଇ ମହାକାଶ କ୍ଷେତ୍ର ପାଇଁ ଏହି ମିଶନକୁ ଏକ ବଡ଼ ସଫଳତା ଭାବେ ବିଚାର କରାଯାଉଛି, କାରଣ ଏହା ଦେଶର ବୈଷୟିକ ଦକ୍ଷତାକୁ ବିଶ୍ୱ ଦରବାରରେ ଏକ ନୂତନ ପରିଚୟ ଦେବ।
'ଦୃଷ୍ଟି' ଉପଗ୍ରହର ସବୁଠାରୁ ବଡ଼ ବୈଶିଷ୍ଟ୍ୟ ହେଉଛି ଏହାର ଅତ୍ୟାଧୁନିକ ଅପ୍ଟୋ SAR ପ୍ରଯୁକ୍ତିବିଦ୍ୟା। ଏହି ଟେକ୍ନୋଲୋଜି ଅପ୍ଟିକାଲ୍ ଇମେଜିଙ୍ଗ ଏବଂ ସିନ୍ଥେଟିକ୍ ଆପର୍ଚର ରାଡାରର ଏକ ମିଶ୍ରଣ, ଯାହା ଫଳରେ ଏହି ଉପଗ୍ରହ ଦିନ-ରାତି ଏବଂ ଯେକୌଣସି ପାଣିପାଗରେ କାମ କରିବାକୁ ସକ୍ଷମ। ସାଧାରଣ ଉପଗ୍ରହଗୁଡ଼ିକ ମେଘୁଆ ପାଗ, ବର୍ଷା କିମ୍ବା ଅନ୍ଧାରରେ ସ୍ପଷ୍ଟ ଚିତ୍ର ନେଇପାରନ୍ତି ନାହିଁ, କିନ୍ତୁ 'ଦୃଷ୍ଟି' ଏହି ସମସ୍ତ ବାଧା ସତ୍ତ୍ୱେ ସଠିକ୍ ଏବଂ ସ୍ପଷ୍ଟ ଫଟୋ ଉତ୍ତୋଳନ କରିପାରିବ। ଏହାଦ୍ୱାରା ପୃଥିବୀ ପୃଷ୍ଠର ନିରନ୍ତର ନଜର ରଖିବା ସମ୍ଭବ ହେବ।
ପ୍ରାୟ ୧୯୦ କିଲୋଗ୍ରାମ ଓଜନର ଏହି ଉପଗ୍ରହ ଭାରତୀୟ ଘରୋଇ କ୍ଷେତ୍ର ଦ୍ୱାରା ବିକଶିତ ପ୍ରମୁଖ ଉପଗ୍ରହ ମଧ୍ୟରୁ ଅନ୍ୟତମ। ମହାକାଶରେ ହିଁ ତଥ୍ୟ (Data) ପ୍ରକ୍ରିୟାକରଣ କରିବା ପାଇଁ ଏଥିରେ ଏକ AI ଆଧାରିତ ସିଷ୍ଟମ୍ ଲଗାଯାଇଛି, ଯାହା ଶୀଘ୍ର ଉପଯୋଗୀ ସୂଚନା ପ୍ରସ୍ତୁତ କରିବ। ଏହି ପ୍ରଯୁକ୍ତିବିଦ୍ୟା କୃଷି, ବିପର୍ଯ୍ୟୟ ପରିଚାଳନା, ସହରୀ ଯୋଜନା, ସାମୁଦ୍ରିକ ନଜର ଏବଂ ପ୍ରତିରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବ୍ୟବହୃତ ହୋଇପାରିବ। ବିଶେଷ କରି ବିପର୍ଯ୍ୟୟ ସମୟରେ 'ରିଅଲ-ଟାଇମ୍ ଇମେଜିଙ୍ଗ' ସାହାଯ୍ୟରେ ଉଦ୍ଧାର କାର୍ଯ୍ୟରେ ଅନେକ ସହାୟତା ମିଳିବ।
ଏହି ମିଶନ ଭାରତର ବଢୁଥିବା ସ୍ପେସ୍ ଷ୍ଟାର୍ଟଅପ୍ ପଦକ୍ଷେପକୁ ଆହୁରି ମଜବୁତ କରିବ। 'ଦୃଷ୍ଟି'ର ସଫଳ ପ୍ରକ୍ଷେପଣ ପରେ 'ଗାଲାକ୍ସଆଇ' ଭବିଷ୍ୟତରେ ଏଭଳି ଅନେକ ଉପଗ୍ରହ ନିର୍ମାଣ କରିବାକୁ ଯୋଜନା କରୁଛି, ଯାହା ଦ୍ୱାରା ସମଗ୍ର ପୃଥିବୀ ଉପରେ ନିରନ୍ତର ନଜର ରଖାଯାଇ ପାରିବ। ଏହାଦ୍ୱାରା ଭାରତକୁ ରଣନୈତିକ ଏବଂ ଅର୍ଥନୈତିକ ଉଭୟ ଦୃଷ୍ଟିରୁ ଲାଭ ମିଳିବ ବୋଲି ଆଶା କରାଯାଉଛି। ଏହାସହ, ବିଶ୍ୱ ମହାକାଶ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦେଶ ଏକ ଶକ୍ତିଶାଳୀ ସ୍ଥାନ ହାସଲ କରିପାରିବ। ଏହି ମିଶନ ଭାରତର ପଡ଼ୋଶୀ ଦେଶ ପାକିସ୍ତାନ ଏବଂ ଚୀନର ମଧ୍ୟ ଚିନ୍ତା ବଢ଼ାଇବାକୁ ଯାଉଛି।
ଆହୁରି ମଧ୍ୟ ପଢନ୍ତୁ : ଇଞ୍ଜିନିୟରଙ୍କ ଚାକିରି ନେଇଗଲା AI , ରୋଜଗାର ପାଇଁ କଲେ ୱେଟର କାମ