ନୂଆଦିଲ୍ଲୀ,୧୬।୯: ଭାରତୀୟ କ୍ରିକେଟ ଦଳର ଜର୍ସି ପ୍ରାୟୋଜକ କିଏ ହେବ, ଏହାକୁ ନେଇ ଥିବା ସସପେନ୍ସ ଶେଷ ହୋଇଛି। ’ଆପୋଲୋ ଟାୟାର୍ସ’ ଏବେ ଆନୁଷ୍ଠାନିକ ଭାବରେ ଭାରତୀୟ କ୍ରିକେଟ ଦଳର ନୂତନ ‘ଜର୍ସି ସ୍ପନସର’ ବା ପ୍ରାୟୋଜକ ହୋଇଛି। ଏହି ବଡ଼ ଘୋଷଣା ସେହି ସମୟରେ ହୋଇଛି ଯେତେବେଳେ ବିସିସିଆଇ ଡ୍ରିମ ୧୧ ର ପ୍ରାୟୋଜକ ଚୁକ୍ତିକୁ ବାତିଲ କରିଥିଲା, କାରଣ ଭାରତ ସରକାରଙ୍କ ନିଷ୍ପତ୍ତି ପରେ ସମସ୍ତ ବେଟିଂ ଆପ୍ ଉପରେ କଟକଣା ଲଗାଯାଇଥିଲା।
‘ଆପୋଲୋ ଟାୟାର୍ସ’ ନିଲାମୀ ପ୍ରକ୍ରିୟାରେ ବାଜିମାତ୍ କରିଛି। ପ୍ରତ୍ୟେକ ମ୍ୟାଚ୍ ପାଇଁ ବିସିସିଆଇକୁ ୪.୫ କୋଟି ଟଙ୍କା ଅଫର କରିଛି, ପୂର୍ବରୁ ଡ୍ରିମ ୧୧ ପକ୍ଷରୁ ୪ କୋଟି ଦିଆଯାଉଥିଲା। ଏହି ନୂତନ ଚୁକ୍ତି ୨୦୨୭ ପର୍ଯ୍ୟନ୍ତ ଚାଲିବ।ନୂତନ ଚୁକ୍ତିନାମା ପରେ, ଆପୋଲୋ ଟାୟାର୍ସର ଲୋଗୋ ଏବେ ଭାରତୀୟ ଦଳର ଜର୍ସିରେ ଚମକିବ। ଶିଳ୍ପ ବିଶେଷଜ୍ଞଙ୍କ ମତରେ, ଏହି ପଦକ୍ଷେପ କେବଳ ଟିମ୍ ଇଣ୍ଡିଆକୁ ଭଲ ବ୍ରାଣ୍ଡ ସମର୍ଥନ ଦେବ ନାହିଁ, ବରଂ ଆପୋଲୋ ଟାଇର୍ସର ବ୍ରାଣ୍ଡ ମୂଲ୍ୟକୁ ଏକ ନୂତନ ସ୍ତରକୁ ନେଇଯିବ। ବର୍ତ୍ତମାନ ଭାରତୀୟ ପୁରୁଷ ଟିମ୍ ନିକଟରେ ଏସିଆ କପ୍ ପାଇଁ କୌଣସି ସ୍ପନସର ନାହିଁ। ସେଭଳି ମହିଳା ଟିମ୍ ବି ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ର ସିରିଜ୍ ବିନା ସ୍ପନସରରେ ଖେଳୁଛି।
ଟିମ୍ ଇଣ୍ଡିଆର ଜର୍ସି ସ୍ପନସରସିପ୍ ରେସରେ କାନଭା ଓ ଜେକେ ଟାୟାର ବି ଥିଲେ । ହେଲେ ଆପୋଲୋ ଟାୟାର ରେସରେ ଉଭୟଙ୍କୁ ପଛରେ ପକାଇ ସ୍ପନସର ହାସଲ କରି ନେଇଛନ୍ତି । ଏମାନଙ୍କ ବ୍ୟତୀତ ବିରଲା ଅପ୍ଟସ ପେଣ୍ଟସ୍ ମଧ୍ୟ ସ୍ପନସରସିପ ପାଇଁ ଆବେଦନ କରିଥିଲେ । ହେଲେ ଏହି ଦୁଇ କମ୍ପାନୀ ନିଲାମୀରେ ଭାଗ ନେଇ ନଥିଲେ । ସେପ୍ଟେମ୍ବର ୧୬ ରେ ଏହି ନିଲାମୀ କରାଯାଇଥିଲା । ସେପ୍ଟେମ୍ବର ୨ ତାରିଖରେ ବିସିସିଆଇ ନିଜ ପ୍ରେସ ରିଲିଜରେ କହିଥିଲା ଗେମିଂ, କ୍ରିପ୍ଟୋ ଓ ତମାଖୁ ସହ ଜଡିତ କମ୍ପାନୀ ସ୍ପନସରସିପ ପାଇଁ ଆବେଦନ କରିପାରିବେ ନାହିଁ । ଏମାନଙ୍କ ବ୍ୟତୀତ ବ୍ୟାଙ୍କିଂ, ଫାଇନାନସିଆଲ କମ୍ପାନୀ, ସ୍ପୋର୍ଟସୱେର୍ ବନାଉ ଥିବା କମ୍ପାନୀଙ୍କୁ ମଧ୍ୟ ବିସିସିଆଇ ସ୍ପନସରସିପ୍ ନିଲାମୀରୁ ଦୂରରେ ରଖିଥିଲା । ସେଭଳି କୋଲ୍ଡ ଡ୍ରିଙ୍କସ୍, ଫ୍ୟାନ୍, ମିକ୍ସର-ଗ୍ରାଇଣ୍ଡର, ତାଲା ଓ ଇନସ୍ୟୁରାନ୍ସ କମ୍ପାନୀକୁ ମଧ୍ୟ ନିଲାମୀ ପକ୍ରିୟାରୁ ବାଦ ଦିଆଯାଇଥିଲା।