ନୂଆଦିଲ୍ଲୀ, ୧।୬: ବିଶ୍ୱ ଟେକ୍ନୋଲୋଜି ଜଗତର ସବୁଠାରୁ ବଡ଼ ବ୍ରାଣ୍ଡ୍ 'ଆପଲ୍' ଏବେ ଆଇଫୋନ୍ ପରେ ଆଉ ଏକ କ୍ରାନ୍ତିକାରୀ ପ୍ରୋଡକ୍ଟ ବଜାରକୁ ଆଣିବା ପାଇଁ ଅଣ୍ଟା ଭିଡ଼ିଛି । ମେଟାଏବଂ ଗୁଗଲକୁ କଡ଼ା ଚ୍ୟାଲେଞ୍ଜ ଦେବା ପାଇଁ କମ୍ପାନୀ ତାର ସ୍ମାର୍ଟ ଚଷମା ବା 'Apple Smart Glasses' ଉପରେ ଦ୍ରୁତ ଗତିରେ କାମ କରୁଛି । ତେବେ ଲଞ୍ଚ୍ ହେବା ପୂର୍ବରୁ ହିଁ ଏହି ଆଧୁନିକ ଗ୍ୟାଜେଟ୍‌ର ଡିଜାଇନ୍, ଫିଚର୍ସ ଏବଂ ସମ୍ଭାବ୍ୟ ମୂଲ୍ୟକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଲିକ୍ ହୋଇଛି, ଯାହାକୁ ନେଇ ଟେକ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି ।

ଲଞ୍ଚିଂ ପାଇଁ କରିବାକୁ ପଡ଼ିବ ଅପେକ୍ଷା: ବଦଳିଲା ଟାଇମଲାଇନ୍

ରିପୋର୍ଟ ଅନୁଯାୟୀ, ଆପଲ୍‌ର ଏହି ସ୍ମାର୍ଟ ଚଷମା ପାଇଁ ଗ୍ରାହକଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ । ପୂର୍ବରୁ କମ୍ପାନୀ ଏହାକୁ ୨୦୨୭ ଆରମ୍ଭରେ ଲଞ୍ଚ୍ କରିବାକୁ ଯୋଜନା କରୁଥିଲା, ମାତ୍ର ଏହାର ଡେଭଲପମେଣ୍ଟ ଏବଂ ନୂତନ ପ୍ରଯୁକ୍ତିବିଦ୍ୟାର ସଂଯୋଜନାରେ ଅଧିକ ସମୟ ଲାଗୁଥିବାରୁ ଏବେ ଏହି ଟାଇମଲାଇନକୁ ଆଗକୁ ଘୁଞ୍ଚାଇ ଦିଆଯାଇଛି । ସାମ୍ନାକୁ ଆସିଥିବା ସେସ ହେଡ୍‌ଲାଇନ୍ ମୁତାବକ, କମ୍ପାନୀ ଏହାକୁ ୨୦୨୭ ମସିହା ଶେଷ ସୁଦ୍ଧା ବଜାରକୁ ଆଣିବାକୁ ପ୍ରସ୍ତୁତି ଚଳାଇଛି ।

କେମିତି ହେବ Apple Smart Glasses ର ଡିଜାଇନ୍ ?

ଆପଲ୍‌ର ଏହି ସ୍ମାର୍ଟ ଗ୍ଲାସେସ୍ ଅତ୍ୟନ୍ତ ଷ୍ଟାଇଲିସ୍ ଏବଂ ପ୍ରିମିୟମ୍ ଲୁକ୍ ସହ ଆସିବ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ:

କ୍ୟାମେରା ଓ ଫ୍ରେମ୍: ଏହି ଚଷମାରେ ଓଭାଲ୍-ସେପ୍ ବା ଅଣ୍ଡାକୃତିର କ୍ୟାମେରା ଲାଗିବ । କମ୍ପାନୀ ଏଥିପାଇଁ ନିଜେ ସ୍ୱତନ୍ତ୍ର ପ୍ଲାଷ୍ଟିକ୍ ଫ୍ରେମ୍ ପ୍ରସ୍ତୁତ କରୁଛି ।

ବିଭିନ୍ନ ଡିଜାଇନ୍‌ର ଟେଷ୍ଟିଂ: ପ୍ରଥମ ଜେନେରେସନ୍ ଚଷମା ପାଇଁ ଆପଲ୍ ବର୍ତ୍ତମାନ ୪ଟି ଭିନ୍ନ ଭିନ୍ନ ଡିଜାଇନ୍ ଉପରେ ପରୀକ୍ଷଣ କରୁଛି । ଏଥିରେ ବଡ଼ ରେକ୍ଟାଙ୍ଗୁଲାର୍ ଫ୍ରେମ୍, ପତଳା ରେକ୍ଟାଙ୍ଗୁଲାର୍ ଡିଜାଇନ୍, ବଡ଼ ସର୍କୁଲାର୍ ଫ୍ରେମ୍ ଏବଂ ଛୋଟ ସର୍କୁଲାର୍ ଫ୍ରେମ୍ ସାମିଲ ରହିଛି । ଏହି ଚଷମାଗୁଡ଼ିକ ଆଗାମୀ ଦିନରେ ଏକ ପ୍ରମୁଖ 'ହେଲ୍ଥ ଡିଭାଇସ୍' ଭାବେ ନିଜର ପରିଚୟ ସୃଷ୍ଟି କରିବ ବୋଲି କମ୍ପାନୀ ଆଶା ରଖିଛି । ଭବିଷ୍ୟତରେ ଏଥିରେ ଅଗମେଣ୍ଟେଡ୍ ରିଆଲିଟି (AR) ଟେକ୍ନୋଲୋଜି ଯୋଡ଼ାଯିବ, ଯାହା ମଣିଷର ଦେଖିବାର ଶୈଳୀକୁ ସମ୍ପୂର୍ଣ୍ଣ ବଦଳାଇ ଦେବ ।

ସିଇଓ ଟିମ୍ କୁକଙ୍କ 'ଫାଷ୍ଟ ପ୍ରାୟୋରିଟି':

ଆପଲ୍‌ର ମୁଖ୍ୟ ନିର୍ବାହୀ ଅଧିକାରୀ ଟିମ୍ କୁକଙ୍କ ପାଇଁ ଏହି ସ୍ମାର୍ଟ ଗ୍ଲାସେସ୍ ପ୍ରୋଜେକ୍ଟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବା ପ୍ରାଥମିକତା ସୂଚୀରେ ରହିଛି । କମ୍ପାନୀ ଏହି ସ୍ମାର୍ଟ ଚଷମାକୁ ଆପଲ୍‌ର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ 'ଆପଲ୍ ଇଣ୍ଟେଲିଜେନ୍ସ' ଏବଂ ଭଏସ୍ ଆସିଷ୍ଟାଣ୍ଟ 'ସିରି' ପାଇଁ ଏକ ନୂଆ ହାର୍ଡୱେର୍ ପ୍ଲାଟଫର୍ମ ଭାବେ ଗଢ଼ିତୋଳିବାକୁ ଚାହୁଁଛି । ଏହାଦ୍ୱାରା ଆଇୱେର୍ ବଜାରରେ ଆପଲ୍ ନିଜର ସ୍ଥିତି ମଜବୁତ କରିପାରିବ ।

କେଉଁ ସବୁ ଫିଚର୍ସ ମିଳିବ ଏବଂ ଏହାର ଦାମ୍ କେତେ ହେବ ?

ଆପଲ୍ ତାର ଫାଷ୍ଟ ଜେନେରେସନ୍ ସ୍ମାର୍ଟ ଚଷମାରେ ବହୁତ ହାଇ-ଫାଇ ଫିଚର୍ସ ବଦଳରେ କିଛି ଜରୁରୀ ଏବଂ ବେସିକ୍ ଫିଚର୍ସ ପ୍ରଦାନ କରିବ । ମୁଖ୍ୟ ଫିଚର୍ସ ଗୁଡ଼ିକ: ବିଲ୍ଟ-ଇନ୍ କ୍ୟାମେରା, ମାଇକ୍ରୋଫୋନ୍ ଏବଂ ସ୍ପିକର୍ । ସିରି ସହ ସହଜ କଥାବାର୍ତ୍ତା ଏବଂ କମାଣ୍ଡ ସୁବିଧା । ମ୍ୟୁଜିକ୍ ପ୍ଲେ-ବ୍ୟାକ୍ ଏବଂ ନୋଟିଫିକେସନ୍ ଆଲର୍ଟ । ରାସ୍ତାରେ ଚାଲି ଚାଲି ଯିବା ସମୟରେ ଟର୍ଣ୍ଣ-ବାଇ-ଟର୍ଣ୍ଣ ୱାକିଂ ଡିରେକ୍ସନ୍ । ସୂଚନାଯୋଗ୍ୟ ଯେ, ଏହାର ସେକେଣ୍ଡ ଜେନେରେସନ୍ ମଡେଲରେ ହିଁ କମ୍ପାନୀ ଡିସ୍‌ପ୍ଲେ ସିଷ୍ଟମ୍ ଦେଇପାରେ । ଆମେରିକା ବଜାରରେ ଏହି ସ୍ମାର୍ଟ ଗ୍ଲାସର ମୂଲ୍ୟ ୨୦୦ ରୁ ୫୦୦ ଡଲାର ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୧୭ ହଜାର ଟଙ୍କାରୁ ନେଇ ୫୧ ହଜାର ଟଙ୍କା ମଧ୍ୟରେ ରହିପାରେ । ତେବେ ଟ୍ୟାକ୍ସ ଏବଂ ଅନ୍ୟାନ୍ୟ ଶୁଳ୍କ କାରଣରୁ ଭାରତୀୟ ବଜାରରେ ଏହାର ଦାମ୍ ସାମାନ୍ୟ ଅଧିକ ରହିବାର ସମ୍ଭାବନା ଅଛି ।

ସ୍ମାର୍ଟ ଗ୍ଲାସେସ୍ ବଜାରରେ ବଢୁଛି କମ୍ପିଟିସନ୍:

ବର୍ତ୍ତମାନ ସ୍ମାର୍ଟ ଚଷମା ସେଗମେଣ୍ଟରେ 'ମେଟା' ନିଜର Ray-Ban ସ୍ମାର୍ଟ ଗ୍ଲାସେସ୍ ସହ ରାଜ୍ କରୁଛି । ଅନ୍ୟପଟେ ଗୁଗଲ୍ ମଧ୍ୟ ନିକଟରେ ନିଜର ଅଡିଓ ଗ୍ଲାସେସ୍ ବଜାରରେ ପ୍ରେଜେଣ୍ଟ କରିସାରିଛି । ଏଭଳି ସ୍ଥିତିରେ ଆପଲ୍, ସାମସଙ୍ଗ ଏବଂ ନଥିଂ ଭଳି ବଡ଼ ବଡ଼ କମ୍ପାନୀଗୁଡ଼ିକ ଏହି ବଜାରରେ ଏଣ୍ଟ୍ରି କରିବାକୁ ଯାଉଥିବାରୁ ଆଗାମୀ ଦିନରେ ପ୍ରତିଯୋଗିତା ବେଶ୍ ମାତ୍ରାରେ ବଢ଼ିବାକୁ ଯାଉଛି ।

ଆହୁରି ପଢ଼ନ୍ତୁ... Meta Subscription: ମେଟାର ବଡ଼ ଘୋଷଣା; ଏବେ ଟଙ୍କା ଦେଲେ ଚାଲିବ ଫେସବୁକ୍-ଇନଷ୍ଟା-ହ୍ୱାଟ୍ସଆପ୍; ଫ୍ରି ସେବା ଶେଷ !