ନୂଆଦିଲ୍ଲୀ, ୨୮।୫: ସୋସିଆଲ ମିଡିଆ ୟୁଜର୍ସଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏଣିକି ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟ୍ସଆପ୍ ବ୍ୟବହାର କରିବା ଆପଣଙ୍କ ପକେଟ୍ ଉପରେ ପ୍ରଭାବ ପକାଇପାରେ । ମେଟା କମ୍ପାନୀ ବିଶ୍ୱବ୍ୟାପୀ ଏହାର ସମସ୍ତ ୟୁଜର୍ସଙ୍କ ପାଇଁ ପେଡ୍ ସବସ୍କ୍ରିପସନ ପ୍ଲାନ୍ ଘୋଷଣା କରିଛି । ଏହି ଯୋଜନା ଅଧୀନରେ, ଯେଉଁ ୟୁଜର୍ସମାନେ ଟଙ୍କା ଦେଇ ପ୍ରିମିୟମ ପ୍ଲାନ୍ ନେବେ, ସେମାନଙ୍କୁ କିଛି ବିଶେଷ ଏବଂ ଆଡଭାନ୍ସ ଫିଚର୍ସର ଆକ୍ସେସ୍ ମିଳିବ । ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ଭଳି ମେଟା ମଧ୍ୟ ଏହି ପେଡ୍ ସେବା ଆରମ୍ଭ କରିଛି । ମେଟାର ପ୍ରଡକ୍ଟ ହେଡ୍ ନାଓମି ଗ୍ଲେଟ୍ ଏହି ସବସ୍କ୍ରିପସନ ପ୍ଲାନ ବିଷୟରେ ଆନୁଷ୍ଠାନିକ ଘୋଷଣା କରିଛନ୍ତି । ଏହି ପଦକ୍ଷେପରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ମେଟା ଏବେ କେବଳ ବିଜ୍ଞାପନ ଉପରେ ନିର୍ଭର ନକରି ରାଜସ୍ୱ ବୃଦ୍ଧି ପାଇଁ ଅନ୍ୟ ବିକଳ୍ପ ଆପଣାଉଛି ।

ଇନଷ୍ଟାଗ୍ରାମ, ଫେସବୁକ୍ ଏବଂ ହ୍ୱାଟ୍ସଆପ୍ 'ପ୍ଲସ୍':

ବୁଧବାର ମେଟା ପକ୍ଷରୁ କୁହାଯାଇଛି ଯେ, କମ୍ପାନୀ ତାର ସମସ୍ତ ତିନୋଟି ପ୍ରମୁଖ ଆପ୍ ପାଇଁ ପ୍ଲସ୍ ଭର୍ସନ ବଜାରକୁ ଆଣୁଛି । ଏହା ସହିତ ବ୍ୟବସାୟୀ, କ୍ରିଏଟର୍ସ ଏବଂ ମେଟା ଏଆଇ ୟୁଜର୍ସଙ୍କ ପାଇଁ ମଧ୍ୟ ନୂଆ ସବସ୍କ୍ରିପସନର ଟେଷ୍ଟିଂ ଆରମ୍ଭ ହୋଇଯାଇଛି । ସାଧାରଣ ୟୁଜର୍ସଙ୍କ ତୁଳନାରେ ଏହି ପ୍ଲସ୍ ୟୁଜର୍ସଙ୍କୁ ଅନେକ କଷ୍ଟମାଇଜ୍ କରିବା ଭଳି ସୁବିଧା ମିଳିବ ।

ଆସୁଛି 'Meta One' ସବସ୍କ୍ରିପସନ:

ଆଗାମୀ ଦିନରେ ମେଟା ଆହୁରି ଅନେକ ନୂଆ ସବସ୍କ୍ରିପସନ ଆଣିବାକୁ ଯାଉଛି । କ୍ରିଏଟର୍ସ ଏବଂ ବିଜନେସ୍ ପାଇଁ 'ପ୍ରଫେସନାଲ୍ ପ୍ଲାନ୍' ଏବଂ ସମସ୍ତ ୟୁଜର୍ସଙ୍କ ପାଇଁ AI ଫୋକସଡ୍ ପ୍ଲାନ୍ ଲଞ୍ଚ କରାଯିବ । ଏହି ସମସ୍ତ ନୂଆ ଟେଷ୍ଟିଂକୁ 'Meta One' ନାଁ ଦିଆଯାଇଛି ।

ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପ୍ଲସର ଖାସ୍ ଫିଚର୍ସ:

ଯେଉଁ ୟୁଜର୍ସମାନେ ଫେସବୁକ୍ ଏବଂ ଇନଷ୍ଟାଗ୍ରାମର ପ୍ଲସ୍ ସବସ୍କ୍ରିପସନ ନେବେ, ସେମାନଙ୍କୁ ଷ୍ଟୋରିଜ୍ ଏବଂ ପ୍ରୋଫାଇଲ୍ ପାଇଁ କିଛି ଚମତ୍କାର ଫିଚର୍ସ ମିଳିବ:

ଷ୍ଟୋରି କିଏ ଦେଖିଲା ସେ ସର୍ଚ୍ଚ ସୁବିଧା: ଆପଣଙ୍କ ଷ୍ଟୋରି ଭିଉଅର୍ ଲିଷ୍ଟରେ କିଏ କିଏ ଅଛନ୍ତି, ତାହା ଆପଣ ସର୍ଚ୍ଚ କରି ଖୋଜିପାରିବେ ।

ଷ୍ଟୋରି ରି-ଭ୍ୟୁ: ଆପଣଙ୍କ ଷ୍ଟୋରିକୁ ମୋଟ୍ କେତେ ଜଣ ଲୋକ ଦ୍ୱିତୀୟ ଥର ଦେଖିଛନ୍ତି, ତାହା ଜାଣିହେବ ।

ଅନଲିମିଟେଡ୍ ଅଡିଏନ୍ସ ଲିଷ୍ଟ: "କ୍ଲୋଜ୍ ଫ୍ରେଣ୍ଡ୍ସ" ଅପ୍ସନ ସହିତ ଅସୀମିତ ଅଡିଏନ୍ସ ଲିଷ୍ଟ ତିଆରି କରିବାର ସୁବିଧା ମିଳିବ ।

ଷ୍ଟୋରି ସ୍ପଟ୍ଲାଇଟ୍: ଅଧିକ ଭ୍ୟୁଜ୍ ପାଇବା ପାଇଁ ସପ୍ତାହରେ ଥରେ ଯେକୌଣସି ଷ୍ଟୋରିକୁ ସ୍ପଟ୍ଲାଇଟ୍ କରାଯାଇପାରିବ ।

୨୪ ଘଣ୍ଟାରୁ ଅଧିକ ସମୟ: ଷ୍ଟୋରିକୁ ୨୪ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ପ୍ରୋଫାଇଲରେ ରଖାଯାଇପାରିବ ।

ଅଜ୍ଞାତ ଭାବେ ଷ୍ଟୋରି ପ୍ରିଭ୍ୟୁ: ନିଜ ନାଁ ଭ୍ୟୁଅର୍ ଲିଷ୍ଟରେ ନଆସି ମଧ୍ୟ ଆପଣ ଅନ୍ୟ କାହାର ଷ୍ଟୋରି ପ୍ରିଭ୍ୟୁ ଦେଖିପାରିବେ ।

ଡିଜାଇନ୍ ଓ କଷ୍ଟମାଇଜେସନ: ଷ୍ଟୋରି ପାଇଁ ସୁପର ହାର୍ଟ ଆନିମେଟେଡ୍ ରିଆକ୍ସନ, କଷ୍ଟମ୍ ଆପ୍ ଆଇକନ୍, ପ୍ରୋଫାଇଲ୍ ବାୟୋ ପାଇଁ ଷ୍ଟାଇଲିସ୍ ଫଣ୍ଟ ଏବଂ ପ୍ରୋଫାଇଲ୍ ପାଇଁ ଏକ୍ସଟ୍ରା ପିନ୍ ମିଳିବ ।

ସିକ୍ରେଟ୍ ପୋଷ୍ଟ ଓ ହାଇଲାଇଟ୍: ୟୁଜର୍ସ ନିଜ ଫଲୋଅର୍ସଙ୍କ ଫିଡ୍ରେ ନ ଦେଖାଇ ସିଧାସଳଖ ପ୍ରୋଫାଇଲରେ ପୋଷ୍ଟ କରିପାରିବେ ଏବଂ ତାକୁ ହାଇଲାଇଟ୍ ମଧ୍ୟ କରିପାରିବେ ।

ହ୍ୱାଟ୍ସଆପ୍ ପ୍ଲସ୍‌ରେ କ’ଣ ରହିଛି ସ୍ପେଶାଲ ?

ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପ୍ଲସର ଫିଚର୍ସ ପ୍ରାୟ ସମାନ ଥିବାବେଳେ, ହ୍ୱାଟ୍ସଆପ୍ ପ୍ଲସ୍ ୟୁଜର୍ସଙ୍କୁ କିଛି ଅଲଗା ସୁବିଧା ମିଳିବ । ଏଥିରେ ଆକର୍ଷଣୀୟ ଆପ୍ ଥିମ୍ସ, କଷ୍ଟମ୍ ରିଙ୍ଗଟୋନ୍ସ, ଅଧିକ ଚାଟ୍ ପିନ୍ କରିବାର ସୁବିଧା, ଲିଷ୍ଟ କଷ୍ଟମାଇଜେସନ, ପ୍ରିମିୟମ ଷ୍ଟିକର୍ସ ଭଳି ଅନେକ ଫିଚର୍ସ ସାମିଲ ରହିଛି ।

Meta AIସବସ୍କ୍ରିପସନ ପ୍ଲାନ୍:

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI ୟୁଜର୍ସଙ୍କ ପାଇଁ ମେଟା ଦୁଇଟି ପୃଥକ ପ୍ଲାନ୍ ଟେଷ୍ଟ କରୁଛି:

Meta One Plus: ଏହାର ମୂଲ୍ୟ ପ୍ରତି ମାସକୁ ୭.୯୯ଡଲାର ରହିବ ।

Meta One Premium: ଏହାର ମୂଲ୍ୟ ପ୍ରତି ମାସକୁ ୧୯.୯୯ ଡଲାର ରହିବ ।

ଉଭୟ ପ୍ଲାନରେ ଫିଚର୍ସ ସମାନ ରହିବ, କିନ୍ତୁ ପ୍ରିମିୟମ ପ୍ଲାନରେ କ୍ୱେରୀଗୁଡ଼ିକ ପାଇଁ ଅଧିକ କମ୍ପ୍ୟୁଟିଂ କାପାସିଟି ମିଳିବ । ଏହି ସବସ୍କ୍ରିପସନ ନେବା ଦ୍ୱାରା ୟୁଜର୍ସ ପ୍ରୋଫାଇଲ୍ କଷ୍ଟମାଇଜେସନ, ସୁପର ରିଆକ୍ସନ ଏବଂ ଷ୍ଟୋରି ଇନସାଇଟ୍ସ ଭଳି ସମସ୍ତ ପ୍ରିମିୟମ ସେବାର ଲାଭ ଉଠାଇପାରିବେ । ମେଟାର ଏହି ନୂଆ ନିଷ୍ପତ୍ତି ଆଗାମୀ ଦିନରେ ସୋସିଆଲ ମିଡିଆ ବ୍ୟବହାରର ଶୈଳୀକୁ ସମ୍ପୂର୍ଣ୍ଣ ବଦଳାଇ ଦେବ ବୋଲି ଆଶା କରାଯାଉଛି ।

ଆହୁରି ପଢ଼ନ୍ତୁ... Share Market Report: ପୁଣି ଥରେ HDFC ବ୍ୟାଙ୍କର ୩୦,୦୦୦ କୋଟି ଟଙ୍କା ସ୍ବାହା!