ମୁମ୍ବାଇ, ୨୭।୭ : ମନସୁନ୍ ସମୟରେ ଆରବ ସାଗର ମୁମ୍ବାଇବାସୀଙ୍କୁ ପ୍ରାୟ ୨୫୦୦ ମେଟ୍ରିକ୍ ଟନ୍ ଆବର୍ଜନା ଫେରାଇ ଦେଇଛି । ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ (BMC) ର ତଥ୍ୟ ଅନୁଯାୟୀ, ଖାଲି ନାଳ ଓ ଗଟରରେ ଲୋକଙ୍କ ଦ୍ୱାରା ପକାଯାଇଥିବା ଆବର୍ଜନା ବର୍ଷାଜଳ ନିଷ୍କାସନ ଡ୍ରେନ୍ ଜରିଆରେ ସମୁଦ୍ର ଭିତରକୁ ଯାଇଥିଲା । ପ୍ରବଳ ବର୍ଷା ପରେ ଆରବ ସାଗରର ଉଚ୍ଚ ଲହରୀ ଏହି ସବୁ କୁଟା-କଚରାକୁ ପୁଣି କୂଳକୁ ଫିଙ୍ଗି ଦେଇଛି । ବିଏମ୍ସିର ରିପୋର୍ଟ ମୁତାବକ, ଉଚ୍ଚ ଲହରୀ ଏହି ଭାସମାନ ଆବର୍ଜନାକୁ କୂଳକୁ ଠେଲି ଆଣିଛି ।
ଏହି ବର୍ଷାଋତୁରେ ବିଭିନ୍ନ ବେଳାଭୂମିରୁ ଉତ୍ତୋଳନ ହୋଇଥିବା ଆବର୍ଜନାର ତାଲିକା ରହିଛି । ଜୁହୁ ଚୈପାଟି ବେଳାଭୂମିରେ ୧, ୮୨୪ ମେଟ୍ରିକ୍ ଟନ୍, ଭର୍ସୋଭା ଚୌପାଟିରେ ୨୭୭.୬, ଦାଦର ମାହିମ ଚୌପାଟିରେ ୧୫୨, ଚିମ୍ୱାଇରେ ୧୨୭.୨, ମଧ ମାର୍ଭେରେ ୪୪.୨୪, ଗୋରାଇରେ ୩୮.୮୨, ଗିରଗାଓଁ ଚୌପାଟିରେ ୩୩.୬୬ ମେଟ୍ରିକ୍ ଟନ୍ ଆବର୍ଜନା ବାହାରିଛି । ଏହି ଆବର୍ଜନାଗୁଡ଼ିକ ମଧ୍ୟରେ ମୁଖ୍ୟତଃ ପ୍ଲାଷ୍ଟିକ, ଥର୍ମୋକୋଲ, କପଡ଼ା, କାଠ ଏବଂ ଘରୋଇ ବର୍ଜ୍ୟବସ୍ତୁ ସାମିଲ ରହିଛି । ମୁମ୍ବାଇର ସମୁଦ୍ର ତଟରେ ଜମା ହେଉଥିବା ଏହି ଅଳିଆଆବର୍ଜନା ସମୁଦ୍ର ପ୍ରଦୂଷଣର ଏକ ଭୟବହ ସ୍ଥିତିକୁ ସାମ୍ନାକୁ ଆଣିଛି ।
ଏହା ବି ପଢ଼ନ୍ତୁ... Dharmendra Pradhan: ଇସ୍ତଫା ପରେ ପ୍ରଥମ ଥର ସଂସଦରେ ଧର୍ମେନ୍ଦ୍ର ପ୍ରଧାନ, NDA ସାଂସଦଙ୍କ ଜୋରଦାର ସ୍ୱାଗତ
ବିଏମ୍ସିର ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ବାନ୍ଦ୍ରା ଏବଂ ଭର୍ସୋଭାର ସମୁଦ୍ର ଜଳରେ ବାୟୋକେମିକାଲ୍ ଅକ୍ସିଜେନ୍ ଡିମାଣ୍ଡ (BOD) ପ୍ରାୟ ୧୦୦ ମିଗ୍ରା/ଲିଟର ଏବଂ ଜୁହୁରେ ୫୦ ମିଗ୍ରା/ଲିଟର ରେକର୍ଡ କରାଯାଇଛି । କିନ୍ତୁ ଏହାର ନିର୍ଦ୍ଧାରିତ ସୀମା କେବଳ ୧୦ ମିଗ୍ରା/ଲିଟର । ପାଣିରେ ଅଧିକ BOD ରହିବା ମାନେ ସେଥିରେ ଜୈବିକ ପ୍ରଦୂଷଣ ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇଛି । 'ଦି ଓସନ୍ କ୍ଲିନଅପ୍' ସଂସ୍ଥାର ସୂଚନା ଅନୁଯାୟୀ, ମୁମ୍ବାଇର ପ୍ରାୟ ୫୦ଟି ନାଳ ଦେଇ ପ୍ରତିବର୍ଷ ୫,୦୦୦ ମେଟ୍ରିକ୍ ଟନ୍ ପ୍ଲାଷ୍ଟିକ ସିଧାସଳଖ ଆରବ ସାଗରରେ ପ୍ରବେଶ କରୁଛି । ଏହାର ସିଧାସଳଖ ପ୍ରଭାବ ବେଳାଭୂମିର ସୌନ୍ଦର୍ଯ୍ୟ ସହିତ ମ୍ୟାଙ୍ଗ୍ରୋଭ୍ ବଣ ଏବଂ ଅନେକ ସଂରକ୍ଷିତ ସାମୁଦ୍ରିକ ଜୀବଜନ୍ତୁଙ୍କ ଜୀବନ ପ୍ରତି ଏକ ବିରାଟ ବିପଦ ସୃଷ୍ଟି କରୁଛି ।