ନୂଆଦିଲ୍ଲୀ, ୧୭/୦୯: କର୍ଣ୍ଣାଟକର ବିଜୟପୁରାରେ ତିନି ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଦେଶୀ ବନ୍ଧୁକ ଏବଂ ଛୁରୀ ଦେଖାଇ SBI ବ୍ୟାଙ୍କରୁ ଲୁଟ୍ କରିଥିବା ଅଭିଯୋଗ ହୋଇଛି । ସେମାନେ ବ୍ୟାଙ୍କ୍ କର୍ମଚାରୀମାନଙ୍କୁ ବାନ୍ଧି ୨୦ କୋଟିରୁ ଅଧିକ ନଗଦ ଟଙ୍କା ଏବଂ ସୁନା ଅଳଙ୍କାର ଲୁଟି ନେଇଛନ୍ତି ବୋଲି ପୁଲିସ ବୁଧବାର ସୂଚନା ଦେଇଛି । ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ସମୟରେ ବିଜୟପୁରା ଜିଲ୍ଲାର ଚାଡଚନ ସହରରେ ଥିବା ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖାରେ ଏହି ଘଟଣା ଘଟିଥିଲା। ବ୍ୟାଙ୍କ୍ ଅଧିକାରୀଙ୍କ ଆକଳନ ଅନୁଯାୟୀ, ଡକାୟତମାନେ ମୋଟ୍ ୨୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ନଗଦ ଏବଂ ସୁନା ଅଳଙ୍କାର ନେଇଯାଇଛନ୍ତି।

ପୁଲିସର ସୂଚନା ଅନୁଯାୟୀ, ତିନି ଜଣ ମୁଖାପିନ୍ଧା ଦୁର୍ବୃତ୍ତ କରେଣ୍ଟ ଆକାଉଣ୍ଟ ଖୋଲିବା ବାହାନାରେ ବ୍ୟାଙ୍କରେ ପ୍ରବେଶ କରିଥିଲେ ମ୍ୟାନେଜର, କ୍ୟାସିୟର ଏବଂ ଅନ୍ୟ କର୍ମଚାରୀଙ୍କୁ ବନ୍ଧୁକ ଛୁରୀ ଦେଖାଇ ଧମକ ଦେଇଥିଲେ ପରେ କର୍ମଚାରୀଙ୍କ ହାତ ଗୋଡ଼ ବାନ୍ଧି ଲୁଟ୍ କରିଥିଲେ । ଏଫଆଇଆରରେ ଉଲ୍ଲେଖ ଅଛି ଯେ, ସେମାନେ ୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ନଗଦ ଏବଂ ପ୍ରାୟ ୨୦ କୋଟି ଟଙ୍କାର ପ୍ରାୟ ୨୦ କିଲୋ ସୁନା ଅଳଙ୍କାର ଲୁଟି ନେଇଛନ୍ତି

ପୁଲିସ କହିଛି ଯେ, ବ୍ୟାଙ୍କ ମ୍ୟାନେଜରଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରାଯାଇଛି ଏବଂ ସନ୍ଦିଗ୍ଧଙ୍କୁ ଧରିବା ପାଇଁ ଟିମ୍ ଗଠନ କରାଯାଇଛି। ବିଜୟପୁରା ପୁଲିସ ଅଧିକ୍ଷକ ଲକ୍ଷ୍ମଣ ନିଂବର୍ଗୀ ପ୍ରାଥମିକ ତଦନ୍ତ କରି କହିଛନ୍ତି ଯେ, ସନ୍ଦିଗ୍ଧମାନେ ନକଲି  ପ୍ଲେଟ୍ ଥିବା ଏକ ଗାଡ଼ି ବ୍ୟବହାର କରିଥିଲେ। ଅପରାଧ କରିବା ପରେ ସେମାନେ ମହାରାଷ୍ଟ୍ରର ପନ୍ଧରପୁର ଅଭିମୁଖେ ଯାଇଥିଲେ। "ଅଧିକ ତଦନ୍ତ ଚାଲିଛି ଏବଂ ସନ୍ଦିଗ୍ଧଙ୍କୁ ଧରିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରାଯାଉଛି," ବୋଲି ସେ କହିଛନ୍ତି।