ଭୁବନେଶ୍ୱର,୨୦/୦୩: କଟକ ବଡ଼ ମେଡିକାଲ (ଏସ୍‌ସିବି) ଅଗ୍ନିକାଣ୍ଡ ତାତି ଥମୁନି । ଏ ପ୍ରସଙ୍ଗ ନେଇ ୪ ଦିନ ହେବ ବିଧାନସଭାରେ ହଙ୍ଗାମା ଜାରି ରଖିଛନ୍ତି ବିରୋଧୀ ଦଳ । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ବିଜେଡି ଓ କଂଗ୍ରେସ ବିଧାୟକ । କିନ୍ତୁ ସରକାର ତାକୁ ଘଣ୍ଟ ଘୋଡାଉଛନ୍ତି । ଫଳରେ ଚାଲିପାରୁନି ବିଧାନସଭା। ଏହାରି ଭିତରେ ଏସ୍‌ସିବି ବଡ଼ ମେଡ଼ିକାଲକୁ ନେଇ ବିସ୍ଫୋରକ ବୟାନ ଦେଲେ ବିଜେଡ଼ି ବିଧାୟକ ଅରୁଣ ସାହୁ । ଭାରପ୍ରାପ୍ତ ଅଧିକାରୀ ଗୌତମ ଶତପଥୀ ଓ ଅତିରିକ୍ତ ଅଧିକ୍ଷକ ପ୍ରଫେସର ଜ୍ୟୋତିର୍ମୟୀ ନାୟକ ନିଯୁକ୍ତ ପ୍ରକିୟାକୁ ନେଇ ସରକାରଙ୍କୁ ପ୍ରଶ୍ନ କରଛି। ଅଧିକ୍ଷକ ଓ ଅତିରିକ୍ତ ଅଧିକ୍ଷକଙ୍କ ଯୋଗ୍ୟତା ନଥାଇ କିପରି ନିଯୁକ୍ତି ପାଇଲେ ? ଏ ଅସଙ୍ଗତି କାହିଁକି ?  ମୁଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି ଅରୁଣ ଦାବି କରିଛନ୍ତି ।

​​​​​​​

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମେଡିକାଲ ଜାତୀୟ କମିଶନଙ୍କ ଗାଇଡଲାଇନ ଅନୁଯାୟୀ କୌଣସି ସ୍ଥାନରେ ଭାରପ୍ରାପ୍ତ ଅଧିକ୍ଷକ ରହିପାରିବେ ନାହିଁ । ଯିଏ ଅଧିକ୍ଷକ ହେବେ ତାଙ୍କର ୫ ବର୍ଷର ଫ୍ରଫେସର ଭାବେ ଅଭିଜ୍ଞତା ଥିବ। କିନ୍ତୁ ବର୍ତ୍ତମାନ ଯିଏ ଭାରପ୍ରାପ୍ତ ଅଧିକ୍ଷକ ଅଛନ୍ତି ଗୌତମ ଶତପଥୀ ସିଏ ଅତୀତରେ ନବୀନ ସରକାରରେ ବ୍ୟକ୍ତିଗତ ଅଭ୍ୟାସ ପାଇଁ ନିଲମ୍ବିତ ହୋଇଥିଲେ। ତାଙ୍କର କୌଣସି ପ୍ରକାର ଅଭିଜ୍ଞତା ନାହିଁ।  ମାତ୍ର ଦେଢ ବର୍ଷର ପ୍ରଫେସର ଅଭିଜ୍ଞତା ଅଛି । ତାଙ୍କୁ କେମିତି ସୁପରିଟେଣ୍ଡେଣ୍ଟ୍ ପଦବୀ ମିଳିବା ବୋଲି ପ୍ରଶ୍ନ କରିଛନ୍ତି ଅରୁଣ ।

ସେହିଭଳି ଆହୁର ଅନେକ ତଥ୍ୟ ସାମ୍ନାକୁ ଆଣିଛନ୍ତି ଅରୁଣ । ଅଧିକ୍ଷକ ଗୌତମ ଶତପଥୀ ବହୁ ଜୁନିୟର। ୬୦ଜଣ ସିନିୟରଙ୍କୁ ପଛକୁ ଠେଲି ତାଙ୍କୁ ନିଯୁକ୍ତ କରାଯାଇଛି। ଏ ସରକାର ନିଯୁକ୍ତିରେ ଘୋଟାଲା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଫାଇଲ ଯାଇଥିଲା ଫୁଲ ଟାଇମ୍ ଅଧିକ୍ଷକ ନିଯୁକ୍ତି ପାଇଁ କିନ୍ତୁ ସେ କହିଥିଲେ ଗୌତମ ଶତପଥୀଙ୍କୁ ଭାରପ୍ରାପ୍ତ ଅଧିକ୍ଷକ ନିଯୁକ୍ତ କରିବା । ମାତ୍ର କୌଣସି ମେଡିକାଲ କଲେଜ ଓ ହସ୍ପିଟାଲରେ ଫୁଲ୍ ଟାଇମ୍ ବ୍ୟତୀତ ଭାରାପ୍ରାପ୍ତ ଅଧିକ୍ଷକ ରହିବାର ନିୟମ ନାହିଁ ।

ସେହିଭଳି ଅତିରିକ୍ତ ଅଧିକ୍ଷକ ପ୍ରଫେସର ଜ୍ୟୋତିର୍ମୟୀ ନାୟକ ମଧ୍ୟ ସର୍ତ୍ତ ପୂରଣ କରୁନାହାନ୍ତି। ସୂଚନା ଅଛି ଯେ ସେ  ଓପିଡ଼ି ବ୍ଲକର ରୁମ୍ ନମ୍ବର ୧୦ରେ ସାମାଜିକ ସଂସ୍ଥା ନାଁରେ ଆର୍‌ଏସ୍‌ଏସ୍ ଅଫିସ ଖୋଲାଯାଇଛି। ପ୍ରତିଦିନ ସେଠାର ଆର୍‌ଏସ୍‌ଏସ୍ କ୍ୟାମ୍ପ ଲାଗୁଛି।  ଅଧିକ୍ଷକ ଓ ଅତିରିକ୍ତ ଅଧିକ୍ଷକଙ୍କ ଯୋଗ୍ୟତା ନଥାଇ କିପରି ନିଯୁକ୍ତି ପାଇଲେ ? ଏ ଅସଙ୍ଗତି କାହିଁକି ?  ମୁଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ। ଅଧିକ୍ଷକଙ୍କୁ ଗିରଫ କରାଯାଉ ନଚେତ୍ ଆନ୍ଦୋଳନ ଜାରି ରହିବ ବୋଲି ଅରୁଣ ଚେତାବନୀ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ-AI ଶିକ୍ଷାକୁ ମିଳିବ ଉଡାଣ, କଲେଜରେ ଆରମ୍ଭ ହେବ 'AI for ALL' ପାଠ୍ୟକ୍ରମ​​​​​​​