ନୂଆଦିଲ୍ଲୀ: ଆପର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୋସିଆଲ ମିଡିଆ ପୋଷ୍ଟରେ, ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ସେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହେବାକୁ ଇଛୁକ । ଏହା ଉପରେ କେଜରିୱାଲ ପ୍ରଶ୍ନ କରିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ କି ପ୍ରକାରର ଆଲୋଚନା ଚାଲିଛି ? କେବଳ ଏକପାଖିଆ ଆଲୋଚନା ?

ଅରବିନ୍ଦ କେଜରିୱାଲ ପୋଷ୍ଟରେ କହିଛନ୍ତି, "ଟ୍ରମ୍ଫଙ୍କୁ ଖୁସି କରିବା ପାଇଁ, ସାରା ଦେଶର କପା ଚାଷୀମାନଙ୍କୁ ବାଜିରେ ଲଗାଯାଇଛି। ଆମର ଚାଷୀ, ବ୍ୟବସାୟୀ ଏବଂ ଯୁବକଙ୍କ ନିଯୁକ୍ତିକୁ ବାଜିରେ ରଖି, ଭାରତୀୟ ବଜାରକୁ ଆମେରିକୀୟ ମାନଙ୍କ ପାଇଁ ସମ୍ପୂର୍ଣ୍ଣ ଖୋଲାଯାଉଛି। ଯଦି ସମଗ୍ର ଭାରତୀୟ ବଜାର ଆମେରିକୀୟ ମାନଙ୍କ ଦ୍ୱାରା କବଜା କରାଯାଏ, ତେବେ ଆମର ଲୋକମାନେ କୁଆଡ଼େ ଯିବେ ? ଟ୍ରମ୍ପଙ୍କ ସମ୍ମୁଖରେ ଏପରି ଆତ୍ମସମର୍ପଣ କେବଳ ଭାରତୀୟ ଅର୍ଥନୀତି ପାଇଁ ଘାତକ ନୁହେଁ ବରଂ ୧୪୦ କୋଟି ଭାରତୀୟଙ୍କ ପାଇଁ ଅପମାନ। ଦେଶ ଆଶା କରୁଛି ଯେ, ପ୍ରଧାନମନ୍ତ୍ରୀ ଦୁର୍ବଳ ହେବେ ନାହିଁ ଏବଂ ଦେଶର ସମ୍ମାନକୁ ରକ୍ଷା କରିବେ।"

ଆମେରିକା ରାଷ୍ଟ୍ରପତି ଏକ ପୋଷ୍ଟରେ ଲେଖିଛନ୍ତି କି, "ମୁଁ ଖୁସିର ସହିତ ଘୋଷଣା କରୁଛି ଯେ ଭାରତ ଏବଂ ଆମେରିକା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ପ୍ରତିବନ୍ଧକ ଦୂର କରିବା ପାଇଁ ଆଲୋଚନା ଜାରି ରଖିଛନ୍ତି। ମୁଁ ଆଗାମୀ ସପ୍ତାହ ଗୁଡ଼ିକରେ ମୋର ବହୁତ ଭଲ ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା କରିବାକୁ ଅପେକ୍ଷା କରିଛି। ମୁଁ ନିଶ୍ଚିତ ଯେ ଆମର ଉଭୟ ମହାନ ଦେଶ ପାଇଁ ଏକ ସଫଳ ନିଷ୍କର୍ଷରେ ପହଞ୍ଚିବାରେ କୌଣସି ଅସୁବିଧା ହେବ ନାହିଁ!"

ଟ୍ରମ୍ପ୍ ଙ୍କ ପୋଷ୍ଟ ଉପରେ, ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଭାରତ ଏବଂ ଆମେରିକା ଘନିଷ୍ଠ ବନ୍ଧୁ ଏବଂ ସ୍ୱାଭାବିକ ଅଂଶୀଦାର। ମୁଁ ନିଶ୍ଚିତ ଯେ ଆମର ବାଣିଜ୍ୟ ଆଲୋଚନା ଭାରତ-ଆମେରିକା ସହଭାଗୀତାର ଅପାର ସମ୍ଭାବନାକୁ ଖୋଲିବା ପାଇଁ ପଥ ପ୍ରଶସ୍ତ କରିବ। ଆମର ଦଳ ଗୁଡ଼ିକ ଏହି ଆଲୋଚନା ଗୁଡ଼ିକୁ ଯଥାଶୀଘ୍ର ସମାପ୍ତ କରିବାକୁ କାମ କରୁଛନ୍ତି। ମୁଁ ମଧ୍ୟ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥାବାର୍ତ୍ତା କରିବାକୁ ଅପେକ୍ଷା କରିଛି।