ମୁମ୍ୱାଇ : ବଲିଉଡ୍ ଅଭିନେତ୍ରୀ ମହିମା ଚୌଧୁରୀ ଅଭିନେତା ସଞ୍ଜୟ ମିଶ୍ରାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଉଭୟ ସେମାନଙ୍କର ବିବାହକୁ ନେଇ ଏହି ସମୟରେ ଚର୍ଚ୍ଚାରେ ରହିଛନ୍ତି। ମିଡ଼ିଆ ସାମ୍ନାରେ ଉଭୟ ପରସ୍ପରକୁ ବରଣମାଳା ପିନ୍ଧାଇଛନ୍ତି ଏବଂ ବିବାହର ସବୁ ନୀତିରୀତିକୁ ପାଳନ କରିଛନ୍ତି, ଯାହାକୁ ଦେଖି ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି, କାରଣ ମହିମା ଓ ସଞ୍ଜୟ, ପୂର୍ବରୁ ବିବାହ କରି ସାରିଛନ୍ତି । ହେଲେ ସତ ଏହା ଯେ, ସେମାନେ ବାସ୍ତବରେ ବିବାହ କରି ନାହାନ୍ତି। ଏହା ତାଙ୍କର ଅପକମିଂ ଫିଲ୍ମର ପ୍ରମୋସନାଲ ଭିଡ଼ିଓ। ଫିଲ୍ମକୁ ଚର୍ଚ୍ଚାକୁ ଆଣିବା ପାଇଁ ତାଙ୍କର ଏଭଳି ଅଭିନବ ପ୍ରୟାସ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସୁଛି।

ସିଦ୍ଧାନ୍ତ ରାଜ୍ ସିଂହଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ଦୁର୍ଲଭ ପ୍ରସାଦ କୀ ଦୁସରୀ ଶାଦି’ ୧୯ ଡିସେମ୍ୱରରେ ରିଲିଜ ହେବାକୁ ଯାଉଛି ଏବଂ ଗୁରୁବାର ଫିଲ୍ମର ଟ୍ରେଲର ରିଲିଜ କରାଯାଇଛି, ଯାହା ସମସ୍ତଙ୍କୁ ଖୁବ୍ ପସନ୍ଦ ଆସୁଛି। ‘ଦୁର୍ଲଭ ପ୍ରସାଦ କୀ ଦୁସରୀ ଶାଦି’ର ଟ୍ରେଲରରେ ଦେଖିବାକୁ ମିଳୁଛି ଯେ, ନିଜ ପୁଅର ବାହାଘର କରାଇବା ପାଇଁ ଦୁର୍ଲଭ ପ୍ରସାଦ (ସଞ୍ଜୟ ମିଶ୍ରା) ନିଜେ ବିବାହ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି, କାରଣ ଝିଅର ପରିବାର ଲୋକଙ୍କର ସର୍ତ୍ତ ଯେ, ଯେବେ ଘରେ କେହି ମହିଳା ନଥିବେ ,ସେଠାରେ ସେ ଝିଅର ବାହାଘର କରିବେ ନାହିଁ। ଏହି ସମୟରେ ଦୁର୍ଲଭ ପ୍ରସାଦଙ୍କ ଜୀବନରେ ମହିମା ଚୌଧୁରୀଙ୍କ ଏଣ୍ଟ୍ରି ହେଉଛି, ଯିଏ ସିଗାରେଟ୍ ଠାରୁ ନେଇ ମଦ୍ୟପାନ ଯାଏ ସବୁ କରୁଛନ୍ତି। ଦୁହିଁଙ୍କର ଜୀବନ ଏକ ବଡ଼ ଟ୍ୱିଷ୍ଟ ମଧ୍ୟ ଆସୁଛି।

ନିଜର ଚରିତ୍ର ବିଷୟରେ ଆଲୋଚନା କରି ୬୨ ବର୍ଷିୟ ପ୍ରସିଦ୍ଧ ଅଭିନେତା ସଞ୍ଜୟ ମିଶ୍ରା କହିଛନ୍ତି , ଦୁର୍ଲଭ ପ୍ରସାଦ ଏକ ଏମିତି ଚରିତ୍ର ,ଯାହାକୁ ତାର ସରଳତା ଓ ନମ୍ରତା କାରଣରୁ ପସନ୍ଦ କରାଯିବ। ଇମୋସନ ସହ କମେଡି ଛୁଙ୍କ ସର୍ବଦା ସ୍ୱତନ୍ତ୍ର ହୋଇଥାଏ ଏବଂ ଏହି ଫିଲ୍ମରେ ଦୁଇଟି ଯାକ ଜିନିଷ ଭରପୂର ରହିଛି। ମୁଁ ଦର୍ଶକଙ୍କୁ ଏହି ନିଆରା ବର ଓ ତାର ଏଭଳି ନିଆରା ଯାତ୍ରା ସହ ମିଳାଇବା ପାଇଁ ଉତ୍ସାହିତ ଅଛି। ଏହା ପୂର୍ବରୁ ମଧ୍ୟ ମହିମା ଚୌଧୁରୀ ଓ ସଞ୍ଜୟ ମିଶ୍ରାଙ୍କର ଏକ ଭିଡ଼ିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଦୁହେଁ ବର-କନ୍ୟା ସାଜି ଫଟୋଗ୍ରାଫରଙ୍କୁ ପୋଜ୍ ଦେବାର ନଜର ଆସିଥିଲେ ଏବଂ ସେମାନଙ୍କର ବିବାହର ମିଠେଇ ବାଣ୍ଟିବାର ନଜର ଆସିଥିଲେ।