ଆଳି,୬।୪(ଆପ୍ର):ଆଳି ଥାନା ଅନ୍ତର୍ଗତ ନିଆଳ ପଞ୍ଚାୟତ ନିଆଳ ହାଟର ଏକ ଗ୍ୟାରେଜରେ ସୋମବାର ସନ୍ଧ୍ୟାରେ ବ୍ଲକ କଂଗ୍ରେସ ସଭାପତିଙ୍କୁ ତିନିଜଣ ଦୁର୍ବୃତ୍ତ ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।ଏଥି ସହ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ନଗଦ ଟଙ୍କା ଲୁଟିନେଇଥିବା ନେଇ ଆଳି ଥାନାରେ ସେ ଅଭିଯୋଗ କରିଛନ୍ତି।

ଆଳି ଥାନା ନିଆଳ ହାଟ ଠାରେ ଥିବା କଂଗ୍ରେସ କାର୍ଯ୍ୟାଳୟର ପଛ ପଟେ ଏକ ଗ୍ୟାରେଜ ନିକଟରେ ପ୍ରତ୍ୟେକ ଦିନ ଭଳି ଆଜି ମଧ୍ୟ କଂଗ୍ରେସ ବ୍ଲକ ସଭାପତି ରବିନାରାୟଣ ବେହେରା ଓ ଅନ୍ୟ କର୍ମକର୍ତ୍ତାମାନେ ବସି ଆଲୋଚନା କରୁଥିଲେ l ଏହି ସମୟରେ ତିନିଜଣ ଯୁବକ କିଛି ଯୁବକ ମାନଙ୍କୁ ଆକ୍ରମଣ କରୁଥିଲେ। ଏହି ସମୟରେ ସେମାନେ ବଞ୍ଚିବା ପାଇଁ ଏମାନେ ବସିଥିବା ସ୍ଥାନକୁ ଚାଲିଆସି ବଞ୍ଚିବା ପାଇଁ ଗୁହାରି କରିଥିଲେ l ଉପସ୍ଥିତ କର୍ମକର୍ତ୍ତା ମାନଙ୍କ ସହ ଶ୍ରୀ ବେହେରା ଘଟଣା କଣ ହୋଇଛି କହି ବୁଝାସୁଝା କରୁଥିଲେ। ଏହି ସମୟରେ ଉତ୍ତ୍ୟକ୍ତ ତିନିଜଣ ଯୁବକ ଉକ୍ତ ଯୁବକମାନଙ୍କ ସହ କଂଗ୍ରେସ ସଭାପତି ଶ୍ରୀ ବେହେରା ଓ ସେଠାରେ ଉପସ୍ଥିତ ଥିବା କର୍ମକର୍ତ୍ତାଙ୍କୁ ମାଡ଼ ମାରିଥିଲେ l ଏଥି ସହିତ ଗ୍ୟାରେଜକୁ ଭଙ୍ଗାଭଙ୍ଗି କରିବା ସହ ଗ୍ୟାରେଜରେ ଥିବା ବ୍ୟବସାୟୀଙ୍କ ଟଙ୍କା ଲୁଟି ନେଇଥିଲେ l ଏଥିସହିତ ଶ୍ରୀ ବେହେରାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କ ପାଖରେ ଥିବା ଟଙ୍କା ମଧ୍ୟ ଲୁଟି ନେଇଛନ୍ତି l ଏତଲା ଆଧାରରେ ପୋଲିସ ତଦନ୍ତ ଚଳାଇଥିବା ବେଳେ ଜଣେ ଯୁବକକୁ ଅଟକ ରଖିବା ସହ ଏକ ବନ୍ଧୁକ ଜବତ କରିଛି।