ରଗଡ଼ି, ୧୩/୦୭: ବୟସ ୧୨ରୁ ୧୩ବର୍ଷ ମଧ୍ୟରେ । ନାଁ ତାର କାଞ୍ଚିଆ । କୋରେଇ ବ୍ଲକ ପଚ୍ଛିକୋଟ ପଞ୍ଚାୟତ ପରମାନନ୍ଦପୁର ଗ୍ରାମରେ କାଞ୍ଚିଆ ନାମକ ଏହି ଷଣ୍ଢ ନିୟମିତ ବୁଲେ । ଯିଏ ଯାହା ଖାଇବାକୁ ଦେଲେ ଖାଇ ପେଟ ପୂରାଏ । ପ୍ରାୟ ୩ବର୍ଷ ହେବ ଏହି ଷଣ୍ଢ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛି । ପେଟ ତଳେ ବଢ଼ୁଥିବା ମାଂସ(ଟ୍ୟୁମର) ଧୀରେ ଧୀରେ ବଡ଼ ହେଉଛି । ଷଣ୍ଢଟି ଶୋଇବା କଷ୍ଟକର ହୋଇପଡ଼ୁଛି । ଦିନରାତି ଆଖିରୁ ଲୁହ ଗଡ଼ାଉଛି । ହେଲେ ତା’ ନିରବ ଚିତ୍କାର କାହାରି କାନରେ ପଡ଼ୁନି । ଖାଲି ସେତିକି ନୁହେଁ କାଚରାସାହି ଗ୍ରାମରେ ‘କସରା’ ନାମକ କୁକୁର ଗୋଡ଼ରେ ମାଂସ ବୃଦ୍ଧି ପାଉଥିବା ବେଳେ ଧୀରେ ଧୀରେ ସେ ରୋଗୀଣା ହୋଇଗଲାଣି । ନିୟମିତ କଷ୍ଟ ପାଉଥିବା ଏହି ବୁଲା ପ୍ରାଣୀଙ୍କ ଚିକିତ୍ସା କାହା ଦାୟିତ୍ୱ କେହି କହି ପାରୁନାହାନ୍ତି । କେବଳ ଦେଖିଲେ ଲୋକେ ଆଃ ପଦେ କହି ଦେଇ ନିଜ ରାସ୍ତାରେ ଚାଲି ଯାଉଛନ୍ତି ।
କାଗଜରେ ସୀମିତ ସରକାରୀ ନିୟମ
ନିୟମ ମୁତାବକ, କୌଣସି ବୁଲା ପ୍ରାଣୀ ଆହତ କିମ୍ବା ଅସୁସ୍ଥ ହେଲେ ସରକାରୀ ପ୍ରାଣୀ ଚିକିତ୍ସା ବିଭାଗ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରିବେ । ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଚିକିତ୍ସାଳୟ କିମ୍ବା ଗୋରୁ ହେଲେ ଗୋଶାଳାକୁ ସ୍ଥାନାନ୍ତର କରିବେ । କିନ୍ତୁ ବାସ୍ତବ ଚିତ୍ର ଭିନ୍ନ । ଅନେକ ସ୍ଥାନରେ ଆହତ ଗୋରୁ ରାସ୍ତାକଡ଼ରେ ଘଣ୍ଟା ଘଣ୍ଟା, କେବେ କେବେ ଦିନ ଦିନ ଧରି ପଡ଼ି ରହୁଥିବା ସତ୍ତେ୍ୱ ଚିକିତ୍ସା ସେମାନଙ୍କ ନିକଟରେ ପହଞ୍ଚି ପାରୁନାହିଁ । ଫଳରେ ଅନେକ ପ୍ରାଣୀ ଯନ୍ତ୍ରଣା ଭୋଗି ପ୍ରାଣ ହରାଉଛନ୍ତି । ପଶୁପ୍ରେମୀ ଓ ସାମାଜିକ ସଂଗଠନମାନେ ଏହାକୁ ପ୍ରଶାସନିକ ଅବହେଳା ବୋଲି ଅଭିଯୋଗ କରୁଛନ୍ତି ।
ଅଧିକ ପଢ଼ନ୍ତୁ :- Bomb Threat: ସମ୍ୱଲପୁର ଜିଲ୍ଲା କୋର୍ଟକୁ ପୁଣି ବୋମା ଧମକ, ବୋମା ନିଷ୍କ୍ରିୟକାରୀ ଟିମ୍ର ତଲାସୀ ଅଭିଯାନ ଜାରି
ପ୍ରାଣୀ ଚିକିତ୍ସା ବିଭାଗ, ସ୍ଥାନୀୟ ପ୍ରଶାସନ ଓ ପଞ୍ଚାୟତ ମିଳିତ ଭାବେ ଏଥି ପାଇଁ ବ୍ୟବସ୍ଥା କରାଇଲେ ଅନେକ ବେସାହାରା ପ୍ରାଣୀଙ୍କ ଜୀବନ ଅକାଳରେ ଝରି ପଡ଼ିବାରୁ ବର୍ତ୍ତି ପାରିବ । ବୁଲା ଗୋରୁଙ୍କ ଚିକିତ୍ସା ଓ ସୁରକ୍ଷା ସମ୍ପର୍କିତ ସରକାରୀ ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବା ଏବଂ ଅବହେଳା କରୁଥିବା ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନିଆଯିବା ପାଇଁ ସଚେତନ ନାଗରିକ ମାନେ ଦାବି କରୁଛନ୍ତି । ଏ ସଂପର୍କରେ କୋରେଇ ପ୍ରାଣୀ ଚିକିତ୍ସା କେନ୍ଦ୍ର ସହ ଯୋଗାଯୋଗ କରାଯିବାରୁ ସେମାନେ ଏହି ରୋଗର ଚିକିତ୍ସା କରିବା ପାଇଁ ଅସମର୍ଥ ବୋଲି ପ୍ରକାଶ କରିଥିଲେ ।
ଓୟୁଏଟିରୁ ପ୍ରାଣୀ ଚିକିତ୍ସା ବିଶେଷଜ୍ଞ ଆସିଲେ କାଳିଆ, କସରାର ଚିକିତ୍ସା ହୋଇପାରିବ ବୋଲି କହିଥିଲେ । ଏଠାରେ ପ୍ରଶ୍ନ ଉଠୁଛି, ଓୟୁଏଟି ସହିତ ଏହାକୁ ଯୋଗାଯୋଗ କରିବା କୋରେଇ ପ୍ରାଣୀ ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷଙ୍କର ନୁହେଁ କି? ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦିଆଯିବା ନିମେନ୍ତ ସ୍ଥାନୀୟ ଲେକେ ଦାବି କରିଛନ୍ତି ।