ଓଭାଲ: ଭାରତ ଏବଂ  ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି ତୃତୀୟ ଟି-୨୦ ମ୍ୟାଚ୍‌ରେ । ଆଜିର ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି  ଅଷ୍ଟ୍ରେଲିଆ ୬ ଓ୍ବିକେଟ ବିନିମିୟରେ ୧୮୬ ରନ୍‌ କରିଛି ।  ଅଷ୍ଟ୍ରେଲିଆର ଟିମ୍ ଡେଭିଡ୍ ୭୪ ରନ ଏବଂ ମାର୍କସ୍ ଷ୍ଟୋଇନିସ୍ ୬୪ ରନ କରିଛନ୍ତି । ସେହିଭଳି ମାଥ୍ୟୁ ସର୍ଟ (୨୬) ଏବଂ ଜାଭିୟର ବାର୍ଟଲେଟ୍‌ (୩) ନଟଆଉଟ୍‌ ଅଛନ୍ତି । ସେପଟେ ଭାରତ ପକ୍ଷରୁ ଅର୍ଶଦୀପ ସିଂହ ସର୍ବାଧିକ ତିନୋଟି ୱିକେଟ ନେଇଛନ୍ତି।  

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା  ଅଷ୍ଟ୍ରେଲିଆ ପ୍ରଥମ ତିନି ଓଭରରେ ଦୁଇଟି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଅର୍ଶଦୀପ ସିଂହ ତାଙ୍କ ପ୍ରଥମ ଦୁଇ ଓଭରରେ ଟ୍ରାଭିସ୍ ହେଡ୍ ଏବଂ ଜୋଶ୍ ଇଂଲିସଙ୍କୁ ଆଉଟ୍ କରିଥିଲେ। ହେଡ୍ ୬ ରନ ଏବଂ ଇଂଲିସ୍ ଗୋଟିଏ ରନ କରିଥିଲେ। ଅଧିନାୟକ ମିଚେଲ୍ ମାର୍ଶ ଏବଂ ଟିମ୍ ଡେଭିଡ୍ ପରେ ୩୫ ବଲରେ ତୃତୀୟ ୱିକେଟ ପାଇଁ ୫୯ ରନର ଭାଗୀଦାରି କରିଥିଲେ।

ଏହି ଭାଗୀଦାରିକୁ ବରୁଣ ଚକ୍ରବର୍ତ୍ତୀ ଭାଙ୍ଗି ଦେଇଥିଲେ । ଇନିଂସର ନବମ ଓଭରରେ ଲଗାତାର ଦୁଇଟି ବଲରେ ଦୁଇଟି ୱିକେଟ ନେଇଥିଲେ। ମାର୍ଶଙ୍କୁ ଓଭରର ଦ୍ୱିତୀୟ ବଲରେ ତିଲକ ବର୍ମାଙ୍କ ହାତରେ କ୍ୟାଚ୍ କରାଇଥିଲେ ବରୁଣ । ମାର୍ଶ କେବଳ ୧୧ ରନ କରିପାରିଥିଲେ। ତା’ପରେ, ପରବର୍ତ୍ତୀ ବଲରେ ସେ ମିଚେଲ୍ ଓୱେନଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ । 

ପରେ ଟିମ୍‌ ଡେଭିଡ୍ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ଷ୍ଟୋଇନିସଙ୍କ ସହିତ ପଞ୍ଚମ ୱିକେଟ ପାଇଁ ୨୭ ବଲରେ ୪୫ ରନର ଭାଗୀଦାରି କରିଥିଲେ। ଡେଭିଡ୍ ୩୮ ବଲ୍‌ରେ ୮ ଚୌକା ଏବଂ ୫ ଛକା ସହାୟତାରେ ୭୪ ରନ୍ କରିଥିଲେ ଏବଂ ଶିବମ୍ ଦୁବେଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ଏହା ପରେ ଷ୍ଟୋଇନିସ୍ ଷଷ୍ଠ ୱିକେଟ୍ ପାଇଁ ମାଥ୍ୟୁ ସର୍ଟଙ୍କ ସହିତ ୩୯ ବଲ୍‌ରେ ୬୪ ରନ୍‌ର ପାର୍ଟନରସିପ୍ କରିଥିଲେ। ଷ୍ଟୋଇନିସ୍‌ଙ୍କୁ ଆର୍ଶଦୀପ ଆଉଟ୍ କରିଥିଲେ। ସେ ୩୯ ବଲ୍‌ରେ ୮ ଚୌକା ଏବଂ ଦୁଇଟି ଛକା ସହାୟତାରେ ୬୪ ରନ୍‌ କରିବା ପରେ ଆଉଟ୍ ହୋଇଥିଲେ। ସର୍ଟ ୧୫ ବଲ୍‌ରେ ୨୬ ରନ୍‌ ଏବଂ ଜାଭିୟର ବାର୍ଟଲେଟ୍‌ ତିନି ରନ୍‌ରେ ଅପରାଜିତ ରହିଥିଲେ। ଭାରତ ପକ୍ଷରୁ ଆର୍ଶଦୀପ ତିନୋଟି ୱିକେଟ୍ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ ଦୁଇଟି ୱିକେଟ୍ ନେଇଥିଲେ। ଦୁବେ ଗୋଟିଏ ୱିକେଟ୍ ନେଇଥିଲେ।