ମଣିଷ ଜନ୍ମରୁ ଭୟଗ୍ରସ୍ତ । ପ୍ରାଥମିକ ସ୍ତରରେ ଯେତେବେଳେ ମଣିଷ ଖାଦ୍ୟ-ବସ୍ତ୍ର-ବାସ ଖୋଜୁଥିଲା ସେତେବେଳେ ସ୍ଥିତି, ଭୟ ଥିଲା ତା’ର ସବୁ କର୍ମର ମୂଳାଧାର । ମଣିଷର ପ୍ରଥମ ଭୟ ଆସେ ଭୋକରୁ । ପେଟ ଭୋକରେ ଆଉଟୁ ପାଉଟୁ ହେଲାବେଳେ ଭୟ ମାଡ଼ିଆସେ ବାଘ ପରି ନିକାଞ୍ଚ ଅରଣ୍ୟରେ । ଯଦି ବିଜୁଳି ଚମକେ, ମେଘ ବିଦ୍ୟୁତ ଆକାଶ ପ୍ରଳୟର ସୂଚନା ଦିଏ । ଭୟରେ କାଙ୍କୁରି ଯାଏ ମଣିଷ । ରାତିରେ ଭୂମିରେ ଅଧାପେଟରେ ଶୋଇଲେ କ’ଣ ଯେ ହେବ, ଚିନ୍ତାରେ ନିଦ ମଧ୍ୟ ପାଖରେ ପଶେନାହିଁ । ସ୍ଥିତି, ଭୟ ବିରୋଧରେ ସେ ଖାଦ୍ୟ-ବସ୍ତ୍ର-ବାସ ଯୋଗାଡ଼ କଲାବେଳେ ମାଡ଼ିଆସେ ରୋଗ ଭୟ ।

ଏକବିଂଶ ଶତାବ୍ଦୀରେ ୨୦୨୦-୨୧ରେ କରୋନା ଭାଇରସ୍ ଆମକୁ ପୁଣି ନେଇ ଯାଇଥିଲା ସ୍ଥିତି ଭୟକୁ । ମଣିଷ ଭୟ ମଧ୍ୟରେ ହିଁ ତା’ର ସଭ୍ୟତା ଗଢ଼ିଛି । ତା’ର ସୃଜନଶୀଳତାକୁ ବଂଚାଇ ରଖିଛି । ଭୟକୁ ନେଇ ବଂଚିବାର ଜୀବନଶୈଳୀ ପ୍ରତି ଶତକରେ ଆବିଷ୍କାର କରୁଛି । ମଣିଷର ଦର୍ଶନ ଆବିଷ୍କାର, ଉଦ୍ଭାବନ ଭୟକୈନ୍ଦ୍ରିକ । ରୋଗ, ଶତ୍ରୁ (ପ୍ରଭୃତି ଓ ସଭ୍ୟତା)ରୁ ମୁକ୍ତି ପାଇଁ ସଂଗ୍ରାମ ଏଇ ଭୟକୁ ନେଇ । ତେଣୁ ମଣିଷ କୌଣସି ଯୁଗ ବା ଶତକରେ ନିଜକୁ ଭୟମୁକ୍ତ ମନେ କରିନାହିଁ । ମଣିଷ ବିବାହକୁ ଆନନ୍ଦର ପଟୁଆର କଲାବେଳେ ସଚେତନ ପୁରୁଷ ଓ ସ୍ତ୍ରୀ ଭୟାର୍ତ୍ତ ହୁଅନ୍ତି ଯେ, ଜଣେ ଅଜଣା ଅନ୍ୟ ଢଙ୍ଗର ମଣିଷକୁ ନେଇ ଜୀବନ ଗଢ଼ି ହେବନି । ବିବାହ ସଂଗମର ଆନନ୍ଦ ପାଇଁ ଏକ ଅନୁଷ୍ଠାନ ନୁହେଁ । ବିବାହର ଅର୍ଥ ଓ ସଭ୍ୟତା ମଧ୍ୟରେ ଜଣେ ପୁରୁଷ ଓ ନାରୀ ଗୋଟିଏ ଛୋଟିଆ ସଂସାର ଗଢ଼ିବେ । ସେମାନେ କହିବେ ଏ ମୋର ସ୍ତ୍ରୀ, ଏ ମୋର ସ୍ୱାମୀ, ଏ ମୋର ପୁତ୍ର କନ୍ୟା, ଏଇଟା ମୋର ଘର ଇତ୍ୟାଦି । ଅର୍ଥାତ୍ ମଣିଷ ଈଶ୍ୱରଙ୍କ ପରି ଏକ ସଂସାର ସୃଷ୍ଟି କରିବ । ଧନୀ, ଗରିବ, କଳାକାର, ରାଜନେତା, ଅଭିନେତା, ସମସ୍ତଙ୍କର ସଂସାର ଅଲଗା ଅଲଗା । କିନ୍ତୁ ସବୁଠି ଭୟ ରହିଛି । କିଏ ମୋର ଘରବାଡ଼ି ନେଇଯିବ କି? ଏପରି ଭୟ ସହିତ ମୋର ଧନ ଷ୍ଟକ ମାର୍କେଟରେ ବୁଡ଼ିଯିବ କି? ଆମେରିକା-ଇରାନ ଯୁଦ୍ଧ ଆରମ୍ଭ ହେବାର ସଂକେତ ପାଇବା ମାତ୍ରେ ସାରା ବିଶ୍ୱରେ ଷ୍ଟକ ମାର୍କେଟେ ଧଡ୍ କରି ପଡ଼ିଗଲା । ଗୋଟାଏ ଦିନରେ ୧୬ଲକ୍ଷ କୋଟି ଟଙ୍କା ବୁଡ଼ିଗଲା । ଏହି ଭୟ ଆଜିର ଅତି ମାତ୍ରାରେ ସଭ୍ୟ ସମାଜର ଚରମ ଭୟ । ବ୍ୟାଙ୍କଗୁଡ଼ିକ ବନ୍ଦ ହେଲେ କ’ଣ ହେବ? ଇତ୍ୟାଦି ପ୍ରଶ୍ନ ସହିତ ଯଦି ସାଇବର ଠକ ମୋର ଧନ ନେଇଯିବ କ’ଣ କରାଯିବ ପ୍ରଶ୍ନ ମଧ୍ୟ ଭୟ ସୃଷ୍ଟି କରେ । ଏହାଛଡ଼ା ଧର୍ମ ନାମରେ ଯେଉଁ ହତ୍ୟା-ଯୁଦ୍ଧ ହେଉଛି ତାହା ମଧ୍ୟ ଭୟମୁକ୍ତ ନୁହେଁ ।

ଆଜିର ସଭ୍ୟତାରେ ସବୁଠାରୁ ବଡ଼ ଭୟ ହେଲା ସ୍ୱାଧୀନତା ରକ୍ଷା କରିବାର ଭୟ । ପ୍ରାୟ ୧୦୦ ବର୍ଷ ତଳେ ଏରିକ୍ ଫ୍ରୋମ୍ ଲେଖିଥିଲେ ‘ଦ ଫିଅର୍ ଅଫ୍ ଫ୍ରିଡମ୍’ (ସ୍ୱାଧୀନତାର ଭୟ) । ଏହି ଭୟ ସଭ୍ୟତାର ଏକ ଚରମ ଭୟ । ପ୍ରତ୍ୟେକ ସ୍ୱାଧୀନ ଦେଶ ତା’ର ସୀମାରେଖାକୁ ନେଇ ଭୟଭୀତ । ଭାରତବର୍ଷ ଚୀନ ସହିତ ତା’ର ସୀମା ବିବାଦ ମେଣ୍ଟାଇ ପାରିନାହିଁ । କେତେବେଳେ ଯୁଦ୍ଧ ହେବ ସେଥିପାଇଁ ଭାରତ କିଣା ଠାରୁ ଅସ୍ତ୍ର ନିର୍ମାଣ ପର୍ଯ୍ୟନ୍ତ ପ୍ରାଣପଣେ ଲାଗି ରହିଛି । ଆମେରିକା ମଧ୍ୟ ନିଜର ସ୍ୱାଧୀନତା ରକ୍ଷା ଲାଗି ଚିନ୍ତିତ । ସବୁଠାରୁ ବଳଶାଳୀ ହୋଇ ମଧ୍ୟ ଇରାନ ପରି ଦେଶକୁ ପାରୁନାହିଁ, କାରଣ ଇରାନ ମଧ୍ୟ ନିଜର ସ୍ୱାଧୀନତା ରକ୍ଷା ପାଇଁ ପ୍ରାଣପଣେ ଚେଷ୍ଟା କରୁଛି । ମତେ ହସ ଲାଗେ, ଯେତେବେଳେ ମୁଁ ପ୍ରତିରକ୍ଷାବଳ କଥା ଶୁଣେ । ପ୍ରତ୍ୟେକ ରାଷ୍ଟ୍ର ଏକ ପ୍ରତିରକ୍ଷାବଳ ପ୍ରସ୍ତୁତ କରେ- କାହିଁକି? କୌଣସି ରାଷ୍ଟ୍ର ଆକ୍ରମଣ ପାଇଁ ସୈନ୍ୟବାହିନୀ ଗଢ଼େନାହିଁ । ଅର୍ଥାତ୍, ପ୍ରତିରକ୍ଷା ଓ ଆତ୍ମରକ୍ଷା କେବଳ ଏକ ପ୍ରବଞ୍ଚନା ସଭ୍ୟତାର । ସମସ୍ତେ ଖାଦ୍ୟ, ତେଲ, ପାଣି ଇତ୍ୟାଦି ପାଇଁ ନିଜର ସୁରକ୍ଷା ପରିସୀମା ବଢ଼ାଇବାକୁ ଚାହାଁନ୍ତି, କାରଣ ସେମାନେ ସ୍ୱାଧୀନତାକୁ ଡରନ୍ତି- ଅର୍ଥାତ୍ ସ୍ୱାଧୀନତାକୁ ସୁରକ୍ଷିତ କରିବା ପାଇଁ ଶଙ୍କାଗ୍ରସ୍ତ ହୁଅନ୍ତି । ସୀମା ଓ ସ୍ୱାଧୀନତା ସୁରକ୍ଷା ସହ ବ୍ୟକ୍ତିଗତ ସ୍ତରରେ ଆତ୍ମଚେତନାର ସୁରକ୍ଷା, ସ୍ୱତନ୍ତ୍ରତାର ସୁରକ୍ଷା ଏହି ସ୍ୱାଧୀନତା ଭୟରୁ ଆସେ । ଅର୍ଥବ୍ୟବସ୍ଥା କ’ଣ ହେବ, କିପରି ଅଭିବୃଦ୍ଧି ହେବ ତାହା ମଧ୍ୟ ଅନ୍ୟ ଏକ ଭୟ । ଗୋଟିଏ ଜଗତର ସଭ୍ୟ ମଣିଷ କହେ ମୁଁ ସ୍ୱାଧୀନ, ମୋର ବିଚାର ସ୍ୱାଧୀନ, ମୋର ପରିଚୟ ସ୍ୱତନ୍ତ୍ର । ହଁ, ଠିକ୍ କଥା । ଏହି କଥା ସବୁ ଦେଶର ସମ୍ବିଧାନରେ ଥାଏ ।

ମଣିଷ ସ୍ୱତନ୍ତ୍ର ପ୍ରତ୍ୟେକ ବ୍ୟକ୍ତିର ବାକ୍ ସ୍ୱାଧୀନତା, କର୍ମ ସ୍ୱାଧୀନତା ଇତ୍ୟାଦି ରହିଛି କେବଳ ସମ୍ବିଧାନ ପୃଷ୍ଠାରେ । କିନ୍ତୁ ପ୍ରତ୍ୟେକ ବ୍ୟକ୍ତିକୁ ପଚାରନ୍ତୁ ସେ ନିଜକୁ ସୁରକ୍ଷିତ ମନେ କରୁଛି କି? ନିକଟରେ ମେ ୯ ତାରିଖରେ ମମତା ବାନାର୍ଜୀଙ୍କ ଶାସନ ଶେଷ ହେଲା ପରେ ନୂତନ ସରକାର ଗଠିତ ହେଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ, ନିର୍ବାଚନ ଫଳ ମେ ୪ ତାରିଖରେ ପ୍ରକାଶ ପାଇବା ପରେ ବେଙ୍ଗଲରେ ସ୍ତ୍ରୀଲୋକମାନେ ନାଚିଲେ ଏବଂ କହିଲେ– ଆଜି ଆମେ ସ୍ୱାଧୀନ ହେଲୁ, ଭୟମୁକ୍ତ ହେଲୁ । ତେବେ ମମତା ବାନାର୍ଜୀଙ୍କ ୧୫ ବର୍ଷ କ’ଣ ପଶ୍ଚିମବଙ୍ଗ ବାସୀଙ୍କର ସ୍ୱାଧୀନତାକୁ ବନ୍ଦୀ କରିଥିଲା? ନିଶ୍ଚୟ । କାରଣ, ମତଦାତା ନିଜ ଇଚ୍ଛାରେ ସ୍ୱାଧୀନ ମତ ପ୍ରକାଶ କରିପାରୁନଥିଲା । ତେଣୁ ମଣିଷର ମୁକ୍ତ ଇଚ୍ଛା ନାହିଁ? ଗଣତନ୍ତ୍ରକୁ ଆମେ ଶାସନ ପ୍ରକ୍ରିୟାର ଶେଷ ବ୍ୟବସ୍ଥା ଓ ଅନେକାଂଶରେ ସୁସ୍ଥ ବ୍ୟବସ୍ଥା କହୁ, କିନ୍ତୁ ସେଠି ମଧ୍ୟ ସ୍ୱାଧୀନତା ବିପନ୍ନ ହେବାର ଭୟ ରହିଛି । ଯାହା ଆମେ ପୃଥିବୀର ପ୍ରାୟ ସବୁ ରାଷ୍ଟ୍ରରେ ଦେଖୁ । କବି, କଳାକାର, ସିନେ ନିର୍ମାତା, ଚିତ୍ରକର ଯେଉଁ କଥା ସ୍ୱାଧୀନତା କଥା କୁହନ୍ତି ବାସ୍ତବ କ୍ଷେତ୍ରରେ ସେମାନେ ଭୟମୁକ୍ତ ସ୍ୱାଧୀନତା ଭୋଗ କରନ୍ତି କି? ଶାସକ, କବି ବା ଅଳ୍ପ-ବହୁସଂଖ୍ୟକ ଦଳର ଅନୁମୋଦନ ହେଲେ କବି-କଳାକାର, ସିନେ ନିର୍ମାତା କେହି ଭୟମୁକ୍ତ ସ୍ୱାଧୀନତା ଉପଭୋଗ କରନ୍ତି ନାହିଁ । ସ୍ୱାଧୀନତା ବଂଚାଇ ରଖିବାର ଭୟ ଆମ ସଭ୍ୟତାର ସବୁଠାରୁ ବଡ଼ ଆତଙ୍କ । ମତ୍ସ୍ୟନ୍ୟାୟ ଜୀବନର ସବୁ କ୍ଷେତ୍ରରେ ଏକ ଅପ୍ରିୟ ସତ୍ୟ । ପରିବାର ମଧ୍ୟରେ ବି ନାରୀ ଭାବେ କାଲି ମତେ ଛାଡ଼ିଦେବେ କି?

ଭାରତରେ ପୂଜାର୍ଚ୍ଚନା ଓ ଦେବତା ଦର୍ଶନ ସ୍ୱାଧୀନତା ବି ଆମର ନାହିଁ । ସବୁ ହିନ୍ଦୁ ମନ୍ଦିର ଓ ମନ୍ଦିର ସମ୍ପତ୍ତି ସରକାର ଚଳାନ୍ତି । ତେଣୁ ଭକ୍ତ ବା ଉପାସନାର ସ୍ୱାଧୀନତା ମଧ୍ୟ ନାହିଁ । ସେଠି ମଧ୍ୟ ଭୟ । ସରକାରଙ୍କୁ ଛାଡ଼ିଦେଲେ ମଧ୍ୟ ଆମେ ମନ୍ଦିର ଭିତରେ ବି ସୁରକ୍ଷିତ ନୋହୁଁ । ଅପ-ଦେବତାର ଭୟ, ଈଶ୍ୱର ଭୟ, ଭୂତ ପ୍ରେତର ଭୟ ସହିତ ସରକାରୀ ଓ ପ୍ରାଇଭେଟ ଭୟ ରହିଛି । ମଣିଷ କୌଣସି କ୍ଷେତ୍ରରେ ଭୟମୁକ୍ତ ସ୍ୱାଧୀନତା ଭୋଗ କରେନାହିଁ । ଗୋଟିଏ ବୈଜ୍ଞାନିକ ତଥ୍ୟକୁ ଦବାଇ ଦେବା ପାଇଁ ଓଷଦ କମ୍ପାନୀମାନେ କୋଟି କୋଟି ଟଙ୍କା ବ୍ୟୟ କରନ୍ତି । କୋଭିଡ ବେଳେ ଭାରତର କୋଭାକସିନକୁ ବଦନାମ କରିବା ପାଇଁ ଆମେରିକା-ୟୁରୋପର ଓଷଦ କମ୍ପାନୀମାନେ କ’ଣ କରିଥିଲେ ପାଠକମାନେ ଭୁଲିନାହାଁନ୍ତି ନିଶ୍ଚୟ । ସେଥିରେ କି ଭୟ। ସବୁଠାରୁ ବଡ଼ ଭୟ ହେଲା ସତ୍ୟ ପ୍ରକାଶର ଭୟ । କୌଣସି ବିବାଦରେ କେହି ସତ୍ୟ କହେନାହିଁ । କାରଣ, ସତ୍ୟବାଦୀ ପୁରୁଷ ନାରୀ ଅସୂୟା ଓ ଶତ୍ରୁତାର ଶିକାର ହେବେ । ମୋବାଇଲ ନମ୍ବରକୁ ନେଇ ମଧ୍ୟ ଆମେ ଭୟାର୍ତ୍ତ । ଖବରକଗେଜାରେ ପ୍ରତିଦିନ ବାହାରେ କେମିତି ନମ୍ବର ନେଇ ବ୍ୟାଙ୍କରୁ ଟଙ୍କା ଲୁଟ୍ ହୁଏ । ତେବେ ଉପାୟ?

ମୋ ବିଶ୍ୱରେ ସଂପୂର୍ଣ୍ଣ ଭୟମୁକ୍ତ ହୋଇ କେହି ରହିପାରିବେ ନାହିଁ । ଆସନ୍ତା ଦିନମାନଙ୍କରେ ଆମକୁ ପିଇବା ପାଇଁ ପାଣି ମିଳିବ କି ନାହିଁ ସନ୍ଦେହ । ପାଣି ଲାଗି ଯୁଦ୍ଧ ହୋଇପାରେ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇ ସାରିଛନ୍ତି । ଏହିସବୁ ଦୃଷ୍ଟିରୁ ରବୀନ୍ଦ୍ରନାଥଙ୍କର ''Where the mind is without fear and the head is held high'' ମଧ୍ୟ ସତ୍ୟ ନୁହେଁ । ଏକ ସମ୍ଭାବନାର ତିକ୍ତ ଯାତ୍ରା । କୌଣସି ମନ ଭୟମୁକ୍ତ ନୁହେଁ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଭୟମୁକ୍ତ ନୁହଁନ୍ତି । କାଳେ ଆମେରିକା ଶତ୍ରୁତା କରିବ, କାଳେ ଚୀନ ଆକ୍ରମଣ କରିବ, କାଳେ ପାକିସ୍ତାନ ପରମାଣୁ ବୋମା ପକାଇବ ଇତ୍ୟାଦି ଭୟରେ ମୋଦି ମଧ୍ୟ ଅସ୍ଥିର । ଲେଖକମାନେ ପାଠକକୁ ଭୟ କରନ୍ତି । ଈଶ୍ୱର ମଧ୍ୟ ଭୟମୁକ୍ତ ନୁହଁନ୍ତି। ଅନେକ ଈଶ୍ୱର ଅଭିନୟ ଯଥା- ଟ୍ରମ୍ପ ଈଶ୍ୱରଙ୍କ ଅସ୍ତିତ୍ୱକୁ ମଧ୍ୟ ଆହ୍ୱାନ ଦିଏ । ଉପାୟ କିଛି ନାହିଁ । ଯେଉଁ ଉପାୟ ଆମେ ବାହାର କରୁ ତାହା ପରବର୍ତ୍ତୀ ସମୟରେ ଭୟ ସୃଷ୍ଟି କରେ ।

ତେଣୁ ଭୟ ମଣିଷ ସହିତ ଏକ ସହଜାତ ପ୍ରବୃତ୍ତି ହୋଇ ଆବହମାନ କାଳରୁ ରହିଆସିଛି ଏବଂ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ତାହା ରହିଥିବ । ଅନ୍ୟ ଅର୍ଥରେ କହିଲେ ଏହା ମଣିଷ ସମେତ ପ୍ରତ୍ୟେକ ପ୍ରାଣୀ ସହିତ ଅବିଚ୍ଛେଦ୍ୟ ହୋଇ ରହିଛି । ଅତଏବ ଭୟକୁ ନେଇ ଏତେ ଆତଙ୍କିତ ହେବାର କୌଣସି କାରଣ ନାହିଁ । ଯଦି ଭୟ ନଥାଆନ୍ତା, ତେବେ ମଣିଷ କ'ଣ କେବେ ନିଜକୁ ଏତେ ସାହସୀ, ଧୈର୍ଯ୍ୟବାନ ଅବା ସ୍ଥିତ ପ୍ରଜ୍ଞ ବୋଲାଉ ପାରୁଥାଆନ୍ତା କି? ସ୍ମରଣ ରଖିବାକୁ ହେବ, ଯାହାକୁ ଆମେ ଏତେ ନକାରାତ୍ମକ ଦୃଷ୍ଟିରେ ଦେଖୁ ତାହା ମଧ୍ୟ ଆମକୁ ସମୟାନ୍ତରେ ଅନେକ ବିପଦ ଅବା ପରିଣାମ ପ୍ରତି ସଚେତନ ନଥିବା କାର୍ଯ୍ୟରୁ ବିରତ ରଖିଥାଏ । ତାହା ଆମପାଇଁ ନିୟତି ସଦୃଶ କାର୍ଯ୍ୟ କରିଥାଏ ।