କଲମ୍ବୋ, ୧୧ା୨: ପ୍ରେମଦାସା ଷ୍ଟାଡ଼ିୟମ୍ରେ ଅଷ୍ଟ୍ରେଲିଆ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ଆଜି ଅନୁଷ୍ଠିତ ଗ୍ରୁପ୍ ବି’ର ଏକ ମ୍ୟାଚରେ ଅଷ୍ଟ୍ରେଲିଆ ୬୭ ରନ୍ରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୬/୧୮୨ ରନ କରିଥିଲା । ଜବାବରେ ଆୟର୍ଲାଣ୍ଡ ୧୬.୫ ଓଭରରେ ୧୧୫ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ୪ଟି ୱିକେଟ୍ ନେଇ ଦଳକୁ ଜିତାଇଥିବା ନାଥାନ ଏଲିସ୍ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ ।
ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଅଷ୍ଟ୍ରେଲିଆ ସହଳ ଓପନର ଟ୍ରେଭିସ୍ ହେଡ୍(୬) ଙ୍କ ୱିକେଟ୍ ହରାଇଥିଲା । ମଧ୍ୟକ୍ରମ ବ୍ୟାଟରମାନେ ବିସ୍ଫୋରକ ବ୍ୟାଟିଂ କରିବାକୁ ଦଳୀୟ ସ୍କୋର ୧୮୨ରେ ପହଞ୍ଚିଥିଲା । ମାର୍କସ ଷ୍ଟଇନିସ୍ ୨୯ଟି ବଲ୍ରୁ ୨ ଚୌକା ଓ ୧ ଛକା ବଳରେ ୪୫ ରନ କରିଥିଲେ । ସେହିପରି ମାଟ୍ ରେନସ ୩୭, ଓପନର ଜୋସ ଇଂଲିଶ ୩୭ ଓ କାମେରନ ଗ୍ରୀନ ୨୧ ରନ କରିଥିଲେ ।
ଜବାବରେ ଆୟର୍ଲାଣ୍ଡ ୨୭ ରନ୍ରେ ୪ଟି ୱିକେଟ୍ ହରାଇବା ପରେ ବିପର୍ଯ୍ୟୟରୁ ମୁକୁଳି ପାରି ନଥିଲା । କେବଳ ନିମ୍ନ ମଧ୍ୟ କ୍ରମ ବ୍ୟାଟର ଜର୍ଜ ଡକରେଲ ୪୧(୩ଚୌକା, ୨ଛକା) ରନ କରିଥିଲେ । ଅନ୍ୟ କେହି ତାଙ୍କୁ ସହାୟତା କରି ନଥିଲେ । ୧୯ଟି ବଲ୍ ବାକି ଥାଇ ଆୟର୍ଲାଣ୍ଡ ୧୧୫ ରନ୍ରେ ଅଲ୍ ଆଉଟ୍ ହୋଇ ଯାଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଏଲିସ୍ ଓ ଆଡାମ ଜାମ୍ପା ୪ଟି ଲେଖାଏଁ ୱିକେଟ୍ ନେଇଥିଲେ ।