ମୁମ୍ବାଇ ୨୪/୧୨: ମଙ୍ଗଳବାର ଆସିଛି ‘ଆଭେଞ୍ଜର୍ସ ଡୁମ୍ସଡେ’ର ପ୍ରଥମ ଟିଜର୍ । ମାର୍ଭଲ ଏଣ୍ଟରଟେନମେଣ୍ଟ୍ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଟିଜର୍ ଜାରି କରିଛି । ଫିଲ୍ମରେ କ୍ୟାପ୍ଟେନ୍ ଆମେରିକା ଭାବେ ପୁଣି ଥରେ ବଡ଼ ପରଦାକୁ ଫେରିବେ କ୍ରିସ୍ ଇଭାନ୍ସ । ସଦ୍ୟ ଥିଏଟରକୁ ଆସିଥିବା ଜେମ୍ସ କ୍ୟାମେରନଙ୍କ ‘ଅବତାର ଫାୟାର ଆଣ୍ଡ୍ ଆଶ୍’ ସହିତ ଏହି ଟିଜର୍ ଜାରି ହୋଇଛି । ୨୦୨୬, ଡିସେମ୍ବର ୧୮ରେ ଫିଲ୍ମ ମୁକ୍ତିଲାଭ କରିବ ।

ଏକ ଶାନ୍ତ କ୍ଷେତରୁ ଆରମ୍ଭ ହୋଇଥିବା ଟିଜରରେ ଷ୍ଟିଭ୍ ରୋଜର୍ସ ଏକ ମୋଟରସାଇକେଲ ଚଳାଇ ନିଜ ଘରକୁ ଆସୁଛନ୍ତି । ପ୍ରଚ୍ଛଦରେ ଆଭେଞ୍ଜର୍ସ ଥିମର ପିଆନୋ ସ୍ୱର ଶୁଣିବାକୁ ମିଳୁଛି । ଷ୍ଟିଭ୍ଙ୍କ ନୀଳ ହେଲମେଟ ତାଙ୍କ କ୍ୟାପ୍ଟେନ୍ ଆମେରିକା ପରିଧାନର ସ୍ମୃତିକୁ ତାଜା କରିଛି । କୋଳରେ ଏକ ନବଜାତ ଶିଶୁକୁ ସେ ଧରିଛନ୍ତି । ‘ଆଭେଞ୍ଜର୍ସ: ଡୁମ୍ସଡେ ପାଇଁ ଷ୍ଟିଭ୍ ରୋଜର୍ସ ପରଦାକୁ ଫେରିବେ’ ଉକ୍ତି ସହିତ ଟିଜର୍ ଶେଷ ହୋଇଛି । ରୁଷୋ ବ୍ରଦର୍ସ ନିଜ ଇନ୍ଷ୍ଟା ଆକାଉଣ୍ଟରେ ଟିଜର୍ ଶେୟାର କରିଛନ୍ତି । କ୍ୟାପସନ୍ ଲେଖିଛନ୍ତି ‘ଚରିତ୍ର, ଯାହା ଆମ ଜୀବନକୁ ବଦଳାଇଦେଲା । କାହାଣୀ, ଯାହା ଆମ ସମସ୍ତଙ୍କୁ ଏକତ୍ର କଲା । ଏହା ସର୍ବଦା ପରଦାକୁ ଫେରିବାର ଥିଲା... ।’