ନୂଆଦିଲ୍ଲୀ,୦୫/୦୬: ଆକ୍ସିଓମ୍‌-୪ ମିଶନ୍‌ ଦୁଇ ଦିନ ଆଗକୁ ଘୁଞ୍ଚିଛି । ଆସନ୍ତା ୧୦ ତାରିଖ ସନ୍ଧ୍ୟା  ୫.୫୨ରେ ଏହି ମିଶନ୍‌ ଲଞ୍ଚ୍‌ ହେବ ବୋଲି ଆକ୍ସିଓମ୍‌ ସ୍ପେସ୍‌ ଘୋଷଣା କରିଛି । ଏହାକୁ ମିଶାଇ ୩ୟ ଥର ମିଶନ ଘୁଞ୍ଚିଛି । ମିଶନ ଲଞ୍ଚ୍‌ ପୂର୍ବରୁ ଯାନର ପରିବହନ ଓ  ଚୂଡ଼ାନ୍ତ ପ୍ରକ୍ରିୟା ସମ୍ପନ୍ନ କରିବା ସମୟରେ ପାଣିପାଗରେ  ପରିବର୍ତ୍ତନ ବିଳମ୍ବର କାରଣ ବୋଲି ନାସା ସ୍ପଷ୍ଟ କରିଛି ।  

ଆକ୍ସିଓମ୍‌ ମିଶନରେ ମହାକାଶ କେନ୍ଦ୍ର ଯାଉଛନ୍ତି ଭାରତୀୟ ଗ୍ରୁପ୍‌ କ୍ୟାପ୍ଟେନ୍‌ ଶୁଭାଂଶୁ ଶୁକ୍ଲା । ଫ୍ଲୋରିଡାର କେନେଡି ସ୍ପେସ୍‌ ସେଣ୍ଟର୍‌ରେ ମିଶନର ପ୍ରି-ଲଞ୍ଚ୍‌ କ୍ୱାରେଣ୍ଟିନ୍‌ରେ ସେ  ଉପସ୍ଥିତ ଥିଲେ ।ମିଶନ୍‌ ବିଷୟରେ ସେ କହିଛନ୍ତି, ଗତ  ୧ ବର୍ଷ ହେଲା ମୁଁ ଏଥିପାଇଁ କଠିନ ତାଲିମ ନେଉଛି ।  ଏହାର ସଫଳତା ଉପରେ ମୋର ପୂର୍ଣ୍ଣ ଭରସା ଅଛି ।  ମିଶନ୍‌ର ଭିନ୍ନ ଭିନ୍ନ ଦିଗର ଅନୁଭବ ଆମେ ହାସଲ  କରିଛୁ । ଏଥିପାଇଁ ତଥ୍ୟାତ୍ମକ ଅଧ୍ୟୟନ, ସିମୁଲେଟର  ଟ୍ରେନିଂ ଓ ପାଣିତଳେ ଜୀବିତ ରହିବା ଓ ଆପାତକାଳରୁ  ବାହାରିବାର ବିଭିନ୍ନ ପ୍ରୋଟୋକଲ୍‌ ଆମେ ଶିଖୁଛୁ । ଗତ  କିଛି ମାସ ହେଲା ଏହିସବୁ କାର୍ଯ୍ୟକଳାପର ଅଭ୍ୟାସ  ବାରମ୍ବାର କରାଯାଉଛି । ମିଶନ୍‌କୁ ସଫଳ କରିବା ପାଇଁ  କେବଳ ନିଜ ସାମର୍ଥ୍ୟରେ ନୁହେଁ, ମୋ ଟିମ୍‌ର ସାମର୍ଥ୍ୟ ଉପରେ ମୋର ପୂରା ଭରସା ଅଛି ।’