ନୂଆଦିଲ୍ଲୀ: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ତାରିକ୍ ରହମାନ। ତେବେ ଶପଥ ନେବାର କିଛି ଘଣ୍ଟା ପରେ ତାଙ୍କ ନୂତନ କ୍ୟାବିନେଟର ପ୍ରଥମ ବୈଠକର ଅଧ୍ୟକ୍ଷତା କରିଛନ୍ତି ତାରିକ୍ । ଏହି ବୈଠକରେ, ସରକାର ଏକ ୧୮୦ ଦିନିଆ ପ୍ରାଥମିକତା ଯୋଜନାକୁ ଚୂଡ଼ାନ୍ତ କରିଛନ୍ତି। ପ୍ରାଥମିକତା ଯୋଜନାରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା ବଜାୟ ରଖିବା, ଯୋଗାଣ ଶୃଙ୍ଖଳାକୁ ସ୍ଥିର କରିବା ଏବଂ ଗ୍ୟାସ୍ ଏବଂ ବିଦ୍ୟୁତ୍ ର ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରଥମ କ୍ୟାବିନେଟ୍ ବୈଠକ ଢାକା ସଚିବାଳୟର କ୍ୟାବିନେଟ୍ ଡିଭିଜନରେ ଅନୁଷ୍ଠିତ ହୋଇଥିଲା।
ଗୃହମନ୍ତ୍ରୀ ସଲାହୁଦ୍ଦିନ ଅହମ୍ମଦ କ’ଣ କହିଥିଲେ ?
ବୈଠକ ପରେ ସାମ୍ବାଦିକ ମାନଙ୍କ ସହ କଥାବାର୍ତ୍ତା କରି ଗୃହମନ୍ତ୍ରୀ ସଲାହୁଦ୍ଦିନ ଅହମ୍ମଦ କହିଛନ୍ତି ଯେ, ନୂତନ ସରକାରଙ୍କ ପ୍ରଥମ ଦିନରେ ବୈଠକ କରିବା ଏକ ସାଧାରଣ ଅଭ୍ୟାସ। ସେ କହିଛନ୍ତି କି, ପ୍ରଥମ ୧୦୦ ଦିନ ପାଇଁ ପ୍ରାଥମିକତା ସ୍ଥିର କରିବା ପରିବର୍ତ୍ତେ, ସରକାର ଏକ ବିସ୍ତୃତ ୧୮୦ ଦିନିଆ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହାର ସମ୍ପୂର୍ଣ୍ଣ ବିବରଣୀ ଖୁବ୍ ଶୀଘ୍ର ସାର୍ବଜନୀନ କରାଯିବ। ସଲାହୁଦ୍ଦିନ ଅହମ୍ମଦ କହିଛନ୍ତି, "ଆମର ପ୍ରାରମ୍ଭିକ ପ୍ରାଥମିକତାରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ନିୟନ୍ତ୍ରଣ କରିବା, ଏକ ଦୃଢ଼ ଯୋଗାଣ ଶୃଙ୍ଖଳା ବଜାୟ ରଖିବା ଏବଂ ବିଦ୍ୟୁତ୍ ଏବଂ ଶକ୍ତି କ୍ଷେତ୍ରରେ କୌଣସି ବାଧା ନହେବା ନିଶ୍ଚିତ କରିବା ସାମିଲ ରହିଛି।
ରାଲି, ସମାବେଶ ବାହାନାରେ ବିଶୃଙ୍ଖଳାକୁ ସହ୍ୟ କରାଯିବ ନାହିଁ...
ସଲାହୁଦ୍ଦିନ ଅହମ୍ମଦ ଜୋର ଦେଇ କହିଛନ୍ତି ଯେ, ଆଗାମୀ ରମଜାନକୁ ଦୃଷ୍ଟିରେ ରଖି ବଜାର ସ୍ଥିରତା ପ୍ରତି ବିଶେଷ ଧ୍ୟାନ ଦିଆଯିବ। ପ୍ରଧାନମନ୍ତ୍ରୀ ତାରିକ ରହମାନ ବିଭିନ୍ନ ମନ୍ତ୍ରଣାଳୟର ସଚିବ ମାନଙ୍କ ସହିତ ସାକ୍ଷାତ କରି ଦଳର ନିର୍ବାଚନୀ ଇସ୍ତାହାର ଏବଂ ଜନସାଧାରଣଙ୍କ ଜନାଦେଶକୁ କାର୍ଯ୍ୟକାରୀ କରିବାକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗୃହମନ୍ତ୍ରୀ 'ଭିଡ଼ ସଂସ୍କୃତି' ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଏବଂ ଚେତାବନୀ ଦେଇଛନ୍ତି ଯେ ଏହାକୁ ଆଉ ସହ୍ୟ କରାଯିବ ନାହିଁ। ସେ କହିଛନ୍ତି, "ବାଂଲାଦେଶରେ ଭିଡ଼ ସଂସ୍କୃତି ଶେଷ ହୋଇଯାଇଛି। ଏହାକୁ କୌଣସି ପ୍ରକାରେ ଉତ୍ସାହିତ କରାଯିବ ନାହିଁ। ଲୋକମାନେ ଗଣତାନ୍ତ୍ରିକ ଭାବରେ ରାଲି ଏବଂ କାର୍ଯ୍ୟକ୍ରମ କରିପାରିବେ, କିନ୍ତୁ ଦାବି ପାଇଁ ରାଜମାର୍ଗ ଅବରୋଧ କରାଯାଇପାରିବ ନାହିଁ ।