କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ,୩୦/୦୮: ସକାଳ ପ୍ରାୟ ସାଢ଼େ ୧୦ରୁ ୧୧ଟା ହେବ । ଗୁପ୍ତି ଘାଟ ଅଞ୍ଚଳରେ ବେଶ୍ କିଛି ସମୟ ଆତଙ୍କ ଖେଳାଇଥିଲା ଜଣେ ସନ୍ଦିଗ୍ଧ ଯୁବକ । ଲୋକଙ୍କୁ ଗାଳିଗୁଲଜ କରିବା ସହ ଗୋଡ଼ାଇଥିଲା । କୌଣସି କାରଣରୁ ସେ ତଳେ ପଡ଼ିଯିବା ପରେ ତାକୁ ସ୍ଥାନୀୟ ଲୋକେ ମାଡ଼ି ବସି କାବୁ କରିନେଇଥିଲେ । ତଲାସି ବେଳେ ତା ପାଖରୁ ଏକ ବନ୍ଧୁକ ମିଳିଥିଲା । ଯାହାକୁ ନେଇ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ଗୁପ୍ତି ଘାଟ ନିକଟରୁ ଜଣେ ସନ୍ଦିଗ୍ଧ ବାଂଲାଦେଶୀ ଯୁବକଙ୍କୁ ସ୍ଥାନୀୟ ଲୋକେ କାବୁ କରିଛନ୍ତି । ଯୁବକ ଜଣକ ଘାଟ ପାଖରେ ଥିବା ଏକ ମଦ ଦୋକାନ ଆଗରେ ଛିଡା ହୋଇଥିଲେ । ଏହି ସମୟରେ ସେ କୌଣସି କାରଣରୁ ତଳେ ପଡ଼ିଯାଇଥିଲେ । ତାଙ୍କୁ ଉଦ୍ଧାର କରିବା ସମୟରେ ତାଙ୍କ ଅଣ୍ଟାରେ ଏକ ବନ୍ଧୁକ ଖୋସା ଯାଇଥିବାର ଦେଖିବାକୁ ମିଳିଥିଲା । ପରେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ପୁଲିସକୁ ଖବର ଦେଇଥିଲେ ।
ରିପୋର୍ଟ ଲେଖାଯିବା ସୁଦ୍ଧା ତାଙ୍କର ପରିଚୟ ସ୍ପଷ୍ଟ ହୋଇନାହିଁ । ତାଙ୍କୁ କାବୁ କରିବା ସମୟରେ ସେ ବାରମ୍ବାର କହୁଥିଲେ କି- ମେରେ ଔର ବି ଦୋନୋ ସାଥୀ ହୈ । ଉନହେଁ ବୁଲାଓ । ଅର୍ଥାତ ସେ କହୁଥିଲେ କି ମୋର ଆଉ ଦୁଇ ଜଣ ବନ୍ଧୁ ଅଛନ୍ତି ସେମାନଙ୍କୁ ଡ଼ାକ ।
ଯୁବକ ବ୍ୟାଗ୍ରେ ବନ୍ଧୁକ ରଖିବା ପରେ ତଳେ ପଡ଼ିଯିବାରୁ ଲୋକେ ତାକୁ କାବୁ କରି ନେଇଥିଲେ । ଲୋକେ ବ୍ୟାଗ୍ ଖୋଲିବାରୁ ସେଥିରେ ଏକ ଦେଶୀ ବନ୍ଧୁକ ଥିବା ଦେଖିଥିଲେ । ଖବର ପାଇ ପୁଲିସ ବିଳମ୍ବରେ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ଯୁବକକୁ ହେପାଜତକୁ ନେବା ସହ ତା’ଠାରୁ ବନ୍ଧୁକ ଜବତ କରି ଥାନାକୁ ଆଣିଥିଲା । ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ଯୁବକ ତା’ର ପରିଚୟ ଦେଇଥିଲା । ତା’ଘର ପଶ୍ଚିମବଙ୍ଗ ଉତ୍ତର ଚବିଶ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ସନ୍ଦେଶଖାଲି ଥାନା ଅଞ୍ଚଳର ଦାଉଦପୁର ଗ୍ରାମରେ ବୋଲି କହିଥିଲା । ସେ ପଞ୍ଚାନନ ମଣ୍ଡଳଙ୍କ ପୁଅ ମୃତ୍ୟୁଞ୍ଜୟ ମଣ୍ଡଳ (୩୦) ବୋଲି ପୁଲିସ ସୂଚନା ଦେଇଛି ।