ନୂଆଦିଲ୍ଲୀ,୨୪/୦୧: ସମ୍ପ୍ରତି ଠକେଇ ତଥା ସ୍ପାମ୍‌ କଲ୍‌  ସାଧାରଣ ସମସ୍ୟା ପାଲଟିଲାଣି । ମୋବାଇଲ ଫୋନ୍‌ ୟୁଜର  ଏଭଳି କଲ୍‌ରେ ଫସି ବଡ଼ ମାତ୍ରାରେ ଅର୍ଥ ହରାଉଛନ୍ତି । ଏହି  କଲ୍‌ଗୁଡ଼ିକ ମାଧ୍ୟମରେ ଘୋଟାଲା ଏବଂ ଆର୍ଥିକ ଅପରାଧ  ମାମଲା ଲଗାତର ଭାବେ ବଢ଼ିଚାଲିଛି । ଏହି ଚିନ୍ତାକୁ ଦୂର  କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏକ  ମହତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ଆର୍‌ବିଆଇ ବିତ୍ତୀୟ ପ୍ରତିଷ୍ଠାନଗୁଡ଼ିକ ପାଇଁ ନିଜ ନିଜ ଗ୍ରାହକଙ୍କୁ ଟ୍ରାଞ୍ଜାକ୍‌ସନ  ଏବଂ ମାର୍କେଟିଂ କଲ୍‌ ବେଳେ ବ୍ୟବହାର କରିବା ନିମନ୍ତେ ଦୁଇଟି ସମର୍ପିତ ଫୋନ୍‌ ନମ୍ବର ସିରିଜ୍‌ ଆରମ୍ଭ କରିଛି ।  ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ୟୁଜରଙ୍କୁ ଠକେଇ  କଲ୍‌ରୁ ସୁରକ୍ଷା ପ୍ରଦାନ କରିବା । 

ଆର୍‌ବିଆଇର ନୂଆ ନୋଟିସ୍‌  ଅନୁସାରେ, ବ୍ୟାଙ୍କଗୁଡ଼ିକୁ ଏବେ ସମସ୍ତ ଟ୍ରାଞ୍ଜାକ୍‌ସନ ସମ୍ବନ୍ଧୀୟ  କଲ୍‌ ପାଇଁ ୧୬୦୦ରୁ ଆରମ୍ଭ ହେଉଥିବା ଫୋନ୍‌ ନମ୍ବର୍‌ର  ବ୍ୟବହାର କରିବାକୁ ପଡ଼ିବ । ସେହିଭଳି ମାର୍କେଟିଂ କଲ୍‌  ଏବଂ ଏସ୍‌ଏମ୍‌ଏସ୍‌ ପାଇଁ ଆର୍‌ବିଆଇ ଦୁଇଟି ପୃଥକ ନମ୍ବର ରେଞ୍ଜ୍‌ ଆବଣ୍ଟିତ କରିଛି । ୧୬୦୦ରୁ ଆରମ୍ଭ ହେଉଥିବା  ନମ୍ବରଗୁଡ଼ିକର ବ୍ୟବହାର ବ୍ୟାଙ୍କିଙ୍ଗ୍‌ ସେବାରୁ ଆରମ୍ଭ କରି ମାର୍କେଟିଂ ସମ୍ବନ୍ଧୀୟ ଯୋଗାଯୋଗ ପାଇଁ କରାଯିବ । ସେହିଭଳି ୧୪୦ରୁ ଆରମ୍ଭ ହେଉଥିବା ନମ୍ବରଗୁଡ଼ିକର  ବ୍ୟବହାର ବ୍ୟକ୍ତିଗତ ଋଣ, କ୍ରେଡିଟ୍‌ କାର୍ଡ ଏବଂ ବୀମା  ଭଳି ସେବାଗୁଡ଼ିକର ପ୍ରଚାର କଲ ଏବଂ ଏସ୍‌ଏମ୍‌ଏସ୍‌  ସୂଚନାଗୁଡ଼ିକ ପାଇଁ କରାଯିବ।