ଭୁବନେଶ୍ୱର,୧୭/୦୧: ବିଡିଏ ନୋଟିସ୍‌ ପରେ ଆରମ୍ଭ ହେଲା ବୈକୁଣ୍ଠ ଧାମରେ ଜବର ଦଖଲ ଉଚ୍ଛେଦ କାର୍ଯ୍ୟ । ଗୁରୁବାର ରାତିରେ ଆଶ୍ରମ ଖାଲି ହେବା ପରେ ଶୁକ୍ରବାର ସକାଳ ୧୧ଟାରେ ବୈକୁଣ୍ଠ ଧାମ ପରିସରେ ବୁଲଡୋଜର୍ ସାହାଯ୍ୟରେ ଉଚ୍ଛେଦ ଆରମ୍ଭ କାର୍ଯ୍ୟ ଆରମ୍ଭ ହୋଇଥିଲା । ଜବର ଦଖଲ ଉଚ୍ଛେଦ ସମୟରେ ଆଶ୍ରମ ପରିସରରେ ସୁରକ୍ଷା ପାଇଁ ଏକ ପ୍ଲାଟୁନ୍ ଫୋର୍ସ ମୁତୟନ ରହିଛନ୍ତି । ଏହି ସମୟରେ ଟାଟା ପାୱାରର ଅନେକ କର୍ମଚାରୀଙ୍କ ସହ ବିଡ଼ିଏ, ଜିଏ ଏବଂ ବିଏମ୍‌ସି ଟିମ୍ ମଧ୍ୟ ଆଶ୍ରମ ପରିସରରେ ଉପସ୍ଥିତ ରହିଛନ୍ତି ।

କହିରଖୁ କି, ସାଧାରଣ ପ୍ରଶାସନକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦେଇଥିବା ଏକ ମିଛ ଚିଠି ପ୍ରସ୍ତୁତ କରି ହାଇକୋର୍ଟରେ ଦାଖଲ କଲେ । ହାଇକୋର୍ଟ ସାଧାରଣ ପ୍ରଶାସନକୁ  ଜବାବ ମାଗିବା ପରେ ସତ ଧରା ପଡ଼ିଗଲା । ଏହି ସାଂଘାତିକ କେଳେଙ୍କାରୀର ଗୁମର ଫିଟିବା ପରେ ହାଇକୋର୍ଟ କ୍ଷୁବ୍ଧ ହୋଇଥିଲେ । ରିହାତଦେଶ ହଟାଇବା ପରେ ଶୁକ୍ରବାର ଖଣ୍ଡଗିରି ବୈକୁଣ୍ଠ ଧାମରେ ବୁଲ୍‌ଡୋଜର ବୁଲିବା ନେଇ ଗୁରୁବାର ବିଡିଏ ପକ୍ଷରୁ ନୋଟିସ୍‌ ଜାରି ହୋଇଥିଲା । ଗୁରୁବାର ରାତିରେ ହିଁ ଆଶ୍ରମ ଖାଲି କରାଯାଇଥିଲା ।

ବୈକୁଣ୍ଠ ଧାମ ଉଚ୍ଛେଦରୁ ହାଇକୋର୍ଟ ଶୁକ୍ରବାର ରିହାତଦେଶ ଉଠାଇବା ପରେ ବିଡିଏ ପକ୍ଷରୁ ଏକ ବୈଠକ ବସିଥିଲା । ସେଣ୍ଟ୍ରାଲ ଏନ୍‌ଫୋର୍ସମେଣ୍ଟ ମନିଟରିଂ କମିଟି (ସିଇଏମ୍‌ସି) ପକ୍ଷରୁ ବସିଥିବା ଏହି ବୈଠକରେ, ସାଧାରଣ ପ୍ରଶାସନ, ବିଏମ୍‌ସି,  ପୁଲିସ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।  ଶୁକ୍ରବାର ସକାଳ ୧୧ଟାରେ ବୈକୁଣ୍ଠ ଧାମ ଭାଙ୍ଗିବାକୁ ସମୟ ଧାର୍ଯ୍ୟ ହୋଇଥିଲା । ଏଥିପାଇଁ ଆବଶ୍ୟକୀୟ ପୁଲିସ ଫୋର୍ସ ଯୋଗାଇ ଦେବାକୁ  ବିଡିଏ ଭୁବନେଶ୍ୱର ଡିସିପିଙ୍କୁ ଅବଗତ କରାଇଥିଲେ ।