ଖଲ୍ଲିକୋଟ, ୩୧/୦୫: ଗାଡି ଚାଳକ ସାବଧାନ ହୋଇ ଯାଆନ୍ତୁ। ଖଲ୍ଲିକୋଟ ବଡ଼ ଘାଟିରେ ରାସ୍ତା ଧସୁଛି। ବର୍ଷା ପାଣିରେ ଖାଇ ଗଲାଣି ମୁଖ୍ୟ ରାସ୍ତା। ୧୬ ନମ୍ବର ଜାତୀୟ ରାଜପଥର ଭୁବନେଶ୍ୱର ପଟୁ ବ୍ରହ୍ମପୁର ଆଡକୁ ଯାଉଥିବା ରାସ୍ତା ବଡ଼ ଘାଟି ଉପରେ ଧସୁ ଥିବା ଦେଖାଯାଇଛି।
ପ୍ରକାଶ ଥାଉକି, ମୁଖ୍ୟ ରାସ୍ତାର ପ୍ରାୟ ଦୁଇ ଫୁଟ ଭିତରକୁ ବର୍ଷା ପାଣି ଖାଇ ଗଲାଣି। ତଳକୁ ପ୍ରାୟ ୪ ମଣିଷ ଖାଲ ହୋଇ ଗଲାଣି। ରାସ୍ତା କଡ଼ରେ ଯାଉଥିବା କୌଣସି କାର କିମ୍ବା ବାଇକ ସେହି ଖାଲରେ ପଡିଯିବାର ଯଥେଷ୍ଟ ସମ୍ଭାବନା ରହିଛି। କାର ଏବଂ ବାଇକ ଚାଳକଙ୍କୁ ବିପଦ ଯେମିତି ହାତ ଠାରି ଡାକୁଛି। ସେହି ସ୍ଥାନଠାରୁ ଅନତି ଦୂରରେ ଜେସିବି ଦ୍ୱାରା ମୁଖ୍ୟ ରାସ୍ତାକୁ ରାମ୍ପୁଡି ଦିଆଯାଇଛି।
ରାସ୍ତା ମରାମତି ହେବ ବୋଲି ପ୍ରାୟ ଦୁଇ ବର୍ଷ ତଳେ ଜେସିବି ଦ୍ୱାରା ମୁଖ୍ୟ ରାସ୍ତାକୁ ରାମ୍ପୁଡି ଗାର ଗାର ହେଲା ଭଳି କରି ଦିଆଯାଇଥିବା ବେଳେ ଏ ଯାଏଁ କୌଣସି ମରାମତି କାମ ଆରମ୍ଭ ହୋଇନାହିଁ। ସେହି ରାସ୍ତାରେ ବାଇକ କିମ୍ବା ସ୍କୁଟି ଗଲା ବେଳେ ଭାରସାମ୍ୟ ରହୁନାହିଁ। ଯାହା ଫଳରେ ବାଇକ ଓ ସ୍କୁଟି ଆରୋହୀ ଦୁର୍ଘଟଣାର ସମ୍ମୁଖୀନ ହୋଇ ଆହତ ହୋଇଥିବା ନଜୀର ରହିଛି। ତେଣୁ ଜାତୀୟ ରାଜପଥ କର୍ତ୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ବିହିତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବୀ ହେଉଛି।