କଟକ,୧୫/୦୨: ଦୀର୍ଘ ୫ ବର୍ଷ ହେଲାଣି ରହସ୍ୟ ଘେରରେ ଥିବା ମଧୁପାଟଣା ଥାନା ଅନ୍ତର୍ଗତ ବେଲେଶ୍ୱରର ବୃଦ୍ଧ  ଦମ୍ପତି ଶ୍ରୀନାଥ ସାମଲ ଓ ବିଦୁଲତା ସାମଲ ହତ୍ୟା ମାମଲାର  ପର୍ଦ୍ଦାଫାସ ହୋଇଛି । ୨୦୧୯ ମସିହାରେ ହୋଇଥିବା ଏହି  ଚାଞ୍ଚଲ୍ୟକର ହତ୍ୟା ମାମଲାର ଦୁର୍ବୃତ୍ତମାନେ ଆଉ ଧରାପଡ଼ିବେ  ନାହିଁ ବୋଲି ସାଧାରଣରେ ଏକ ଧାରଣା ଦୃଢ଼ ହୋଇଯାଇଥିବା  ବେଳେ କମିସନ୍‌ରେଟ୍‌ ପୁଲିସ ବାଜି ପଲଟାଇ ଦେଇଛି । ପୁଲିସକୁ  ଚକ୍‌ମା ଦେଇ ହତ୍ୟାକାଣ୍ଡ ଅଞ୍ଚଳରେ ବେଶ୍‌ ଆରାମରେ ରହୁଥିବା  ଚାକରାଣୀ ବାସନ୍ତୀ ସମଦ ଏବଂ ତାର ସ୍ୱାମୀ ସନ୍ତୋଷ ଓରଫ  ଇମନ ସମଦ ଶେଷରେ ବନ୍ଧା ହୋଇଛନ୍ତି । ଅଭିଯୁକ୍ତ ଦମ୍ପତିଙ୍କ  ଘର ସୁନ୍ଦରଗଡ଼ରେ ହୋଇଥିବା ବେଳେ ସେମାନେ ବେଲେଶ୍ୱର  ନିକଟବର୍ତ୍ତୀ ତିନିଘରିଆ ଅଞ୍ଚଳରେ ରହୁଥିଲେ । ସେମାନଙ୍କୁ  ଧରିବା ପାଇଁ ଗଲା ଡିସେମ୍ବରରୁ ପୁଲିସ ଜାଲ ବିଛାଇଥିଲା । ସାଦା ପୋଷାକରେ ଏକାଧିକ ପୁଲିସ ପାଖାପାଖି ଦୁଇ ମାସ  ହେବ ସନ୍ତୋଷ ଓ ବାସନ୍ତୀ ସହ ମିଳାମିଶା କରୁଥିଲେ । ଘର ମାଲିକ ଶ୍ରୀନାଥ ସାମଲ ଟଙ୍କା ଉଧାର ଦେବାକୁ ମନା କରିଦେବାରୁ  ବାସନ୍ତୀ ଓ ସନ୍ତୋଷ ଏହି ବୀଭତ୍ସ ହତ୍ୟାକାଣ୍ଡ  ଭିଆଇଥିଲେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ଏସ୍‌.  ଦେବଦତ୍ତ ସିଂହ ସୂଚନା ଦେଇଛନ୍ତି ।  

ମାମଲାର ତଦନ୍ତ ପାଇଁ ଗଠିତ  ହୋଇଥିବା ନୂଆ ଟିମ୍‌ ବେଶ୍‌ ନାଟକୀୟ  ଢଙ୍ଗରେ ହତ୍ୟାକାରୀ ଦ୍ୱୟଙ୍କୁ ଗିରଫ  କରିବାରେ ସଫଳ ହୋଇଛି। ହତ୍ୟାକାଣ୍ଡ  ସମୟରେ ଚାକରାଣୀ ବାସନ୍ତୀର ମୋବାଇଲ୍‌  ଫୋନ୍‌ ପ୍ରାୟ ୪୦ ଘଣ୍ଟା ବନ୍ଦ ରହିବା ଘଟଣା  ଆରମ୍ଭରୁ ହିଁ ସନ୍ଦେହ ବଳୟରେ ଥିଲା ।  ସେତେବେଳେ ପୁଲିସ ଏହି ଘଟଣାକୁ  ହତ୍ୟା ସହ ଯୋଡ଼ିପାରିନଥିଲା । ତେବେ ନୂଆ ଟିମ୍‌ ଏହି ଛୋଟ  ସୁରାକ୍‌ ଧରି ଦୁଇ ଅଭିଯୁକ୍ତଙ୍କଠାରୁ ସତ ଓକାଳିବା ସହିତ  ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛନ୍ତି । ଦୀର୍ଘବର୍ଷ ପରେ ହତ୍ୟାକାରୀ  ଗିରଫ ହୋଇଥିବାରୁ ଶ୍ରୀନାଥଙ୍କ ପରିବାର ବର୍ଗ ଖୁସି ବ୍ୟକ୍ତ  କରିଛନ୍ତି । ତେବେ ଏହି ହତ୍ୟାକାଣ୍ଡ ପଛରେ ଆଉ କିଛି  ଲୋକଙ୍କ ହାତ ଅଛି ବୋଲି ସେମାନେ ସନ୍ଦେହ ବ୍ୟକ୍ତ କରିଛନ୍ତି । 

୨୦୧୯ ମସିହା ଡିସେମ୍ବର ୧୨ ତାରିଖ ରାତିରେ  ବେଲେଶ୍ୱରରେ ରହୁଥିବା ଶ୍ରୀନାଥ ସାମଲ ଓ ପତ୍ନୀ ବିଦୁଲତା  ସାମଲଙ୍କୁ ବୀଭତ୍ସ ଭାବେ ହାଣି ହତ୍ୟା କରାଯାଇଥିଲା । ପୁଲିସ  ବହୁ ଘଣ୍ଟାଚକଟା କରିଥିଲେ ମଧ୍ୟ ହତ୍ୟାକାରୀଙ୍କ ନିକଟରେ  ପହଞ୍ଚିପାରି ନଥିଲା । କମିସନ୍‌ରେଟ୍‌ ପୁଲିସ ପାଇଁ ଏହା ଏକ  ବଡ଼ ବିଫଳତା ପାଲଟିଥିଲା । ତେବେ କମିସନର ଭାବେ ଦାୟିତ୍ୱ  ନେବା ପୂର୍ବରୁ ଏସ୍‌. ଦେବଦତ୍ତ ସିଂହଙ୍କୁ ମୃତକଙ୍କ ପରିବାର  ପୁଲିସ ମୁଖ୍ୟାଳୟରେ ଭେଟିଥିଲେ । ତେଣୁ ସେ ସିପି ଭାବେ  ଦାୟିତ୍ୱ ନେବା ପରେ ମାମଲାର ପୁନଃ ତଦନ୍ତ ପାଇଁ କଟକ ଡିଆଇବି ଏସିପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌  ଗଠନ କଲେ । 

ଏଥିରେ ଏକାଧିକ ଅଫିସର ଓ ସ୍ପେସାଲ୍‌ ସ୍କ୍ୱାଡ୍‌  ଟିମ୍‌ ମଧ୍ୟ ସାମିଲ ହେଲା । ତଦନ୍ତ ବେଳେ ଘଟଣା ସମୟର  ସବୁ ଫାଇଲ୍‌ ଯାଞ୍ଚ ହେଲା । ଏପରିକି ୨୫ ଜଣ ସନ୍ଦିଗ୍ଧଙ୍କ ସେ’  ସମୟର ଫୋନ୍‌ କଲ୍‌ ରେକର୍ଡ ଯାଞ୍ଚ ହେଲା । ସେଥିରୁ ଚାକରାଣୀ  ବାସନ୍ତୀର ଫୋନ୍‌ ପ୍ରାୟ ୪୦ ଘଣ୍ଟା ବନ୍ଦ ଥିବା ଜଣାପଡ଼ିଲା । ହତ୍ୟାର  ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଡିସେମ୍ବର ୧୧ ତାରିଖ ସକାଳୁ ଓ  ହତ୍ୟାର ଗୋଟିଏ ଦିନ ପର ୧୩ ତାରିଖ ପର୍ଯ୍ୟନ୍ତ ଫୋନ୍‌ ବନ୍ଦ  ରହିଥିଲା । ଏହି କଥା ତଦନ୍ତକାରୀ ଟିମ୍‌କୁ ଅଡ଼ୁଆ ଲାଗିଥିଲା । 

କେମିତି କରିଥିଲେ ହତ୍ୟା..  


ଘଟଣାର ପୂର୍ବଦିନ ବାସନ୍ତୀ ଓ ସନ୍ତୋଷ ଯୋଜନାବଦ୍ଧ ଭାବେ  ନିଜ ପୈତୃକ ଘର ସୁନ୍ଦରଗଡ଼ ଯାଇଥିଲେ । ସେଠାରେ ବାସନ୍ତୀ  ଫୋନ୍‌ ବନ୍ଦ କରିବା ପରେ ଦୁହେଁ ପୁଣି କଟକ ଆସିଥିଲେ ।  ବାସନ୍ତୀ ତିନିଘରିଆ ଘରେ ରହିଥିବା ବେଳେ ଏକ କଟୁରୀ  ନେଇ ସନ୍ତୋଷ ସାମଲ ଦମ୍ପତିଙ୍କ ଘରକୁ ଆସିଥିଲା । ଶ୍ରୀନାଥ  ସାମଲ କବାଟ ଖୋଲିବା ମାତ୍ରେ, ତାଙ୍କୁ କଟୁରୀରେ ସନ୍ତୋଷ  ହାଣିଥିଲା । ଏହା ଦେଖି ପତ୍ନୀ ବିଦୁଲତା ଏକ ପନିକି ଆଣି  ସନ୍ତୋଷଙ୍କୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ତାଙ୍କୁ  ମଧ୍ୟ ସନ୍ତୋଷ ହାଣିଦେଇଥିଲା । କିଛି ସମୟ ଘରେ ଟଙ୍କା  ଓ ସୁନା ଖୋଜାଖୋଜି କରିଥିଲେ ବି କିଛି ନପାଇ ସେଠାରୁ  ସନ୍ତୋଷ ପଳାଇଥିଲା । ସଂଯୋଗବଶତଃ ଏହି ସମୟରେ  ବିଦ୍ୟୁତ୍‌ କଟ୍‌ ହୋଇଥିଲା । ତେଣୁ ତରତରରେ ସେ କଟୁରୀ  ଛାଡ଼ି ଯାଇଥିଲା । ଗଲାବେଳେ ରକ୍ତଭିଜା ପୋଷାକ ତାଳଦଣ୍ଡା  କେନାଲ୍‌ରେ ପକାଇ ଦେଇଥିଲା । ସେହି ରାତିରେ ପୁଣି  ସନ୍ତୋଷ ଓ ପତ୍ନୀ ବାସନ୍ଦୀ ସୁନ୍ଦରଗଡ଼ ଫେରିଯାଇଥିଲେ ।  ୧୩ ତାରିଖ ସକାଳୁ ଫୋନ୍‌ ଖୋଲିଥିଲେ । ଏହି ଘଟଣାକୁ  ସେହି ସମୟରେ ପୁଲିସ ଅଧିକାରୀ ଗୁରୁତର ସହିତ  ନେଇନଥିବାରୁ ହତ୍ୟା ମାମଲାର ରହସ୍ୟ ଖୋଲି ନଥିଲା ।

ଦୁଇ ମାସ ଧରି ଛଦ୍ମବେଶରେ ପୁଲିସ 

ଚାକରାଣୀ ଓ ତାର ସ୍ୱାମୀ ସନ୍ତୋଷଠାରୁ ପ୍ରକୃତ କଥା ଜାଣିବା ପାଇଁ  ପୁଲିସ ଡିସେମ୍ବରରେ ସ୍ୱତନ୍ତ୍ର ଯୋଜନା କରିଥିଲା । ସାଦା ପୋଷାକରେ  କିଛି ପୁଲିସ କର୍ମଚାରୀଙ୍କୁ ବାସନ୍ତୀ ଓ ସନ୍ତୋଷ ରହୁଥିବା ତିନିଘରିଆ  ଆମ୍ବତୋଟା ବସ୍ତି ନିକଟରେ ମୁତୟନ କରାଗଲା । ସେମାନେ  ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ଦିନ ବସାଉଠା କରିବା ସହିତ ବାସନ୍ତୀ  ଓ ସନ୍ତୋଷ ସହିତ ସମ୍ପର୍କ ବଢ଼ାଇଥିଲେ । ସଂପର୍କ ଘନିଷ୍ଠ ହେବା  ପରେ ଛଦ୍ମବେଶରେ ଥିବା ପୁଲିସ କର୍ମଚାରୀ ଅଭିଯୁକ୍ତ ସନ୍ତୋଷକୁ  ଏକ ମିଛ ଖବର ଦେଇଥିଲେ କି, ‘ସିଡିଏ ଅଞ୍ଚଳରେ ଏକ ବୃଦ୍ଧ  ଦମ୍ପତି କିଛି ଜମି ବିକି କୋଟି କୋଟି ଟଙ୍କା ରଖିଛନ୍ତି । ଟଙ୍କା କେଉଁଠି  ଅଛି ତାହା ଘର ଚାକର ଜାଣିଛି । ତେଣୁ ସେହି ଘରୁ ଯଦି ଲୁଟ୍‌ କରିହୁଅନ୍ତା ତାହେଲେ ସମସ୍ତେ ମୋଟା ଅଙ୍କର ଟଙ୍କା ପାଆନ୍ତେ’ । ଏହି ଜାଣିବା ପରେ ସନ୍ତୋଷ ଲୁଟ୍‌ରେ ସାମିଲ ହେବା ପାଇଁ ଆଗଭର  ହୋଇଥିଲା । ସନ୍ତୋଷ କହିଥିଲା କି ସେ ବେଶ୍‌ ସହଜରେ ବୃଦ୍ଧ  ଦମ୍ପତିଙ୍କୁ ମାରି ଟଙ୍କା ଲୁଟ କରିପାରିବ । ଏପରିକି ଖବର ଦେଇଥିବା  ଚାକରକୁ ବି ମାରିଦେବା ବୋଲି ସନ୍ତୋଷ ପ୍ରସ୍ତାବ ଦେଇଥିଲା । ଏହି  କଥା ଶୁଣିବା ପରେ ଛଦ୍ମବେଶରେ ଥିବା ପୁଲିସ କର୍ମଚାରୀ ତା’ଠାରୁ ଅଧିକ ତଥ୍ୟ ଆଦାୟ କରିବାକୁ ଚାହିଁଲେ । ଏକ ଭୋଜିର ଆୟୋଜନ  କରି ସନ୍ତୋଷକୁ ମଦ ପିଆଇ ତା’ଠାରୁ କଥା ବାହାର କରିବାକୁ ଉଦ୍ୟମ କଲେ । ଏହି ଯୋଜନା ସଫଳ ହୋଇଥିଲା । ସନ୍ତୋଷ  କହିଥିଲଳା କି, ‘ଏଭଳି ଚୋରି ମୋ’ ପାଇଁ ବଡ଼ କଥା ନୁହେଁ । 

୫  ବର୍ଷ ତଳେ ବେଲେଶ୍ୱରରେ ବୁଢ଼ା-ବୁଢୀଙ୍କୁ ମାରିଥିଲି । ଆଜି ପର୍ଯ୍ୟନ୍ତ  ଧରାପଡ଼ିନି । ସନ୍ତୋଷର ଏହି କଥାକୁ ପୁଲିସ କର୍ମଚାରୀମାନେ  ଫୋନ୍‌ରେ ଗୁପ୍ତ ଭାବେ ରେକର୍ଡ କରିଥିଲେ । ଫଳରେ ପୁଲିସ  ଏକପ୍ରକାର ନିଶ୍ଚିତ ହୋଇଥିଲା ସନ୍ତୋଷ ଓ ବାସନ୍ତୀ ହିଁ ପ୍ରକୃତ  ହତ୍ୟାକାରୀ। ପରେ ତଦନ୍ତକାରୀ ଟିମ୍‌ ଦୁଇ ଜଣଙ୍କୁ ଧରିନେଇ  ପଚରାଉଚରା କରିବାରୁ ଦୁହେଁ ସବୁକଥା ସ୍ୱୀକାର କରିଥିଲେ ବୋଲି  କଟକ ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି । ଦୁହେଁ  ଏକାଧିକ ଥର ସାମଲ ଦମ୍ପତିଙ୍କଠାରୁ ଟଙ୍କା ଧାର ନେଇ ଆଉ ଫେରାଇ  ନଥିଲେ । ଟଙ୍କା ଫେରସ୍ତ କରିନଥିବାରୁ ସାମଲ ଦମ୍ପତି ଆଉ ଟଙ୍କା  ଧାର ଦେବାକୁ ରାଜି ହୋଇନଥିଲେ । ଏପରିକି ପୂର୍ବ ଧାର ଟଙ୍କା  ଫେରାଇବା ପାଇଁ ସାମଲ ଦମ୍ପତି ବହୁବାର ଗାଳିଗୁଲଜ କରନ୍ତି ବୋଲି  ବାସନ୍ତୀ ଓ ସନ୍ତୋଷ ପୁଲିସ ଆଗରେ କହିଛନ୍ତି । ତେଣୁ ପ୍ରତିଶୋଧ  ପରାୟଣ ହୋଇ ଦୁଇ ଜଣଙ୍କୁ ହତ୍ୟା କରିଥିବା ବାସନ୍ତୀ ଓ ସନ୍ତୋଷ  ଜେରାରେ ସ୍ୱୀକାର କରିଛନ୍ତି ବୋଲି ଡିସିପି ଶ୍ରୀ ମୀନା କହିଛନ୍ତି ।