ବ୍ରହ୍ମପୁର ୧୦/୦୩: ବ୍ରହ୍ମପୁରର ଅଧିଷ୍ଠାତ୍ରୀ  ମାଆ ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ର ପାଇଁ  ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମାଆଙ୍କ ଯାତ୍ରା ପାଇଁ  ଆସନ୍ତା ୧୨ ତାରିଖରେ ଶୁଭଖୁଣ୍ଟି ସ୍ଥାପନ ହେବ । ରବିବାର ଅପରାହ୍ନରେ ଯାତ୍ରା ପରିଚାଳନା କମିଟି  ତଥା ମାଆ ବୁଢ଼ୀ ଠାକୁରାଣୀଙ୍କ ବାପା ପାତର୍ଲା  ଦୁର୍ଗା ପ୍ରସାଦ ଦେଶିବେହେରା ସୂଚନା ଦେଇଛନ୍ତି ।  

ପୁରୋହିତ ଭି. ବାସୁଦେବ ଶାସ୍ତ୍ରୀଙ୍କ ଗଣନାନୁଯାୟୀ  ଚଳିତମାସ ୯ ଓ ୧୨ ଦୁଇଦିନ ଭଲ ଯୋଗ  ଥିଲା । ଏଥି ମଧ୍ୟରୁ ୧୨ ତାରିଖକୁ ମାଆଙ୍କ ବାପ ଘର ପକ୍ଷରୁ ଚୟନ କରାଯାଇଥିଲା । ଏହାପରେ  ପୁରୋହିତଙ୍କ ଦ୍ୱାରା ୧୨ ତାରିଖ ରାତ୍ର ୯.୩୦ରୁ  ମଧ୍ୟରାତ୍ର ୨.୩୦ ମଧ୍ୟରେ ଶୁଭ ମୁହୂର୍ତ୍ତ ରହିଥିବା କହିଛନ୍ତି । ସେହିଦିନ ରାତ୍ର ୯ଟାରେ ମାଆଙ୍କ ବାପ  ଘର ଦେଶିବେହେରାଙ୍କ ଘର ସମ୍ମୁଖରେ ବୈଠକ ଅନୁଷ୍ଠିତ ହେବ । ସେଠାରୁ ବିରାଟ ପଟୁଆରରେ ମୁଖ୍ୟ ମନ୍ଦିରକୁ ଶୁଭଖୁଣ୍ଟି ସ୍ଥାପନ ପାଇଁ ଆଜ୍ଞାମାଳ  ଆଣିବାକୁ ଯିବେ । ମାଆ ଠାକୁରାଣୀଙ୍କ ମୁଖ୍ୟ  ମନ୍ଦିରରେ ପୂଜାର୍ଚ୍ଚନା ହେବ । ଆଜ୍ଞାମାଳ ମିଳିବା  ପରେ ଶୁଭଖୁଣ୍ଟି ପୂଜା କରି ପଟୁଆରରେ ସହର  ପରିକ୍ରମା କରି ଦେଶିବେହେରା ସାହିରେ  ପହଞ୍ଚିବେ । ବାପାଙ୍କ ଘର ସମ୍ମୁଖରେ ତାହାକୁ  ସ୍ଥାପନ କରାଯିବ ବୋଲି ଯାତ୍ରା ମୁଖ୍ୟ ପରିଚାଳକ  ଦୁର୍ଗାପ୍ରସାଦ ଦେଶିବେହେରା ସୂଚନା ଦେଇଛନ୍ତି ।