ଭୁବନେଶ୍ୱର, ୨୧।୨: ଶୁକ୍ରବାର ସଂଧ୍ୟା ସୁଦ୍ଧା ଭୁବନେଶ୍ୱରର ବାୟୁର ଏକ୍ୟୁଆଇ(ବାୟୁ ଗୁଣାତ୍ମକ ମାନକ) ୧୭୬ ପାର୍ । ଏତିକିରେ ବି ସ୍ଥିତି ଅସମ୍ଭାଳ । ଖୋଲା ସ୍ଥାନରେ ଠିଆ ହେବାକୁ କଷ୍ଟ ଲାଗୁଥିଲା । ଯେଉଁଠି ଠିଆ ହେଲେ ବି ଅଣନିଶ୍ୱାସୀ ଭଳି ଅନୁଭବ ହେଉଥିଲା । ପୁଣି ବିଗିଡ଼ିଛି ବାୟୁର ମାନ । ସ୍ୱଚ୍ଛ ବାୟୁ ଟିକେ ମିଳିବା ଏବେ ସ୍ୱପ୍ନ । ସକାଳ କି ସଂଧ୍ୟା, ଗାଡ଼ିରେ, ଅବା ଚାଲିକି ଯାଅ ଧୂଳିରୁ ତ୍ରାହି ନାହିଁ । ଘରୁ ଗୋଡ଼ କାମିଲେ ଖୋଜାପଡ଼ୁଛି ରୁମାଲ । ନଚେତ ବାଟରେ ଦୋକାନ ଦେଖି ମାସ୍କ କିଣାଯାଉଛି । ଆଜି କି କାଲି ନୁହେଁ, ଦୀର୍ଘଦିନ ଧରି ପ୍ରଦୂଷଣ ସ୍ଥିତି ଲୋକଙ୍କ ପିଛା ଛାଡ଼ୁନି । ପଳାଶୁଣିରୁ ନେଇ ଜୟଦେବ ବିହାର, ଆଚାର୍ଯ୍ୟବିହାରରୁ ଖଣ୍ଡଗିରି, ପାତ୍ରପଡ଼ା, ପଟିଆରୁ ନେଇ ଚନ୍ଦ୍ରଶେଖରପୁର, କଳ୍ପନାରୁ ନେଇ ପୁରୀ-କଟକ ରୋଡ୍ ପର୍ଯ୍ୟନ୍ତ ସବୁଠି ବିଷାକ୍ତ ଧୂଳି । ଏମିତି ସେମିତି ଧୂଳି ନୁହେଁ, କଳା ଓ ନାଲି ମଚମଚ ପାଉଡର ଭଳି ଦେଖାଯାଉଛି । ଯାହା ଶରୀରରେ ଲାଗିଲେ, କୁଣ୍ଡେଇ ହେଉଛି । ଆଖିରୁ ପାଣି ଗଡ଼ୁଛି । କେବଳ ସହର ନୁହେଁ, ଉପକଣ୍ଠ ଧଉଳି, ବାଲିଅନ୍ତା, ବାଳକାଟି ସହ ବାଙ୍କୁଆଳ ଯାଏ ବି ଧୂଳି ପ୍ରଦୂଷଣ ଲୋକଙ୍କୁ ଆକ୍ତାମାକ୍ତା କରିପକାଉଛି ।

ଏହା ବି ପଢ଼ନ୍ତୁ... ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ପୁଅ-ବୋହୂଙ୍କୁ ନିଜ ସମ୍ପତ୍ତିରୁ ବେଦଖଲ କରିପାରିବେ ମା’

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁସାରେ, ଶୁକ୍ରବାର ଭୁବନେଶ୍ୱରରେ ବାୟୁର ଏକ୍ୟୁଆଇ ୧୭୬ ଥିଲା । ଯାହା ମଧ୍ୟମ ତଥାପି ଚିନ୍ତାଜନକ । ସାଧାରଣତଃ ଏକ୍ୟୁଆଇ ଶୂନ୍ରୁ ୫୦ ମଧ୍ୟରେ ରହିବା କଥା, ହେଲେ ଏବେ ଏକ୍ୟୁଆଇ ତିନିଗୁଣରୁ ଅଧିକ ହୋଇଯାଉଛି । ଯାହା ହୃଦରୋଗ, ଆସ୍ଥମା(ଶ୍ୱାସ) ଓ ଯକ୍ଷ୍ମା ଭଳି ଭୟଙ୍କର ସ୍ୱାସ୍ଥ୍ୟ ସମସ୍ୟା ଆଣିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଚେତାଇ ଦେଇଛନ୍ତି । ରାଜଧାନୀରେ ଧୂଳି ପ୍ରଦୂଷଣ ହେବାର ଅନେକ କାରଣ ରହିଛି । ଗୋଟିଏ ପଟେ ପ୍ରକଳ୍ପ ପାଇଁ ଗଛ କଟାଯାଉଛି । ଏବେ ଯେଉଁଠି ଦେଖିବ ମନଇଚ୍ଛା ଖୋଳାତଡ଼ା ଚାଲିଛି । ନୂଆ କୋଠା ଓ ଆପାର୍ଟମେଣ୍ଟ ନିର୍ମାଣ ସାଙ୍ଗକୁ ରାସ୍ତା ଖୋଳି ଦେଇ ମାଟିକୁ ରାସ୍ତା ଉପରେ ପକାଇ ଦେଇ ନିର୍ମାଣ ସଂସ୍ଥା ଛୁ’ । ସେହି ମାଟି ଯାନବାହନ ଯାତାୟାତ ବେଳେ ରାସ୍ତାରେ ଉଡ଼ୁଛି । ଭୁବନେଶ୍ୱରର ୟୁନିଟ୍-୮ ଡିଏଭିରୁ ନେଇ ପାୱାର ହାଉସ୍, ଗଣ୍ଡମୁଣ୍ଡା ବ୍ୟତୀତ ଅନେକ ଅଞ୍ଚଳରେ ଏଭଳି ନଜିର ରହିଛି । ସେହିପରି ଏକାମ୍ର କାନନ ପଛପଟ ତଥା ସାଲିଆ ସାହି ବସ୍ତି ଉଚ୍ଛେଦ ପରେ ନିର୍ମାଣାଧୀନ ରାସ୍ତାର ସ୍ଥିତି ସାଂଘାତିକ । ସେଠାରେ ଭୟଙ୍କର ଧୂଳି ଉଡ଼ୁଛି ।

ସେହିପରି ନିର୍ମାଣ କାର୍ଯ୍ୟଠୁ ନେଇ ବଡ଼ବଡ଼ ଶିଳ୍ପ ପ୍ରତିଷ୍ଠାନରୁ ନିର୍ଗତ ଧୂଆଁ ବି ବାୟୁ ପ୍ରଦୂଷଣକୁ ଦ୍ୱିଗୁଣିତ କରୁଛି । ରାତି ଅଧିଆ ରାସ୍ତା ଫଟା ଯାଉଛି । ହେଲେ ଏହାକୁ ରୋକିବା ଲାଗି ପଦକ୍ଷେପ ନେବାକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସତେ ଯେମିତି ଭୁଲି ଯାଇଛନ୍ତି । ଗତ ଜାନୁଆରୀ ମାସରେ ରାଜଧାନୀରେ ବାୟୁର ଏକ୍ୟୁଆଇ ୩୦୦ ଟପିଥିଲା । ପ୍ରଦୂଷଣ ଆକାଶ ଛୁଇଁଥିବାରୁ ସରକାରଙ୍କ ଚିନ୍ତା ପଶିଥିଲା । ସେଥିପାଇଁ ସଂଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରିବା, ରାତିରେ ଭାରିଯାନ ପ୍ରବେଶ ନହେବା, ଦିନକୁ ୩ଥର ଜାତୀୟ ରାଜପଥ(ଏନ୍ଏଚ୍) ରେ ପାଣି ସିଞ୍ଚନ ଆଦି କରାଯିବାକୁ ନିର୍ଦ୍ଦେଶ ଆସିଥିଲା । ହେଲେ ଏହା ମାତ୍ର ସପ୍ତାହେ ପର୍ଯ୍ୟନ୍ତ ବଳବତ୍ତର ହୋଇଥିଲା । ପରେ ଯେଉଁ କଥାକୁ ସେହି କଥା । ମଞ୍ଚେଶ୍ୱର ନିବାସୀ ନିହାର ରଂଜନ ବିଶ୍ୱାଳ କହିଛନ୍ତି, ଭୁବନେଶ୍ୱରରେ ସକାଳ ଓ ସଂଧ୍ୟା ଜାଣିହେଉନି । ଏଠାରେ ନା ଖୋଲା ଆକାଶ ଅଛି ନା ଭଲ ପବନ ଟିକେ ଦେହରେ ବାଜୁଛି ।

ବାୟୁ ପ୍ରଦୂଷଣ ରୋକିବାକୁ ପ୍ରଥମେ ସଚେତନ ହେବାକୁ ପଡ଼ିବ । ରାସ୍ତାର ଦୁଇ ପାଶ୍ୱର୍ରେ ବ୍ୟାପକ ବୃକ୍ଷ ରୋପଣ କରାଯାଉ । ନିର୍ମାଣ କାର୍ଯ୍ୟ ପାଇଁ ବାଲି, ସିମେଣ୍ଟ, ଗୋଡ଼ି ଆଦି ସବୁ ଆଦି ପରିବହନ ବେଳେ ତାକୁ ଘୋଡ଼ାଇ ରଖାଯାଉ । ଯେଉଁଠି ଅଧିକ ପ୍ରଦୂଷଣ ହେଉଛି, ସେଠାରେ ପାଣି ସିଞ୍ଚନ କରିବାକୁ ଶ୍ରୀ ବିଶ୍ୱାଳ କହିଛନ୍ତି । କ୍ୟାପିଟାଲ ହସ୍ପିଟାଲର ପଲ୍ମୋନୋଲୋଜିଷ୍ଟ୍ ଡା. ସୁଦାମ ଚରଣ ଷଡ଼ଙ୍ଗୀ କହିଛନ୍ତି, ଶରୀରର ମୁଖ୍ୟ ହେଉଛି ଅମ୍ଳଜାନ । ବିଭିନ୍ନ ଅଙ୍ଗକୁ ଅମ୍ଳଜାନ ପହଞ୍ଚାଏ ଫୁସଫୁସ । ହେଲେ ଅମ୍ଳଜାନ ବଦଳରେ ଧୂଳି ପଶିଲେ ଶ୍ୱାସନଳୀ ବନ୍ଦ ହୋଇଯିବ । ବିଶେଷକରି ଛୋଟ ଶିଶୁ ଓ ଆସ୍ଥମା ରୋଗୀ ସଚେତନ ହେବା ଉଚିତ । ପ୍ରଦୂଷଣଠୁ ବଞ୍ଚିବାକୁ ହେଲେ ମାସ୍କ ପିନ୍ଧିବେ ।