ନୂଆଦିଲ୍ଲ,୧୮/୦୭: ସାପ କାମୁଡାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବା ପରେ ସମସ୍ତ ଏହାକୁ ଦୁର୍ଘଟଣା ବୋଲି ଭାବୁଥିଲେ । ସ୍ତ୍ରୀ କାନ୍ଦୁଥିଲେ । ପରିବାର ସ୍ତବ୍ଧ ଥିଲେ । ଶୋଇଥିବା ବେଳେ ବିଛଣାରେ ଏକ ବିଷାକ୍ତ ସାପ ବି ମିଳିଥିଲା । ହେଲେ କିଛି ଘଣ୍ଟା ପରେ ପୁଲିସ୍ ତଦନ୍ତରେ ସବୁକିଛି ଓଲଟପାଲଟ ହୋଇଗାଲ । ଏ ମୃତ୍ୟୁ ଦୁର୍ଘଟଣା ନଥିଲା ବଂର ଦୁର୍ଘଟଣାର ରୂପ ଦିଆଯାଇଥିଲା । ଏକ ଯୋଜନାବଦ୍ଧ ହତ୍ୟା କରାଯାଇଥିବା ପୁଲିସ୍ ତଦନ୍ତରୁ ଜାଣିବାକୁ ପାଇଛି । ସ୍ୱାମୀକୁ ରାସ୍ତାରୁ ହଟାଇବାକୁ ପ୍ରେମିକ ସହ ମିଶି ଏହି ଭୟଙ୍କର ଷଡ଼ଯନ୍ତ୍ର କରିଥିଲା ସ୍ତ୍ରୀ । ପ୍ରଥମେ କ୍ଷୀରରେ ନିଦ ବଟିକା ମିଶାଇ ସ୍ୱାମୀଙ୍କୁ ପିଇବାକୁ ଦେଇଥିଲା ସ୍ତ୍ରୀ । ଏହା ପରେ ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ସେ ଘୋଡିହୋଇଥିବା କମ୍ବଳ ତଳେ ବିଷାକ୍ତ ସାପ ଛାଡି ଦେଇଥିଲା । ଉତ୍ତରପ୍ରଦେଶ ମେରଟରୁ ଆସିଛି ଏହି ଛାତିଥରା ଘଟଣା ।
ଅତୁଲ ପନୱାରଙ୍କ ମୃତ୍ୟୁକୁ ପ୍ରଥମେ ସର୍ପାଘାତ ଦୁର୍ଘଟଣା ବୋଲି କୁହାଯାଉଥିଲା । କିନ୍ତୁ ପୁଲିସ ତଦନ୍ତରେ ଏହା ଏକ ହତ୍ୟା ବୋଲି ଜଣାପଡିଛି । ପୁଲିସର ସୂଚନା ଅନୁଯାୟୀ, ତାଙ୍କ ପତ୍ନୀ ଦାମିନୀ, ତାଙ୍କ ପ୍ରେମିକ ତୁଷାର, ଦୁଇ ସହଯୋଗୀଙ୍କ ସହିତ ମିଶି ପ୍ରଥମେ ତାଙ୍କ ସ୍ୱାମୀଙ୍କୁ କ୍ଷୀରରେ ନିଦ ବଟିକା ଦେଇ ପିଆଇଥିଲେ ଏବଂ ତା'ପରେ ତାଙ୍କ ବେଡସିଟ୍ ତଳେ ଏକ ବିଷାକ୍ତ ସାପ ଛାଡି ଦେଇଥିଲେ । କଲ୍ ବିବରଣୀ ଏବଂ ମୋବାଇଲ୍ ଫୋନ୍ ରୁ ପ୍ରମାଣ ସମଗ୍ର ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛି । ଏ ସବୁ ପଛରେ ଥିଲା ୨୦ ଲକ୍ଷ ଟଙ୍କାର ବୀମା ଟଙ୍କା । ଯାହାକୁ ହଡପ କରିବାକୁ ଚାହୁଁଥିଲେ ଅତୁଲଙ୍କ ପତ୍ନୀ ଦାମିନୀ । ମେରଠର ହସ୍ତିନାପୁର ପୁଲିସ ଷ୍ଟେସନ ଅଞ୍ଚଳରେ ଘଟିଥିବା ଏହି ମାମଲାରେ, ପୁଲିସ ପତ୍ନୀ, ତାଙ୍କ ଅଭିଯୁକ୍ତ ପ୍ରେମିକ ଏବଂ ଅନ୍ୟ ଦୁଇଜଣଙ୍କୁ ଗିରଫ କରିଛି । ପୁଲିସ କହିଛି ଯେ ପ୍ରେମ ସମ୍ପର୍କ ଏବଂ ୨୦ ଲକ୍ଷ ଟଙ୍କାର ଇନ୍ସସୁରାନ୍ସ ଟଙ୍କା ଏହି ହତ୍ୟା ପଛର କାରଣ ।
ପୁଲିସ ତଦନ୍ତ ଅନୁଯାୟୀ, ସମ୍ପୂର୍ଣ୍ଣ ଯୋଜନା ଗୁରୁବାର ରାତିରେ ଆରମ୍ଭ ହୋଇଥିଲା । ଅଭିଯୋଗ ହୋଇଛି ଯେ, ଦାମିନୀ ତାଙ୍କ ସ୍ୱାମୀ ଅତୁଲ ପନୱାରଙ୍କୁ ରାତିରେ କ୍ଷୀର ଦେଇଥିଲେ। କ୍ଷୀରରେ ସ୍ୱାଭିବକ ପରିମାଣଠାରୁ ଅଧିକ ନିଦ ବଟିକା ମିଶାଯାଇଥିଲା । କିଛି ସମୟ ମଧ୍ୟରେ ଅତୁଲ ଗଭୀର ନିଦରେ ଶୋଇପଡ଼ିଲେ । ପୁଲିସ କହିଛି ଯେ ଏହି ସମୟ ପାଇଁ ଅଭିଯୁକ୍ତ ଅପେକ୍ଷା କରିଥିଲେ । ଅତୁଲ ଉଠି ପ୍ରତିରୋଧ କରିପାରିବେ ନାହିଁ ବୋଲି ନିଶ୍ଚିତ ହେବା ପରେ ଷଡ଼ଯନ୍ତ୍ରର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । ଅତୁଲ ଘୋଡ଼ିହୋଇଥିଲା କମ୍ବଳ ତଳେ ବିଷାକ୍ତ ସାପ ଛାଡି ଦିଆଯାଇଥିଲା । ଦାମିନୀଙ୍କ ପ୍ରେମିକ ଏବଂ ତାଙ୍କ ୨ ବନ୍ଧୁଙ୍କ ସହିତ ପୂର୍ବରୁ ପ୍ରସ୍ତୁତ ଥିଲେ । ଅତୁଲ ଗଭୀର ନିଦରେ ଶୋଇଥିବାରୁ ନିଜକୁ ରକ୍ଷା କରିପାରିନଥିଲେ । ସାପ ତାଙ୍କୁ କାମୁଡି ଦେବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଦାମିନୀ ଛଳନା କରି ଅତୁଲଙ୍କ ଡାକ୍ତରଖାନା ନେଇଥିଲେ । ପରୀକ୍ଷା ପରେ ଡାକ୍ତର ଅତୁଲଙ୍କୁ ମୃତ ଘୋଷଣା କରିଥିଲେ ।
ଏହା ବି ପଢନ୍ତୁ...Murder: ଅଟୋ ଡ୍ରାଇଭର ପ୍ରେମରେ ପଡ଼ି ସ୍ୱାମୀକୁ ମାରିଦେଲା ସ୍ତ୍ରୀ, ୧୧ ମାସ ପରେ ଧରା ପଡ଼ିଲା ଭୟଙ୍କର ସତ
ସୂଚନା ପାଇବା ପରେ, ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଯାଞ୍ଚ କରିବା ସମୟରେ, ସେମାନେ ବିଛଣାରେ ଏକ ସାପ ପାଇଥିଲେ । ପ୍ରଥମେ ମାମଲାଟି ସାଧାରଣ ମନେ ହେଉଥିଲା । କିନ୍ତୁ କିଛି ଜିନିଷକୁ ନେଇ ପୁଲିସର ସନ୍ଦେହ ହୋଇଥିଲା । ପୁଲିସ୍ ପ୍ରଥମେ ଦାମିନୀଙ୍କ ମୋବାଇଲ୍ ଫୋନ୍ ଏବଂ କଲ୍ ରେକର୍ଡ ଯାଞ୍ଚ କରିଥିଲା । କଲ ରେକର୍ଡକୁ ଜଣାପଡିଥିଲା ଦାମୀନି ତୁଷାରଙ୍କ ସହ ନିରନ୍ତର ଯୋଗାଯୋଗରେ ଥିଲେ । ପୁଲିସ୍ ତୁଷାରଙ୍କୁ ପଚରାଉଚରା କରିଥିଲା । ଏହାପରେ ସତ ମାନିଥିଲେ ଅଭିଯୁକ୍ତ । ପୁଲିସ ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ, ଅତୁଲ ପନୱାରଙ୍କର ପ୍ରାୟ ୨୦ ଲକ୍ଷ ଟଙ୍କାର ବୀମା କଭର ଥିଲା । ଅତୁଲଙ୍କ ମୃତ୍ୟୁ ପରେ ଦାମିନୀ ଏବଂ ତୁଷାର ବୀମା ଟଙ୍କା ପାଇଁ କରିଥିବା ଜଣାପଡିଛି । ଏହି ରାଶିରୁ ୫ ଲକ୍ଷ ଟଙ୍କା ସୋନୁ ଏବଂ ଉଦୟଙ୍କୁ ଦେବାକୁ କହିଥିଲେ, ଯେଉଁମାନେ ଷଡ଼ଯନ୍ତ୍ରରେ ସାମିଲ ଥିଲେ। ପୁଲିସ ଅନୁଯାୟୀ, ଦୁହେଁ ଏକାଠି ରହିବାକୁ ମଧ୍ୟ ଯୋଜନା କରିଥିଲେ । ଅତୁଲଙ୍କୁ ହତ୍ୟା କରିବା ଏହା ପ୍ରଥମ ପ୍ଲାନ୍ ନଥିଲା । ୨୦ ଦିନ ପୂର୍ବରୁ ତୁଷାର କାର୍ ଆକ୍ସଡେଣ୍ଟ କରି ମାରିବାକୁ ଚାହୁଁଥିଲେ କିନ୍ତୁ ଅତଲୁ ହେଲମେଟ୍ ପିନ୍ଧିଥିବାରୁ ବର୍ତ୍ତି ଯାଇଥିଲେ ।