କଟକ୧୫/୦୦୨: ଚୌଦ୍ୱାର ସର୍କଲ ଜେଲ୍‌ରୁ ଫେରାର ହେବା ପରେ ଅକ୍ଟୋବର ଆରମ୍ଭରୁ ଜାନୁଆରୀ ଅଧା ପର୍ଯ୍ୟନ୍ତ ବିହାରର ଦୁର୍ଦ୍ଦାନ୍ତ ଅପରାଧୀ ମଧୁକାନ୍ତ ରାଣା ବିଭିନ୍ନ ରାଜ୍ୟ ଓ ନେପାଳରେ ବୁଲିଥିଲା । ପରେ ସ୍ଥାୟୀ ଭାବେ ଏକ ସ୍ଥାନରେ ରହିବା ଲାଗି ଉତ୍ତରପ୍ରଦେଶକୁ ବାଛିଥିଲା । ସେ ବୃନ୍ଦାବନ ଓ ମଥୁରା ଆଖପାଖରେ ବୁଲାବୁଲି କରି ବୃନ୍ଦାବନରେ ଏକ ଆଶ୍ରମ ବା ମଠରେ ରହିବାକୁ ନିଷ୍ପତ୍ତି ନେଇଥିଲା । ଆଶ୍ରମକୁ ପୁଲିସର ପ୍ରବେଶ ନାହିଁ । ସାଧାରଣ ଲୋକଙ୍କ ଛଡ଼ା ଗହଳି ନାହିଁ । ରହିବା ପାଇଁ ମଧ୍ୟ କୌଣସି ସରକାରୀ କାଗଜପତ୍ର ଦରକାର ନାହିଁ । ତେଣୁ ଗଲା ଜାନୁଆରୀ ମାସ ୨୦ ତାରିଖ ବେଳକୁ ସେ ବୃନ୍ଦାବନରେ ପହଞ୍ଚି ଉକ୍ତ ଆଶ୍ରମକୁ ଯାଇଥିଲା । ସଂସାର ତ୍ୟାଗ କରି ବୈରାଗୀ ଜୀବନ ଯାପନ କରିବାକୁ ସେ ସ୍ଥିର କରିଛି ବୋଲି ଆଶ୍ରମର ବାବାଙ୍କୁ କହିଥିଲା । ଏଥିରେ ବାବା ରାଜି ହୋଇ ତାକୁ ଆଶ୍ରମରେ ସେବା କାର୍ଯ୍ୟ କରିବା ପାଇଁ ରଖିଲେ । ସେ ପାଖରେ ଫୋନ୍ ରଖୁନଥିଲା ।

ପ୍ରାୟ ୨ ସପ୍ତାହ ରହିବା ପରେ ସେ ବୃନ୍ଦାବନର ଏକ ଫୋନ୍‌ରୁ ତା’ର ପ୍ରେମିକାକୁ କଲ୍ କଲା । ପୂର୍ବରୁ ଉକ୍ତ ଫୋନ୍‌କୁ ରେକର୍ଡ କରୁଥିବା କଟକ ପୁଲିସ ଏହି ନମ୍ବର ପାଇବା ପରେ ତତ୍ପରତା ଦେଖାଇଲା । କଲ୍‌ରେ ସେ ଏକ ଆଶ୍ରମରେ ରହୁଥିବା ବିଷୟ ପ୍ରେମିକାକୁ କହିଥିଲା । ମାତ୍ର କେଉଁ ଆଶ୍ରମରେ ରହୁଛି ତାହା କିଛି ସ୍ପଷ୍ଟ ନଥିଲା । ତେଣୁ କଟକ ପୁଲିସର ଏକ ଟିମ୍ ତୁରନ୍ତ ବୃନ୍ଦାବନ ଯାଇ ସେଠି ସପ୍ତାହେରୁ ଅଧିକ ସମୟ ରହିଥିଲେ । ସେଠାରେ ଏକାଧିକ ତଥ୍ୟ ଓ ଗୁଇନ୍ଦା ରିପୋର୍ଟ ସଂଗ୍ରହ କରିବା ପରେ ମଧୁକାନ୍ତ ରହୁଥିବା ଆଶ୍ରମ ବିଷୟ ସ୍ପଷ୍ଟ ହୋଇଥିଲା । ଯେଉଁ ଫୋନ୍‌ରୁ  ସେ କଲ୍ କରିଥିଲା ତାହା ଉକ୍ତ ଆଶ୍ରମଠାରୁ ବହୁ ଦୂରରେ ଥିଲା । ତେଣୁ ପୁଣି କଲ୍ ଆସିବାକୁ ପୁଲିସ ଟିମ୍ ଅପେକ୍ଷା କଲା । ଗତ ଦୁଇ ଦିନ ତଳେ ପ୍ରେମିକା ପାଖକୁ କଲ୍ ଆସିବାରୁ ପୁଲିସ ତନାଘନା କଲା । ଯେଉଁ ଫୋନ୍ରୁ କଲ୍ ଆସିଥିଲା ସେଠାକୁ ଯାଇ ପୁଲିସ କଥା ହେବାରୁ ମଧୁକାନ୍ତ ବାବଦରେ ସୂଚନା ମିଳିଥିଲା । ପୁଲିସ ଉକ୍ତ ଆଶ୍ରମରୁ ମଧୁକାନ୍ତକୁ ଧରିବାକୁ ପ୍ଲାନ୍ କଲା । ଆଉ କିଛି ଅଧିକାରୀ ଓ କର୍ମଚାରୀ କଟକରୁ ସେଠାକୁ ଯାଇଥିଲେ । ଶେଷରେ ଗତକାଲି ଅପରାହ୍ନରେ ଅଭିଯୁକ୍ତ ମଧୁକାନ୍ତ ଧରାପଡ଼ିଥିଲ।

ଶଙ୍କରପୁର ଷ୍ଟେସନ୍ରୁ ପୁରୀ ଯାଇଥିଲା ଅକ୍ଟୋବର ମାସ ୨/୩ ତାରିଖ ରାତିରେ ମଧୁକାନ୍ତ ରାଣା ଓ ରାଜା ସାହାଣୀ ଚୌଦ୍ୱାର ଜେଲ୍ରୁ ପାଚେରି ଡେଇଁ ବାହାରିବା ପରେ ବିଲ ଓ କ୍ଷେତ ଭିତରେ ପଶି ନିକଟସ୍ଥ ଶଙ୍କରପୁର ଷ୍ଟେସନ୍ ପାଖରେ ପହଞ୍ଚିଥିଲେ । ଭୋର ସମୟରେ ପୁରୀ ଯାଉଥିବା ଏକ ପାସେଞ୍ଜର୍ ଟ୍ରେନ୍ରେ ଷ୍ଟେସନ୍ର ବାହାରପଟୁ ଚଢ଼ିଯାଇଥିଲେ । ଦୁହେଁ ଦୁଇଟି କୋଚ୍ରେ ଅଲଗା ବସି ପୁରୀରେ ପହଞ୍ଚିଥିଲେ । ଷ୍ଟେସନ୍‌ର ମୁଖ୍ୟ ଗେଟ୍‌ରେ ନ ବାହାରି ପଛପଟ ରାସ୍ତାରେ ଆସି ଏକ ଶୌଚାଳୟ ପାଖରେ ଲୁଚି ବସିଲେ । ରାତିରେ ସେଠାରୁ ବିହାର ଯାଉଥିବା ଏକ ଟ୍ରେନ୍ରେ ଦୁହେଁ ଚଢ଼ିଥିଲେ । ଟ୍ରେନ୍ ବିହାରର ଗୟାରେ ପହଞ୍ଚିବା ପରେ ସେଠାରେ ମଧୁକାନ୍ତ ଓହ୍ଲାଇ ଯାଇଥିଲା । ମାତ୍ର ରାଜା ସାହାଣି ଅନ୍ୟ ଷ୍ଟେସନ୍‌ରେ ଓହ୍ଲାଇଥିଲା ।

ବିହାର, ନାଗାଲାଣ୍ଡ୍, ଆସାମ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ବୁଲିଛନ୍ତି

ବିହାରରେ ଦୁଇ ଜଣ ପହଞ୍ଚିବା ପରେ କିଛି ଦିନ ପାଇଁ ସେଠାରେ ରହିଥିଲେ। ପୂର୍ବ ଯୋଜନା ମୁତାବକ ପ୍ରାୟ ସପ୍ତାହେ ପରେ ଦୁହେଁ ବିହାର ଛାଡ଼ିଥିଲେ । ଭିନ୍ନ ଟ୍ରେନ୍ରେ ଯାଇ କର୍ଣ୍ଣାଟକର ମହୀଶୂରରେ ପହଞ୍ଚିଥିଲେ । କେବଳ ପୁଲିସକୁ ଚକ୍‌ମା ଦେବା ଓ ନିଜର ଠିକଣା ଲୁଚାଇ ରଖିବା ପାଇଁ ଦୁହେଁ ସେଠାରେ ସପ୍ତାହେ ରହିବା ପରେ ପୁଣି ଆନ୍ଧ୍ରପ୍ରଦେଶ ପଳାଇଥିଲେ । ସେଠାରେ କିଛି ଦିନ ରହିବା ପରେ ଆସାମ, ନାଗାଲାଣ୍ଡ ଯାଇଥିଲେ। ଏଭଳି ପ୍ରାୟ ଦେଢ଼ ମାସ ପର୍ଯ୍ୟନ୍ତ ଦୁହେଁ ବୁଲାବୁଲି କରିବା ପରେ ପୁଣି ଅଲଗା ହୋଇଗଲେ । ଏହା ମଧ୍ୟରେ ରାଜା ସାହାଣି ତା’ର ଜଣେ ପରିଚିତ ଲୋକଠାରୁ କିଛି ଟଙ୍କା ଆଣି ସାରି ଥାଏ । ଯାହାକୁ ଦୁହେଁ ଟ୍ରେନ୍‌ରେ ଯାତ୍ରା କରିବା ଓ ହୋଟେଲ୍‌ରେ ରହିବାରେ ଖର୍ଚ୍ଚ କରୁଥିଲେ । ଏପରିକି ଦୁହେଁ ଅଲଗା ହେବା ବେଳକୁ ରାଜା କିଛି ଟଙ୍କା ମଧୁକାନ୍ତକୁ ଦେଇଥିଲା ।

ଆହୁରି ପଢ଼ନ୍ତୁ :- ଚୌଦ୍ବାର ଜେଲରୁ ଫେରାର କଏଦୀ ମଥୁରାରୁ ଗିରଫ , ବେଶ ବଦଳାଇ ଗେଷ୍ଟ ହାଉସରେ କରୁଥିଲା କାମ

ଡିସେମ୍ବରରେ ନେପାଳ ପଳାଇଥିଲେ

ଅକ୍ଟୋବର, ନଭେମ୍ବର ଦୁଇ ମାସ ରାଜା ଓ ମଧୁକାନ୍ତ ବୁଲିବା ପରେ ସେମାନଙ୍କର କିଛି ଗତିବିଧି ବିହାର ପୁଲିସ ଜାଣିପାରିଛି ବୋଲି କୌଣସି ସୂତ୍ରରୁ ଦୁହେଁ ସୂଚନା ପାଇଥିଲେ। ତେଣୁ ନିଜ ଗ୍ୟାଙ୍ଗ୍‌ର ଜଣେ ବଡ଼ ଅପରାଧୀର ସହଯୋଗରେ ଦୁହେଁ ବିହାର ଛାଡ଼ିବାକୁ ନିଷ୍ପତ୍ତି ନେଲେ । ଜଣେ ମଧୁବନି ଜିଲ୍ଲା ସୀମା ହୋଇ ଓ ଅନ୍ୟ ଜଣେ ଅରରିଆ ଜିଲ୍ଲା ସୀମା ହୋଇ ନେପାଳରେ ପହଞ୍ଚିଲେ । କାଠମାଣ୍ଡୁଠାରୁ ପ୍ରାୟ ଶହେ କିଲୋମିଟର ଦୂର ଏକ ମନ୍ଦିର ପାଖରେ ରହିଥିଲେ । ସେଠାରେ ପ୍ରାୟ ୧୫ ଦିନ ରହିବା ପରେ ଦୁହେଁ ପୁଣି ବିହାର ଫେରି ଆସିଥିଲେ । ପରେ ମଧୁକାନ୍ତ ଉତ୍ତରପ୍ରଦେଶ ଓ ରାଜା ଅନ୍ୟ କୌଣସି ରାଜ୍ୟକୁ ପଳାଇଥିଲା ।

ପୁଲିସର ସ୍ପେସାଲ୍ ୨୬

ଅଭିଯୁକ୍ତ ମଧୁକାନ୍ତ ରାଣାକୁ ଧରିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ୨୬ ଜଣିଆ ଟିମ୍ ବା ସ୍ପେସାଲ୍-୨୬ ଗଠନ କରାଯାଇଥିଲା । ଏଥିରେ ଏଡିସିପି କ୍ଷୀରସାଗର ନାୟକ, ଏସିପି ଅରୁଣ ସ୍ୱାଇଁ, ଏସିପି ଅନନ୍ୟା ଅଶ୍ୱସ୍ଥିଙ୍କ ସହ ଇନ୍ସପେକ୍ଟର ରଶ୍ମିତା ଜେନା, ରଜନିକାନ୍ତ ଦାସ, ଦୀପକ ଖଣ୍ଡାୟତରାୟ, ଅସିତ କୁମାର ବଳବନ୍ତରାୟ, ସୁଶାନ୍ତ କୁମାର ସାହୁ, ଜଗନ୍ନାଥ ସାହୁ, ନିରଞ୍ଜନ ଭୋଇ, ସୁନିଲ ୟାଦବ, ଅବିନାଶ ରାଉତ, ଏସ୍ଆଇ ଶଙ୍କର୍ଷଣ ପ୍ରଧାନ, ସାଜନ ଦିବ୍ୟଦର୍ଶନ ଜେନା, ହାବିଲଦାର ତୋଫାନ, ରମାକାନ୍ତ ସେଠୀ, କନ୍ଷ୍ଟେବଳ ଫିରୋଜ ରାଉତ, ଜାକେଶ ଦାସ, ପଞ୍ଚାନନ ବେହେରା, ଅନିରୁଦ୍ଧ ସାହୁ, ନରେନ୍ଦ୍ର ରାଉତ, ଅଭିଜିତ ଦାସ, ସତ୍ୟବ୍ରତ ଦାସ, ପ୍ରଭଞ୍ଜନ ଦାସ, ପଦ୍ମଲୋଚନ ଦାସ ଓ ହୋମ୍ଗାର୍ଡ ରାଜୀବ କୁମାର ମହାନ୍ତି ସାମିଲ ଥିଲେ ।

ତାଲିମ ଦିଆଯାଇଥିଲା ଝାଡ଼ଖଣ୍ଡି ଭାଷା

ବୃନ୍ଦାବନର ଏକ ଆଶ୍ରମରେ ଜଣେ ବାବାଙ୍କ ପାଖରେ ମଧୁକାନ୍ତ ରହୁଥିବା ନେଇ ସୂଚନା ପୁଲିସ ପାଖରେ ଗଲା ୨ ଦିନ ତଳେ ମିଳିଥିଲା । ମାତ୍ର ଉକ୍ତ ଆଶ୍ରମ ଭିତରକୁ ଯାଇ ମଧୁକାନ୍ତ ଅଛି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ପୁଲିସ ପାଖରେ ବାଟ ନ ଥିଲା । ତେଣୁ ଉତ୍ତପ୍ରଦେଶରେ ଡେରା ପକାଇଥିବା କଟକ ପୁଲିସର ଜଣେ ଅଫିସର୍ଙ୍କୁ ଉକ୍ତ ଆଶ୍ରମରେ ଥିବା ବାବାଙ୍କ ଭକ୍ତ ଭାବେ ପ୍ରସ୍ତୁତ କରାଗଲା । ଭକ୍ତ ଜଣକ ଝାଡ଼ଖଣ୍ଡରୁ ଆସିଛନ୍ତି ବୋଲି ପରିଚୟ ଦିଆଯିବ ଓ ସେ ଝାଡ଼ଖଣ୍ଡି ଭାଷା ବା ଉତ୍ତରଭାରତୀୟ କହୁଥିବା ଶୈଳୀରେ ହିନ୍ଦୀ କହିବେ ବୋଲି ନିଷ୍ପତ୍ତି ହୋଇଥିଲା । ତେଣୁ ସେହି ଅଧିକାରୀଙ୍କୁ କିଛି ଝାଡ଼ଖଣ୍ଡି ଭାଷା ତାଲିମ ଦିଆଯାଇଥିଲା । କିଛି ଝାଡ଼ଖଣ୍ଡି ଭିଡିଓ ଉକ୍ତ ଅଧିକାରୀ ଜଣକ ଦେଖିଥିଲେ ।

ଭକ୍ତ ଭାବି ପୁଲିସକୁ ଭକ୍ତ ନିବାସକୁ ନେଇଥିଲା ମଧୁକାନ୍ତ

ମଧୁକାନ୍ତ ରହିଥିବା ଆଶ୍ରମକୁ ବାବାଙ୍କର ଭକ୍ତ ହୋଇ ଗତକାଲି ପୁଲିସର ଦୁଇ କର୍ମଚାରୀ ଯାଇଥିଲେ । ଆଶ୍ରମର ଗେଟ୍ ପାଖରେ ନିଜର ପାରିବାରିକ ଅସୁବିଧା ଥିବା ଓ ବାବାଙ୍କୁ ଦେଖି ପରାମର୍ଶ ନେବାକୁ ଚାହୁଁଥିବା ଦୁହେଁ କହିଥିଲେ । ଏହା ପରେ ଆଶ୍ରମ ଗେଟ୍‌ରେ ଥିବା ଜଣେ କର୍ମଚାରୀ ଭିତରକୁ ଯାଇ ଏହି ବିଷୟ ବାବାଙ୍କୁ କହିଥିଲା । ବାବା ତାଙ୍କୁ ପରେ ଦେଖା କରିବେ, ତେଣୁ ଦୁଇ ଭକ୍ତଙ୍କୁ ନେଇ ଆଶ୍ରମର ଗେଷ୍ଟ ହାଉସ୍ ବା ଭକ୍ତ ନିବାସରେ ରଖିବା ପାଇଁ ବାବା କହିଥିଲେ । ଆଉ ଆଶ୍ଚର୍ଯ୍ୟଜନକ ଭାବେ ଅତିଥି ଭବନରେ ଦୁଇ ଭକ୍ତ ବା ପୁଲିସ କର୍ମଚାରୀଙ୍କୁ ନେଇ ରଖାଇବା ପାଇଁ ଆଶ୍ରମର ବାବା ମଧୁକାନ୍ତକୁ ହିଁ ପଠାଇଥିଲେ । ମଧୁକାନ୍ତ ଗେଟ୍ ପାଖକୁ ଆସି ଦୁଇ ଜଣଙ୍କୁ ଭକ୍ତ ନିବାସକୁ ନେଇଯାଇଥିଲା । ଉକ୍ତ ଭକ୍ତ ନିବାସ ଦାୟିତ୍ୱରେ ଖୋଦ୍ ମଧୁକାନ୍ତ ଥିଲା । ତେଣୁ ସେହି ଭକ୍ତ ନିବାସରେ ଦୁଇ ପୁଲିସ କର୍ମଚାରୀ ଥିବା ବେଳେ ଅନ୍ୟ ପୁଲିସ କର୍ମଚାରୀ ସେଠାରେ ଚଢ଼ଉ କରି ମଧୁକାନ୍ତକୁ ଧରି ନେଇଥିଲେ ।

ସେଲ୍ ନମ୍ବର-୩ରେ ରହିଲା

ଫେରାର୍ ହେବାର ପ୍ରାୟ ୧୩୬ ଦିନ ପରେ ପୁଣି ଚୌଦ୍ୱାର ଜେଲ୍କୁ ଫେରିଛି ଦୁର୍ଦ୍ଦାନ୍ତ ବିହାରୀ ଅପରାଧୀ ମଧୁକାନ୍ତ କୁମାର ରାଣା । ଉତ୍ତରପ୍ରଦେଶ ବୃନ୍ଦାବନରୁ ଗିରଫ ପରେ କଟକ ଆଣି ମଧୁକାନ୍ତକୁ କଟକ ଜେଏମ୍ଏଫ୍ସି-୧ଙ୍କ କୋର୍ଟରେ ହାଜର କରାଯାଇଥିଲା । ପରେ ତାକୁ ଚୌଦ୍ୱାର ଜେଲ୍କୁ ପଠାଇ ଦିଆଯାଇଥିଲା । ସେଠାରେ ତାକୁ ସେଲ୍ ନମ୍ବର-୩ରେ ରଖାଯାଇଛି । ପୂର୍ବରୁ ତାକୁ ୯ ନମ୍ବର ସେଲ୍ରେ ରଖାଯାଇଥିଲା । ଫେରାର୍ ହୋଇଥିବା ସେଲ୍ଠାରୁ ୬ଟି ସେଲ୍ ଛାଡ଼ି ମଧୁକାନ୍ତକୁ ରଖାଯାଇଛି । ଏହି ସେଲ୍ ସମ୍ମୁଖରେ ଜଣେ ୱାର୍ଡର ଦିଆଯାଇଛି । ପରେ ସମ୍ମୁଖ ଫାଟକ ପାଖରେ ଆଉ ଜଣେ ସୁରକ୍ଷା କର୍ମୀଙ୍କୁ ରଖାଯାଇଛି । ଏହା ବାଦ୍ ରାତି ତମାମ୍ ଜେଲ୍ ଦାୟିତ୍ୱରେ ଥିବା ଅଧିକାରୀ ପାଟ୍ରୋଲିଂ କରିବେ ବା ପଇଁତରା ମାରିବେ । ସେହିପରି ସିସିଟିଭି ରୁମ୍‌ରେ ଦୁଇ ଜଣ କର୍ମଚାରୀ ଲଗାତାର ଭାବେ ତା’ ସେଲ୍ ଉପରେ ନଜର ରଖିବେ ।