ଭୁବନେଶ୍ୱର,୦୯/୧୦: ସଭ୍ୟ ସଂଗ୍ରହ  ଅଭିଯାନ ଆରମ୍ଭ କରିବ ବିଜୁ ଜନତା ଦଳ ।  ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଠାରୁ ବିଜେଡିର  ସଭ୍ୟ ସଂଗ୍ରହ ଆରମ୍ଭ ହେବ । ଦଳର ସଭାପତି  ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଶଙ୍ଖ ଭବନରେ ଏହାର ଶୁଭାରମ୍ଭ କରିବେ ।  ଏହାସହିତ ଜିଲ୍ଲା ସଦର ମହକୁମାରେ ଜିଲ୍ଲାର  ସମସ୍ତ ନେତୃବୃନ୍ଦ ଭର୍ଚୁଆଲ ମାଧ୍ୟମରେ ଶଙ୍ଖ  ଭବନ କାର୍ଯ୍ୟକ୍ରମ ସହିତ ଯୋଡ଼ି ହେବେ ।  ବିଜେଡି ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ  ପ୍ରସାଦ ମିଶ୍ର, ସଭ୍ୟ ସଂଗ୍ରହ ଅଭିଯାନ କମିଟିର  ଆବାହକ ଅତନୁ ସବ୍ୟସାଚୀ ନାୟକ ଓ  କାର୍ଯ୍ୟକ୍ରମ ରୂପାନ୍ତରଣ କମିଟିର ଆବାହକ  ସଞ୍ଜୟ ଦାସବର୍ମା ସଭ୍ୟ ସଂଗ୍ରହ ଅଭିଯାନ  କାର୍ଯ୍ୟକ୍ରମ ବିଷୟରେ ଏହି ସୂଚନା ଦେଇଛନ୍ତି । 

ଶଙ୍ଖ ଭବନ ସାମ୍ବାଦିକ ସମ୍ମିଳନୀରେ ସମନ୍ୱୟ  କମିଟି ଅଧ୍ୟକ୍ଷ ଶ୍ରୀ ମିଶ୍ର କହିଛନ୍ତି, ସଭ୍ୟ ସଂଗ୍ରହ  ଅଭିଯାନ ଦଳର ଏକ ନିୟମିତ କାର୍ଯ୍ୟକ୍ରମ। ବିଜେଡିର ସମୁଦାୟ ସଭ୍ୟ ସଂଖ୍ୟା ୧ କୋଟିରୁ  ଅଧିକ ରହିଛି । ସକ୍ରିୟ ସଭ୍ୟ ସଂଖ୍ୟା ପ୍ରାୟ ୪  ଲକ୍ଷ ରହିଛି । ସଭ୍ୟ ସଂଗ୍ରହ ଅଭିଯାନ କମିଟିର  ଆବାହକ ଶ୍ରୀ ନାୟକ କହିଛନ୍ତି,ଏହି ସଭ୍ୟ  ସଂଗ୍ରହ ଅଭିଯାନରେ ସମସ୍ତ ବର୍ଗର ଲୋକମାନଙ୍କୁ  ଯୋଡ଼ାଯିବା ସହ ବିଶେଷ କରି ଛାତ୍ର ଓ ଯୁବ ବର୍ଗ  ଉପରେ ଫୋକସ୍‌ ରହିବ । 

ବୁଧବାର ଶଙ୍ଖ ଭବନ  କାର୍ଯ୍ୟକ୍ରମ ସହିତ ସମସ୍ତ ଜିଲ୍ଲା ସଦର ମହକୁମା  ଯୋଡ଼ି ହେବାର କାର୍ଯ୍ୟକ୍ରମ ରହିଛି । ପରବର୍ତ୍ତୀ  ସମୟରେ ଅନ୍ୟ ବିଧାନସଭା କ୍ଷେତ୍ରଗୁଡ଼ିକରେ  ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ହେବ । କାର୍ଯ୍ୟକ୍ରମ ରୂପାନ୍ତରଣ କମିଟିର ଆବାହକ ଶ୍ରୀ ଦାସବର୍ମା କହିଛନ୍ତି, ଗଣତନ୍ତ୍ରରେ ସରକାରୀ  ଦଳର ଯେତିକି ଆବଶ୍ୟକତା ଅଛି, ବିରୋଧୀ  ଦଳର ମଧ୍ୟ ସେତିକି ଆବଶ୍ୟକତା ଅଛି ।  ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳ ଭାବେ ଆମେ  ଓଡ଼ିଶାର ସ୍ୱାର୍ଥ ପାଇଁ ଲଢେଇ ଜାରି ରଖିବୁ । 

ସୂଚନାଯୋଗ୍ୟ, ଅକ୍ଟୋବର ୯ରୁ ଡିସେମ୍ବର  ୯ ପର୍ଯ୍ୟନ୍ତ ବିଜେଡିର ସଭ୍ୟ ସଂଗ୍ରହ ହେବ । ଅନ୍ୟପଟେ ବିଜେପି ବି ରାଜ୍ୟରେ ସଭ୍ୟ ସଂଗ୍ରହ ଅଭିଯାନ ଚଳାଇଛି । ବର୍ତ୍ତମାନ ସଭ୍ୟ  ସଂଗ୍ରହକୁ ନେଇ ବୁଥ୍‌ସ୍ତରରୁ ରାଜ୍ୟସ୍ତର  ପର୍ଯ୍ୟନ୍ତ ରାଜନୀତି ପୂରା ସରଗରମ ।