ମାଲକାନଗିରି, ୨୯/୮(ଆପ୍ର ) : ଗାଈକୁ ବଞ୍ଚାଇବାକୁ ଯାଇ ଡିଭାଇଡରରେ ପିଟି ହେଲା ବାଇକ।  ଏଥିରେ  ଜଣେ ଯୁବକର ମୃତ୍ୟୁ ଘଟିବା ସହିତ ଅନ୍ୟ ଜଣେ ଗୁରୁତର ହୋଇଛି। ମାଲକାନଗିରି ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ମୃତ ଯୁବକ ଜଣକ ହେଲେ ସନ୍ତୋଷ କୁମାର ରାଜ।

ମାଲକାନଗିରି ଜେଡ କଲୋନୀର   କେ.ରୋହନ(୩୧) ଓ ସନ୍ତୋଷ କୁମାର ରାଜ (୪୨) ଏମଭି୭ ରୁ ମାଲକାନଗିରିକୁ ଫେରୁ ଥିବା ସମୟରେ ମାଲକାନଗିରି ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥର ଦୁର୍ଗା ପେଟ୍ରୋଲ ପମ୍ପ ନିକଟ ରାସ୍ତାରେ ହଠାତ କିଛି ଗାଈ ଆଗକୁ ପଳାଇ ଆସିଥିଲେ। ଗାଈକୁ ବଞ୍ଚାଇବାକୁ ଯାଇ ବାଇକଟିକୁ   ବୁଲାଇ ଦେବାରୁ ଭାରସାମ୍ୟ ହରାଇ ରାସ୍ତା ଡିଭାଇଡ଼ରରେ ପିଟି ହୋଇଯାଇଥିଲା। ଦୁଇଜଣ ଦୂରକୁ ଛିଟିକି ପଡି ଗୁରୁତର ହୋଇ ଥିଲେ। ସ୍ଥାନୀୟ ଲୋକ ଦୁଇଜଣଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ହସ୍ପିଟାଲକୁ ନେଇ ଥିଲେ। ହସ୍ପିଟାଲରେ ସନ୍ତୋଷଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। କେ ରୋହନ ଗୁରୁତର ଅବସ୍ଥା ରେ ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଛି। ଏସମ୍ପର୍କ ରେ ମାଲକାନଗିରି ପୁଲିସ ଖବର ପାଇ ଘଟଣା ସ୍ଥଳ ରେ ପହଞ୍ଚି ଦୁର୍ଘଟଣା ଗସ୍ତ ବାଇକକୁ ଜବତ କରିଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଙ୍କୁ ହସ୍ତାନ୍ତର କରାଯାଇଛି।। 

ସୂଚନାଯୋଗ୍ୟ ଯେ, ମାଲକାନଗିରି ସହରରେ ଦିନକୁ ଦିନ ଗୋରୁ, କୁକୁରଙ୍କ ଉତ୍ପାତ ବଢ଼ି ଯାଇଛି। ମାଲିକମାନେ ଗାଈକୁ ରାସ୍ତାକୁ ଛାଡି ଦେଉଛନ୍ତି। ଦଳ ଦଳ ଗୋରୁ ୩୨୬ ନମ୍ବର ଜାତୀୟ ରାଜପଥରେ ବୁଲୁଥିବାରୁ ଗାଡି ଚାଳକ ଓ ପଥଚାରୀମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏଥି ପ୍ରତି ପୌରପରିଷଦ ଓ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଵା ଉଚିତ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।