ଢେଙ୍କାନାଳ,୧୨/୬: ହାଇୱା ଧକ୍କାରେ ବାଇକ୍ ଆରୋହୀ ମୃତ। ଢେଙ୍କାନାଳ-କାମାକ୍ଷାନଗର ରାସ୍ତାର ବ୍ରାହ୍ମଣୀ ନଦୀର କମଗରା ସାରଙ୍ଗଧର ସେତୁ ଉପରେ ଏହି ଦୁର୍ଘଟଣା ଘଟିଛି। ମୃତକ ଜଣଙ୍କ ହେଲେ କାମାକ୍ଷାନଗର ବ୍ଲକ ପଣ୍ଡୁଆ ଫାଣ୍ଡି ଅନ୍ତର୍ଗତ କମଗରା ଗ୍ରାମର ରାକେଶ ମିଶ୍ର।
ସୂଚନାନୁଯାୟୀ, ରାକେଶ ଢେଙ୍କାନାଳରୁ କାମ ସାରି ବାଇକ୍ ଯୋଗେ ନିଜ ଗ୍ରାମକୁ ଫେରୁଥିଲେ। କମଗରା ବ୍ରିଜ ଉପରେ ସମ୍ମୁଖରୁ ଆସୁଥିବା ଏକ ହାଇୱା ତାଙ୍କୁ ଧକ୍କା ଦେଇଥିଲା। ରାକେଶ ବାଇକ୍ରୁ ଛିଟିକି ପୋଲ ଉପରୁ ପ୍ରାୟ ୪୦ ଫୁଟ ତଳକୁ ନଦୀକୁ ଖସିପଡିଥିଲେ। ରାକେଶଙ୍କୁ ଉଦ୍ଧାର କରାଯାଇ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପଣ୍ଡୁଆ ଫାଣ୍ଡି ପୁଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରି ତଦନ୍ତ ଚଳାଇଛି।