ଡେଲାଙ୍ଗ, ୧୨/୦୭ : ଡ଼େଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ। ଭୋପାଳରୁ ଆସିଲା ରକ୍ତ ନମୁନା ରିପୋର୍ଟ। ଡ଼େଲାଙ୍ଗର ୩ଟି ସ୍ଥାନକୁ ନିଷେଧାଞ୍ଚଳ ଘୋଷଣା। ସଂକ୍ରମିତ ଅଞ୍ଚଳରୁ ୬୫୦୦ କୁକୁଡ଼ା ମାରିବ ପ୍ରଶାସନ। ସଂକ୍ରମିତ ସ୍ଥାନରୁ ୧୦ କିମି ଯାଏଁ ରଖାଯିବ ନଜର। ଏନେଇ ଡେଲାଙ୍ଗ ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୋମନାଥ ଦାସ ସୂଚନା ଦେଇଛନ୍ତି। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କହିବା ମୁତାବକ ଡେଲାଙ୍ଗ ବଡ଼ ଆଙ୍କୁଲାର ତିନୋଟି ଫାର୍ମରେ ବର୍ତ୍ତମାନ କିଲିଂ ପ୍ରକ୍ରିୟା ଆରମ୍ଭ ହେବ। ଡେଲାଙ୍ଗ ପୁଲିସ ତହସିଲଦାରଙ୍କ ଉପସ୍ଥିତିରେ କିଲିଂ ପ୍ରକ୍ରିୟା କରାଯିବ। ଘଟଣାସ୍ଥଳକୁ ପାଞ୍ଚଟି ଡାକ୍ତରୀ ଦଳ ପହଁଚିବେ।
ସୂଚନାନୁଯାୟୀ, ଡେଲାଙ୍ଗ ବ୍ଲକ ଅଧୀନ ଆଙ୍କୁଲା, ସିଂହବ୍ରହ୍ମପୁର, ଚାଇଁପୁର, ମୋଟରୀ, ବେଗୁନିଆପଡା ଆଦି ଗ୍ରାମରେ ୨୦ ହଜାରରୁ ଊର୍ଦ୍ଧ୍ୱ କୁକୁଡା ମରିସାରିଲେଣି। ଅନେକ ଚାଷୀ ଦୁଶ୍ଚିନ୍ତାରେ ରହିଛନ୍ତି । ଘଟଣା ସାମ୍ନାକୁ ଆସିବା ପରେ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଫାର୍ମଗୁଡିକୁ ବିଶୋଧନ କରାଯିବା ସହିତ ମଲା କୁକୁଡ଼ାଙ୍କର ନମୁନା ପରୀକ୍ଷା ନିମନ୍ତେ ପଠାଯାଇଥିଲା। ଭୋପାଳରୁ ଏବେ ରକ୍ତ ନମୁନା ରିପୋର୍ଟ ଆସିଛି। ଡେଲାଙ୍ଗରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି। ଗତ ବର୍ଷ ବାର୍ଡ ଫ୍ଲୁ ଯୋଗୁ ବ୍ଲକ୍ର ବିଭିନ୍ନ ଅଞ୍ଚଳରେ କୁକୁଡ଼ା ମଡ଼କ ପଡ଼ିଥିଲା । ଲକ୍ଷାଧିକ ବ୍ରଏଲର କୁକୁଡ଼ା ମରିଯାଇଥିବା ବେଳେ ଚାଷୀଙ୍କର ଲକ୍ଷାଧିକ ଟଙ୍କା କ୍ଷତି ହୋଇଥିଲା । ଚଳିତ ବର୍ଷ ପୁନର୍ବାର ବାର୍ଡ ଫ୍ଲୁ ହେବାରୁ ଧାର କରଜ କରିଥିବା ଚାଷୀଙ୍କ ଚିନ୍ତା ବଢିଯାଇଛି। ସମସ୍ତ ଫାର୍ମରୁ ମରାଯାଇଥିବା କୁକୁଡ଼ାର ସାମ୍ପୁଲ ଟେଷ୍ଟ କରାଯିବା ସହ ଚାଷୀମାନେ କ୍ଷତିପୂରଣ ଦାବି କରିଛନ୍ତି।