ଚଢେଇ ବସାରୁ ସୁପ୍ ! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ ଏହା ବିଶ୍ୱର ସବୁଠାରୁ ବିଳାସପୂର୍ଣ୍ଣ ଏବଂ ମହଙ୍ଗା ଖାଦ୍ୟମାନଙ୍କ ମଧ୍ୟରୁ ଗୋଟିଏ। ବିଶେଷକରି ଚୀନ୍ ସମେତ ଅନେକ ଏସୀୟ ଦେଶରେ ଏହାକୁ ଏକ ପ୍ରିମିୟମ୍ ଡେଲିକେସି ଭାବେ ଗଣାଯାଏ। ଏହି ସୁପ୍ ସାଧାରଣ ଚଢେଇ ବସାରୁ ନୁହେଁ, ବରଂ ସ୍ୱିଫ୍ଟଲେଟ୍ (Swift let) ନାମକ ପକ୍ଷୀର ଲାଳରୁ ତିଆରି ବସାରୁ ପ୍ରସ୍ତୁତ କରାଯାଏ। ବିରଳତା, କଠିନ ସଂଗ୍ରହ ପ୍ରକ୍ରିୟା ଓ ବଜାରରେ ଅଧିକ ଚାହିଦା ଯୋଗୁଁ ଏହାର ଦାମ ପ୍ରତି କିଲୋଗ୍ରାମ୍ ୧.୬ ଲକ୍ଷରୁ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ରହିଥାଏ।
କେଉଁ ପକ୍ଷୀର ବସାରୁ ତିଆରି ହୁଏ ଏହି ସୁପ୍ ?
ଏହି ସ୍ୱତନ୍ତ୍ର ସୁପ୍ ପ୍ରସ୍ତୁତ କରିବା ପାଇଁ ସ୍ୱିଫ୍ଟଲେଟ୍ ପକ୍ଷୀର ବସା ବ୍ୟବହାର କରାଯାଏ। ସାଧାରଣ ପକ୍ଷୀମାନଙ୍କ ପରି ଏମାନେ ଡାଳ, ଘାସ କିମ୍ବା ପତ୍ରରେ ବସା ତିଆରି କରନ୍ତି ନାହିଁ। ପୁରୁଷ ସ୍ୱିଫ୍ଟଲେଟ୍ ନିଜର ଚିପିଚିପା ଲାଳ ସାହାଯ୍ୟରେ କପ୍ ଆକୃତିର ବସା ତିଆରି କରେ। ବାୟୁ ସଂସ୍ପର୍ଶରେ ଆସିବା ପରେ ଏହି ଲାଳ କଠିନ ହୋଇ କପ ଆକୃତିର ବସାରେ ପରିଣତ ହୁଏ, ଯାହାକୁ ପରେ ସଂଗ୍ରହ କରାଯାଏ।
କେଉଁ କେଉଁ ଦେଶରେ ଏହା ଲୋକପ୍ରିୟ ?
ଚୀନ୍, ହଂକଂ, ସିଙ୍ଗାପୁର, ଇଣ୍ଡୋନେସିଆ, ମାଲେସିଆ, ଥାଇଲ୍ୟାଣ୍ଡ ଓ ଫିଲିପାଇନ୍ସ ସମେତ ଅନେକ ଏସୀୟ ଦେଶରେ ବାର୍ଡ୍ସ ନେଷ୍ଟ ସୁପ୍ ଅତ୍ୟନ୍ତ ଲୋକପ୍ରିୟ। ଏହାକୁ ବିଳାସପୂର୍ଣ୍ଣ ହୋଟେଲ, ବିବାହ ଉତ୍ସବ ଓ ବିଶେଷ ପାରିବାରିକ କାର୍ଯ୍ୟକ୍ରମରେ ସମ୍ମାନର ସହ ପରିବେଷଣ କରାଯାଏ।
ଏହା ଏତେ ମହଙ୍ଗା କାହିଁକି ?
ସ୍ୱିଫ୍ଟଲେଟ୍ ପକ୍ଷୀମାନେ ସାଧାରଣତଃ ଉଚ୍ଚ ପାହାଡ଼, ସମୁଦ୍ର କୂଳବର୍ତ୍ତୀ ଚଟାଣ ଓ ଗଭୀର ଗୁମ୍ଫାରେ ବସା ତିଆରି କରନ୍ତି। ସେହି ବସା ସଂଗ୍ରହ କରିବା ପାଇଁ ସଂଗ୍ରହକାରୀମାନଙ୍କୁ ଜୀବନକୁ ବିପଦରେ ପକାଇ ଉଚ୍ଚ ପାହାଡ଼ ଚଢ଼ିବାକୁ କିମ୍ବା ସଂକୀର୍ଣ୍ଣ ଗୁମ୍ଫାରେ ପ୍ରବେଶ କରିବାକୁ ପଡ଼େ। ଏହି ବିପଦପୂର୍ଣ୍ଣ ସଂଗ୍ରହ ପ୍ରକ୍ରିୟା ଏବଂ ସୀମିତ ଉପଲବ୍ଧତା ଯୋଗୁଁ ଏହାର ମୂଲ୍ୟ ବହୁତ ଅଧିକ।
ଲାଲ ବସା କାହିଁକି ସବୁଠାରୁ ଦାମୀ ?
ସମସ୍ତ ପ୍ରକାର ବସା ମଧ୍ୟରୁ ଲାଲ ସ୍ୱିଫ୍ଟଲେଟ୍ ବସା ସବୁଠାରୁ ବିରଳ ଓ ମୂଲ୍ୟବାନ। ଏହାର ଦାମ ଆନ୍ତର୍ଜାତୀୟ ବଜାରରେ ପ୍ରତି କିଲୋଗ୍ରାମ୍ ୧୦ ହଜାର ଆମେରିକୀୟ ଡଲାର ବା ପ୍ରାୟ ୮ ଲକ୍ଷରୁ ଅଧିକ ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ବିରଳତା ଓ ବହୁଳ ଚାହିଦା ହେଉଛି ଏହାର ପ୍ରମୁଖ କାରଣ।
ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ?
ପାରମ୍ପରିକ ଚୀନ୍ ଚିକିତ୍ସା ପଦ୍ଧତିରେ ବାର୍ଡ୍ସ ନେଷ୍ଟ ସୁପ୍ର ବିଶେଷ ମହତ୍ତ୍ୱ ରହିଛି। ଅନେକ ଲୋକଙ୍କ ବିଶ୍ୱାସ ଅନୁସାରେ ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା, ଶରୀରକୁ ଶକ୍ତି ଯୋଗାଇବା, ତ୍ୱଚାକୁ ସୁସ୍ଥ ରଖିବା ଓ ବାର୍ଦ୍ଧକ୍ୟର ପ୍ରଭାବ କମାଇବାରେ ସହାୟକ ହୋଇପାରେ।
ଅଧିକ ପଢନ୍ତୁ-'VIJAY' ମିଶନ ! ନାଁ ଶୁଣି କମ୍ପି ଉଠିବ ପାକିସ୍ତାନ, ଜେନେରାଲ ଧୀରଜ ସେଠ୍ ଦେଲେ ଭାରତୀୟ ସେନାର ଫ୍ୟୁଚର ପ୍ଲାନ୍