ଭୁବନେଶ୍ୱର,୨୬/୦୧: ଚାଷୀଙ୍କ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜୁ ଜନତା ଦଳ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ । ଆସନ୍ତା ଫେବ୍ରୁଆରୀ ୨ରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତିଟି ଜିଲ୍ଲାରେ ବିଜେଡି ବିକ୍ଷୋଭ କରିବ । ୨୪ ତାରିଖରେ ଭୁବନେଶ୍ୱରରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜିତ ହେବ । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତୃମଣ୍ଡଳୀ ଏହି ସୂଚନା ଦେଇଛନ୍ତି । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, କୃଷକ ସେଲ ଆବାହକ ପ୍ରସନ୍ନ ଆଚାର୍ଯ୍ୟ, ଦଳର ଉପସଭାପତି ସଂଜୟ ଦାସବର୍ମା, ବିଧାୟକ ଡ଼ ଅରୁଣ କୁମାର ସାହୁ ରାଜ୍ୟ ବିଜେପି ସରକାରଙ୍କ ବିରୋଧରେ ବର୍ଷିଥିଲେ । ଦେବୀ କହିଲେ, ଚାଷୀଙ୍କୁ ସାର ମୁଠାଏ ଦେବା ପାଇଁ ସରକାର ହନ୍ତସନ୍ତ କଲେ । ଏବେ ଧାନ କିଣା ପ୍ରକ୍ରିୟା ଠିକ ଭାବେ ହୋଇପାରୁନାହିଁ । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି ।
ପ୍ରସନ୍ନ କହିଲେ, ଧାନ ସଂଗ୍ରହ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ । ରାଜ୍ୟରେ ଚଳିତ ବର୍ଷ ୧୯ ଲକ୍ଷ ୬୬ ହଜାର ୧୮୧ ଚାଷୀ ପଞ୍ଜିକୃତ ହୋଇଛନ୍ତି । ଏବେ ସୁଦ୍ଧା ମାତ୍ର ୨୯% ଚାଷୀଙ୍କଠାରୁ ନିର୍ଦ୍ଧାରିତ ୭୩ ଲକ୍ଷ ମେଟ୍ରିକ ଟନରୁ ମାତ୍ର ୨୫ଲକ୍ଷ ମେଟ୍ରିକ ଟନ ଧାନ କିଣାଯାଇଛି । ଖରିଫ ଧାନ କିଣା ଅଧିକ ବିଳମ୍ବିତ ହେଲେ ଦାଳୁଅ ଧାନ ପାଇଁ ଚାଷୀମାନେ ଅର୍ଥ ଯୋଗାଡ଼ କରିବାକୁ ଅସମର୍ଥ ହେବେ । ସଞ୍ଜୟ କହିଲେ, ବ୍ୟାପକ କଟନୀ ଛଟନୀ ହେଉଛି । ଗତବର୍ଷ କିଣା ଯାଇଥିବା ଖରିଫ ଚାଉଳର ୯ ପ୍ରତିଶତ ଏପର୍ଯ୍ୟନ୍ତ ମିଲରମାନଙ୍କ ଠାରୁ ଉଠା ଯାଇନାହିଁ । ମଣ୍ଡି ଖୋଲିବାରେ ଅହେତୁକ ବିଳମ୍ବ ପାଇଁ ରାଜ୍ୟର କ୍ଷୁଦ୍ର ଚାଷୀମାନେ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଲେ । ଅରୁଣ କହିଲେ, ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ । ୪୦ ହଜାରରୁ ଅଧିକ ମହିଳା ବିଭିନ୍ନ ନିର୍ଯାତନାର ଶିକାର ହୋଇଛନ୍ତି । ସାମ୍ପ୍ରଦାୟିକ ଉତ୍ତେଜନା ଓ ଦଙ୍ଗା ବୃଦ୍ଧି ପାଇଛି । ଥାନା ବିଜେପି ନେତାଙ୍କ କବଜାରେ ରହୁଛି । ସାଧାରଣ ଲୋକଟି ଏବେ ଥାନାକୁ ଯିବା ପାଇଁ ଭୟ କରୁଛି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ସଂତୃପ୍ତ ମିଶ୍ର ଓ ଟୁକୁନି ସାହୁ ଉପସ୍ଥିତ ଥିଲେ ।