ନୂଆପଡ଼ା ୦୧/୧୧: ନୂଆପଡ଼ା ଉପନିର୍ବାଚନରେ ବରଗଡ଼ ଜିଲ୍ଲା ଅତାବିରାର ପୂର୍ବତନ ବିଧାୟିକା ତଥା ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ବିଜେଡି ପ୍ରାର୍ଥୀ ହୋଇଛନ୍ତି । ବର୍ତ୍ତମାନ ଦଳ ପକ୍ଷରୁ ଜୋରସୋରରେ ତାଙ୍କର ଭୋଟ ପ୍ରଚାର କରାଯାଉଛି ।
ଆଗାମୀ ୧୧ତାରିଖ ଭୋଟଗ୍ରହଣ ଥିବାବେଳେ ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ନୂଆପଡ଼ାରେ ନିଜ ଭୋଟ ଦେଇପାରିବେ ନାହିଁ ବୋଲି ଜଣାପଡ଼ିଛି । ସେ ନୂଆପଡ଼ା ନିର୍ବାଚନ ମଣ୍ଡଳିର ଭୋଟର ହୋଇନଥିବା କାରଣରୁ ଭୋଟଦାନ ଅଧିକାର ପାଇପାରିବେ ନାହିଁ ବୋଲି କୁହାଯାଉଛି । ଏ ସମ୍ପର୍କରେ ନୂଆପଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶଙ୍କୁ ପଚାରିବାରୁ ଓଡ଼ିଶାର ଯେ କୌଣସି ଜିଲ୍ଲାର ବ୍ୟକ୍ତି ଅନ୍ୟ କୌଣସି ଜିଲ୍ଲାରୁ ନିର୍ବାଚନରେ ପ୍ରାର୍ଥୀ ହୋଇପାରିବେ । କିନ୍ତୁ ଯେହେତୁ ଶ୍ରୀମତୀ ଛୁରିଆ ନୂଆପଡ଼ାର ଭୋଟର ନୁହନ୍ତି ଏବଂ ଏଠାକାର ଭୋଟର ହେବା ପାଇଁ ସ୍ଥାନାନ୍ତର କରିନଥିବାରୁ ସେ ନିଜ ଭୋଟ ଦେଇପାରିବ ନାହିଁ ବୋଲି କହିଛନ୍ତି ।