ଭୁବନେଶ୍ବର, ୧୩।୭ : ନବୀନ ନିବାସରେ ବି​‌ଜେଡି  ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ଆଗାମୀ ସଂସଦର ମୌସୁମୀ ଅଧିବେଶନକୁ ନେଇ ଏହି ବୈଠକରେ ରଣନୀତି ପ୍ରସ୍ତୁତ କରାଯାଇଛି। ଏଥିରେ  ସଂସଦୀୟ ଦଳ ନେତା ସାଂସଦ ମାନସ ମଙ୍ଗରାଜ, ସଂସଦୀୟ ଦଳ ଉପନେତା ସୁଲତା ଦେଓ, ସାଂସଦ ସସ୍ମିତ ପାତ୍ର, ପୁରୀ ସାଂସଦ ଶୁଭାଶିଷ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। 

ଡବଲ ଇଂଜିନ ସରକାରରେ ରାଜ୍ୟରେ ଦେଖାଦେଇଥିବା ବିଭିନ୍ନ ଅରାଜକତାକୁ ସଂସଦରେ ଉଠାଇବ ବିଜେଡି। ପାଠ୍ୟପୁସ୍ତକ ପ୍ରିଣ୍ଟିଙ୍ଗ  ତ୍ରୁଟି,ଚାଷୀଙ୍କ ସମସ୍ୟା, ସାର, ବିହନ ସମସ୍ୟା, ଏମଏସପି, କଟନୀଛଟନୀ,  ଦୁଇ ବର୍ଷ ମଧ୍ୟରେ ବଢୁଥିବା ଭିଡ ହିଂସା,  ରାଜ୍ୟରେ ଆଇନ ଓ ଶୃଙ୍ଖଳା ପରିସ୍ଥିତି,  ବିଳମ୍ବିତ ବାର୍ଦ୍ଧକ୍ୟ ଭତ୍ତା, ନିଟ ପେପେର ଲିକ, ଅତ୍ୟାବଶ୍ୟକୀୟ ଦ୍ରବ୍ୟ ବୃଦ୍ଧି  ସମସ୍ୟା,ମହାନଦୀ ଏବଂ ପୋଲାଭରମକୁ ନେଇ ଚାଲିଥିବା ରାଜନୀତି,କୋଲ ରୟାଲିଟି, ଦୁର୍ଗମ ଅଞ୍ଚଳରେ ଯାତାୟାତ ସମସ୍ୟା  ଭଳି  ପ୍ରସଙ୍ଗକୁ ମୁଖ୍ୟ ମୁର୍ଦ୍ଦା କରିବ ବିଜେଡି।

ଓଡିଶାର ସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗକୁ ସଂସଦରେ କିଭଳି ଜୋରଦାର ଭାବେ ଉଠାଯିବ ସେ ନେଇ ଆଲୋଚନା ହୋଇଥିଲା। ରାଜ୍ୟର ବର୍ତ୍ତମାନ ସ୍ଥିତି,  ମହଙ୍ଗା ମାଡ, ବେରୋଜଗାରୀ, କୃଷକଙ୍କ ସମସ୍ୟା ଏବଂ କେନ୍ଦ୍ର ସରକାରଙ୍କଠୁ ରାଜ୍ୟକୁ ମିଳୁଥିବା ଅନୁଦାନ ପ୍ରସଙ୍ଗରେ ଦଳ କ’ଣ ଆଭିମୁଖ୍ୟ ରଖିବ ତାହା ଉପରେ ଚୂଡାନ୍ତ ନିଷ୍ପତ୍ତି ହୋଇଥିଲା। କିଭଳି ଓଡିଶାର ସ୍ୱରକୁ ଜାତୀୟ ସ୍ତରରେ ପହଁଚାଇବେ ସେ ନେଇ ଯୋଜନା ପ୍ରସ୍ତୁତ କରାଯାଇଛି।